ଆଉନାହାନ୍ତି ପଦ୍ମଭୂଷଣ ପୁରସ୍କାରପ୍ରାପ୍ତ ପ୍ରଖ୍ୟାତ କଣ୍ଠଶିଳ୍ପୀ ବାଣୀ ଜୟରାମ ।

ସେ ୭୮ ବର୍ଷ ବୟସରେ ଚେନ୍ନାଇସ୍ଥିତ ବାସଭବନରେ ତାଙ୍କର ପରଲୋକ ଘଟିଛି । ଚେନ୍ନଇ ଅନ୍ତର୍ଗତ ନାନଗାମ୍‌ବାକମ୍‌ସ୍ଥିତ ଘରୁ ବାଣୀଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ତାଙ୍କ କପାଳରେ ଆଘାତ ଲାଗିଥିବା ଦେଖିବାକୁ ମିଳିଛି। ତାମିଲନାଡୁ ପୁଲିସ ତରଫରୁ ସନ୍ଦେହଜନକ ମୃତ୍ୟୁ ନେଇ ଏକ ମାମଲା ରୁଜୁ କରାଯାଇଛି। ପୁଲିସ ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ ନିଜ ବାସଭବନରେ ଏକାକୀ ରହୁଥିବା ବାଣୀଙ୍କ ଘରେ କାମ କରୁଥିବା ଜଣେ ମହିଳା ପୂର୍ବାହ୍ଣ ୧୧ଟା ସମୟରେ ବହୁବାର କଲିଂବେଲ୍‌ ବଜାଇଥିଲେ ମଧ୍ୟ କେହି କବାଟ ଖୋଲିନଥିଲେ। ମହିଳା ଜଣଙ୍କ ଏ ନେଇ ବାଣୀଙ୍କ ଭଉଣୀ ଉମାଙ୍କୁ ଖବର ଦେଇଥିଲେ। ଉମା ପହଞ୍ଚିବା ପରେ ତାଙ୍କ ନିକଟରେ ଥିବା ଚାବି ଦ୍ବାରା ମୁଖ୍ୟ କବାଟ ଖୋଲାଯାଇଥିଲା। ଶୋଇବା ଘର ଚଟାଣରେ ବାଣୀଙ୍କ ମୃତଦେହ ପଡ଼ିବାର ଦେଖି ଉମା ପୁଲିସକୁ ଖବର ଦେଇଥିଲେ।ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଭାରତୀୟ ସିନେମା ସଂଗୀତ ଜଗତରେ ୫ ଦଶନ୍ଧି ଧରି ପ୍ରାଧାନ୍ୟ ବିସ୍ତାର କରିଥିବା ବାଣୀ ଜୟରାମଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି । କେବଳ ହିନ୍ଦୀ ସିନେମା ନୁହେଁ ଓଡିଆ ସମେତ ବିଭିନ୍ନ ଭାଷାରେ ସଂଗୀତ ପରିବେଷଣ କରି ସେ କୋଟି କୋଟି ଭାରତୀୟଙ୍କ ପ୍ରିୟପାତ୍ରୀ ହୋଇଥିଲେ । ପ୍ରାୟ ୧ ହଜାର ମୁଭି ଲାଗି ସେ ୧୦ ହଜାରରୁ ଅଧିକ ଗୀତ ଗାଇ ଖ୍ୟାତି ଅର୍ଜନ କରିଥିଲେ ।

୧୯୭୧ ମସିହାରେ ବାଣୀ ଜୟରାମଙ୍କୁ ‘ଗୁଡ୍ଡି’ ଚଳଚ୍ଚିତ୍ରରେ କଣ୍ଠଦାନ କରିବାର ପ୍ରଥମ ସୁଯୋଗ ମିଳିଥିଲା। ଏହି ଚଳଚ୍ଚିତ୍ରର ଗୀତ ‘ବୋଲେରେ ପପିହରା’ ଖୁବ ଲୋକପ୍ରିୟ ହୋଇଥିଲା। ଏହାସହିତ ୧୯୭୮ ମସିହାରେ ବାଳକୃଷ୍ଣ ଦାସଙ୍କ ସଙ୍ଗୀତ ନିର୍ଦେଶନାରେ ନିର୍ମିତ ଓଡ଼ିଆ ଚଳଚ୍ଚିତ୍ର ‘ଶଙ୍ଖ ମହୁରୀ’ରେ ସେ ଗାଇବାର ସୁଯୋଗ ପାଇଥିଲେ। ସେବେଠୁ ସେ ଆଉ ପଛକୁ ଫେରିନାହାନ୍ତି। ତାଙ୍କର କଣ୍ଠସ୍ବର ଓଡିଶାରେ ବେଶ ଲୋକପ୍ରିୟ ହୋଇଥିଲା। ବିଶେଷ କରି ‘ଶେଷ ଶ୍ରାବଣ’ ଚଳଚ୍ଚିତ୍ରର ମେଘ ବରଷିଲା ଟୁପୁରୁ ଟାପୁରୁ ଗୀତ ଗାଇ ବେଶ ଚର୍ଚ୍ଚାକୁ ଆସିଥିଲେ। ଯାହାର ଆଜି ବି ଦର୍ଶକ ଆଦୃତି ରହିଛି। ଏହାପରେ ଓଡିଆ ଚଳଚ୍ଚିତ୍ର ‘ବଳିଦାନ’, ‘ତପସ୍ୟା’, ‘ଶଙ୍ଖା ସିନ୍ଦୂର’ ଆଦି ବହୁ ଓଡ଼ିଆ ଚଳଚ୍ଚିତ୍ର ପାଇଁ ସେ କଣ୍ଠଦାନ କରିଛନ୍ତି। ୧୯୮୧ରେ ନିର୍ମିତ ‘ଦେବଯାନୀ’ ଚଳଚ୍ଚିତ୍ର ପାଇଁ ସେ ଶ୍ରେଷ୍ଠ କଣ୍ଠଶିଳ୍ପୀ ଭାବରେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଥିଲେ।