ଅଣସର୍ଭେ ଜଙ୍ଗଲ ଗ୍ରାମ ସେମେଲପଦର ଠାରେ ଜଙ୍ଗଲ ଅଧିକାର ପାଇଁ ଗ୍ରାମସଭା

୬୯ ବ୍ୟକ୍ତିଗତ ଦାବୀ ଓ ୬୬୫ ହେକ୍ଟର ଗୋଷ୍ଠୀ ଜଙ୍ଗଲ ପ୍ରସ୍ତାବ ଅନୁମୋଦିତ

ଥୁଆମୂଳ ରାମପୁର,୨୧|୧୧(ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଗ୍ରାମ ପଞ୍ଚାୟତର ଅଣସର୍ଭେ ଜଙ୍ଗଲ ଗ୍ରାମ ସେମେଲପଦର ଠାରେ ଜଙ୍ଗଲ ଅଧିକାର ଦାବୀ ଅନୁମୋଦନ ପାଇଁ ବୁଧବାର ଏକ ଗ୍ରାମସଭା ହୋଇଥିଲା।ଏଥିରେ ୬୯ ଗୋଟି ବ୍ୟକ୍ତିଗତ ଦାବୀ ଓ ୬୬୫.୫୨ ହେକ୍ଟର ଗୋଷ୍ଠୀ ଜଙ୍ଗଲ ଦାବୀ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି।ଅନୁମୋଦିତ ଏହି ଦାବୀ ଗୁଡିକୁ ଏକ ସପ୍ତାହ ମଧ୍ୟରେ ଉପଖଣ୍ଡ ସ୍ତରୀୟ କମିଟି ନିକଟରେ ଦାଖଲ କରାଯିବ ବୋଲି ଜଙ୍ଗଲ ଅଧିକାର କମିଟି ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।ଏଠାରେ ସୂଚନାଯୋଗ୍ୟ ଯେ ଗତ ୫ ଦଶନ୍ଧିରୁ ଉର୍ଦ୍ଧ୍ବ ସମୟ ଧରି ଜଙ୍ଗଲ ଜମିରେ ବସତିସ୍ଥାପନ କରି ୪୨ ଆଦିବାସୀ ପରିବାର ରହି ଆସୁଥିଲେ ମଧ୍ୟ ଉକ୍ତ ଗ୍ରାମଟି ରାଜସ୍ବ ଗ୍ରାମର ମାନ୍ୟତା ପାଇପାରିନି କି ଏଠିକାର ବାସିନ୍ଦା ଙ୍କୁ ୩୦ ବର୍ଷର ସଂଘର୍ଷ ପରେ ମଧ୍ୟ ଜଙ୍ଗଲ ଅଧିକାର ମିଳିନାହିଁ।ଏବେ ମଧ୍ୟ ଜବରଦଖଲ କାରୀ ବୋଲି ଦୁର୍ନାମ ମୁଣ୍ଡେଇ ଥିବା ସେମେଲପଦର ବାସୀ ଏହି ଗ୍ରାମସଭା ପରେ ନିଜ ପରିଚୟ ଜାହିର କରିବା ଆଶାରେ ଉତଫୁଲ୍ଲିତ ହୋଇ ଉଠିଛନ୍ତି।ଜଙ୍ଗଲ ଅଧିକାର ଆଇନ୨୦୯୬ ଲାଗୁ ହେବା ପରେ ବାରମ୍ବାର ଦାବୀ ଦାଖଲ କରିଥିଲେ ମଧ୍ୟ ସେସବୁ ଦାବୀ ଗୁଡିକ ସରକାରୀ ଅବହେଳାରୁ ନାଲି ଫିତଖ ତଳେ ଚାପି ହୋଇ ରହିଯାଇଛି। ଏପରିକି ୨୦୧୫ ମସିହାରୁ କର୍ଲାପାଟ ସରପଞ୍ଚ ରାଜସ୍ବ ମାନ୍ୟତା ପାଇଁ ଜିଲ୍ଲାପାଳଙ୍କୁ ସୁପାରିଶ କରିବା ପରେ ୨୦୧୬ ରେ ତତ୍କାଳୀନ ଜିଲ୍ଲାପାଳ ଗାଭାଲି ପରାଗ ହର୍ଷଦ ଏଦିଗରେ ପଦକ୍ଷେପ ଆରମ୍ଭ କରିଥିଲେ। ସେମେଲପଦର ଓ ଚାଚିକନା ଗ୍ରାମର ସର୍ଭେ ତହସିଲଦାର କରିଥିଲେ ମଧ୍ୟ ସେମେଲପଦର ଗ୍ରାମର ସର୍ଭେ ରିପୋର୍ଟ କେଉଁ ଆଡେ ଉଭାନ ହୋଇଯାଇଛି।ସେ ଯାହା ହେଉ ଶେଷରେ ମୋ ଜଙ୍ଗଲ ଜମି ଯୋଜନା ପୁର୍ବ ସରକାର ସମୟରେ ଚାଲୁହେବା ପରେ ଏବେ ଗ୍ରାମର ସୀମିତ ଚିହ୍ନଟ ପ୍ରକ୍ରିୟା ସରି ଗ୍ରାମସଭାରେ ଅନୁମୋଦନ ଲାଭ କରିଛି।ଏହି ସଭାରେ କର୍ଲାପାଟ ସରପଞ୍ଚ ବିଶ୍ବନାଥ ମାଝୀ ଉପସ୍ଥିତ ରହି ପୁରା ପ୍ରକ୍ରିୟାକୁ ପରିଚାଳନା କରିଥିଲେ।ସଭାରେ ଗ୍ରାମର ବୟୋଜ୍ୟେଷ୍ଠ ଓ ସମସ୍ତ ଗ୍ରାମବାସୀ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।ଥୁଆମୂଳ ରାମପୁର ତହସିଲଦାର ନିରଜ କୁମାର ଭତ୍ରା ,ରାଜସ୍ବ ନିରୀକ୍ଷକ ଅଞ୍ଜନ କୁମାର ନାଏକ,ବନପାଳ ବିଜୟ କୃଷ୍ଣ ଗୋପାଳ,ପ୍ରଦାନ ସଂସ୍ଥାର କର୍ମକର୍ତ୍ତା, ଜଙ୍ଗଲ ଅଧିକାର ପ୍ରକ୍ରିୟା ଆରମ୍ଭ କରିଥିବା ଅନ୍ତୋଦୟ ସଂସ୍ଥାର କର୍ମକର୍ତ୍ତା ରବି ନାରାୟଣ ସିଂ ,ଚକ୍ରଧର ପୁଝାରି,ଏବଂ ଅଧ୍ୟକ୍ଷ ଦିଲ୍ଲୀପ କୁମାର ଦାଶ ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ।

