ଆଜିଠୁ ଆରମ୍ଭ ହୋଇଛି ମହାକାର୍ତ୍ତିକ ବ୍ରତ
ଆଜିଠୁ ଆରମ୍ଭ ହୋଇଛି ମହାକାର୍ତ୍ତିକ ବ୍ରତ । ହିନ୍ଦୁ ଶାସ୍ତ୍ର ଅନୁଯାୟୀ କାର୍ତ୍ତିକ ମାସ ହେଉଛି ପୁଣ୍ୟର ମାସ । ଏଥିପାଇଁ ୧ ମାସ ଧରି ହବିଷ୍ୟାଳିମାନେ ପାଳନ କରନ୍ତି ପବିତ୍ର ମହାକାର୍ତ୍ତିକ ବ୍ରତ । ହଜାର ହଜାର ହବିଷ୍ୟାଳିଙ୍କ ସମାଗମରେ ପୁରୀ ସହର ଏବେ ଲୋକାରଣୟ ହୋଇପଡିଛି। ଶ୍ରୀକ୍ଷେତ୍ରକୁ ଛୁଟି ଆସୁଛନ୍ତି, ହବିଷ୍ୟାଳୀ । ଏଠି ରହି ମାସସାରା ମହାପ୍ରଭୁଙ୍କ ଦର୍ଶନ କରି ହବିଷ ବ୍ରତ କଲେ ମହାପୁଣ୍ୟ ମିଳିଥାଏ ବୋଲି ବିଶ୍ୱାସ କରାଯାଏ । ସକାଳୁ ଉଠି ବିଭିନ୍ନ ତୀର୍ଥ ପୁଷ୍କରିଣୀରେ ସ୍ନାନ କରିବା ପରେ ସଂକଳ୍ପ କରି ଆରମ୍ଭ କରିଛନ୍ତି କାର୍ତ୍ତିର ବ୍ରତ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଶ୍ରୀଦାମୋଦର ବେଶ ଦର୍ଶନ କରି ପାଳନ କରୁଛନ୍ତି ହବିଷ୍ୟ । ଏଥିପାଇଁ ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ସହ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।ଶ୍ରୀମନ୍ଦିରରେ ପ୍ରତିଦିନ ଭୋର ୪ ଟାରେ ଦ୍ୱାର ଫିଟାଯାଇ ମଙ୍ଗଳଆରତୀ ହେବା ପରେ ରାଧାଦାମୋଦର ବେଶ ଓ ବାଳଧୂପ ନୀତି କରାଯିବାକୁ ନୀତି ନିର୍ଘଣ୍ଟ କରାଯାଇଛି । ସେପଟେ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ହବିଷ୍ୟାଳିଙ୍କ ରହଣୀସ୍ଥଳରେ ମଧ୍ୟ ବେଶ ଭିଡ ଜମିଛି ହବିଷ୍ୟାଳି ବ୍ରତଧାରୀଙ୍କର । ଚଳିତ ବର୍ଷ ଅଢେଇ ହଜାରରୁ ଅଧିକ ହବିଷ୍ୟାଳିଙ୍କ ମାଗଣାରେ ରହିବା ପାଇଁ ପୁରୀର ୪ଟି ଜାଗାରେ ବ୍ୟବସ୍ଥା କରାଯାଇଛି ।