ଜିଲ୍ଲା ପରିଷଦ ସଦସ୍ୟା ଶ୍ରୀମତୀ ଟୁନି ଖୋସ୍ଲା(ଦୁରିଆ) ,ଜଙ୍ଗଲ ଅଧିକାର ଜିଲ୍ଲା ସଂଯୋଜକ ଏବଂ ବ୍ଲକ ସଂଯୋଜକ ଉପସ୍ଥିତ ରହି ନିଜ ନିଜର ମତାମତ ପ୍ରଦାନ କରିଥିଲେ।ଅନ୍ତୋଦୟ ତରଫରୁ ୧୯୯୫ ମସିହାରୁ କିପରି ଲୋକଙ୍କ ଦାବୀ ଉପସ୍ଥାପନା କରାଯାଇଛି ତାହା ରବି ନାରାୟଣ ସିଂହ ଦର୍ଶାଇ ଥିଲେ।ଜଙ୍ଗଲ ଅଧିକାର କମିଟିର ସଭାପତି ଦୀପକ ମାଝୀ, ସମ୍ପାଦକ ରାମତୁ ମାଝୀ, ସଭ୍ୟ କାରଲା ମାଝୀ ସକ୍ରିୟ ଅଂଶଗ୍ରହଣ କରିଥିଲେ।ଏହି ପ୍ରକ୍ରିୟା ଯଥାଶୀଘ୍ର ନିର୍ଣ୍ଣାୟକ ସ୍ତରରେ ପହଞ୍ଚିବ ଏବଂ ଗ୍ରାମବାସୀ ଜଙ୍ଗଲ ଅଧିକାର ପାଇବା ସହିତ ଗ୍ରାମଟି ରାଜସ୍ବ ଗ୍ରାମ ହେବ ବୋଲି ତହସିଲଦାର ଶ୍ରୀ ଭତ୍ରା ସୂଚନା ଦେଇଥିଲେ।ଗ୍ରାମବାସୀ କିଭଳି ମାଲି ମକଦ୍ଦମାର ସାମ୍ନା କରୁଥିଲେ ଓ ଏଥିପାଇଁ ଅନ୍ତୋଦୟ ପକ୍ଷରୁ କିପରି ସେମାନଙ୍କୁ ଆଇନ ସହାୟତା ଯୋଗାଇ ଦିଆଯାଉଥିଲା ଏବଂ ସଶକ୍ତିକରଣ ପ୍ରକ୍ରିୟା କରାଯାଇଥିଲା ତାହା ବର୍ଣ୍ଣନା କରିଥିଲେ ଅଧ୍ୟକ୍ଷ ଦିଲୀପ କୁମାର ଦାସ।ଶେଷରେ ରାମତୁ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ।