ଏକ ଝରଣା ନାଳ ପାଖରୁ ଅଜଣା ବ୍ୟକ୍ତିଙ୍କ ଗଳିତ ମୃତଦେହ ଉଦ୍ଧାର l
ଥୁଆମୂଳ ରାମପୁର, ୦୫/୧୧-(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ କର୍ଲାପାଟ ଥାନା ଅଧୀନସ୍ଥ କିଆପଦର୍ ଅଞ୍ଚଳ ର ଏକ ଝରଣା ନାଳ ପାଖରୁ ଏକ ଅଜଣା ବ୍ୟକ୍ତିଙ୍କ ଗଳିତ ମୃତଦେହ ବୁଧବାର ଉଦ୍ଧାର ହୋଇଥିବା ଜଣାପଡିଛି। ମିଳିଥିବା ସୂଚନାରୁ ଜଣାଯାଏ ଯେ, ଅଜଣା ବ୍ୟକ୍ତି ଜଣକଙ୍କ ଗଳିତ ମୃତ ଦେହ କିଆପଦର୍ ପାଖ ଫରେଷ୍ଟ ୱାଚ ଟାୱାର ର ପଛପଟ ପାଖାପାଖି ୫ରୁ ୬ କିଲୋମିଟର ଦୂର ଏକ ଝରଣା ନାଳରେ ବଡ଼ ବଡ଼ ପଥରରେ ଛନ୍ଦି ହୋଇ ରହିଥିବା ସେ ଅଞ୍ଚଳର କିଛି ଲୋକ ଦେଖି ସ୍ଥାନୀୟ ସରପଞ୍ଚ ଲଖିଧର ମାଝୀଙ୍କୁ ଜଣାଇବାରୁ ସରପଞ୍ଚ କର୍ଲାପାଟ ଥାନକୁ ସୂଚନା ଦେଇଥିଲେ l ତେବେ ସୂଚନା ପାଇ କର୍ଲାପାଟ ଥାନ ଅଧିକାରୀ ଶ୍ରୀକାନ୍ତ କୋଲକା ଏବଂ ତାଙ୍କ ଏକ ଟିମ୍ ଘଟଣା ସ୍ଥଳରେ ଯାଇ ପହଞ୍ଚି ଶବ ଉଦ୍ଧାର କରି ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ଶବ ବ୍ୟବଚ୍ଛେଦ ପାଇଁ ନେଇଥିବା ଜଣାପଡିଛି l ପ୍ରକାଶ ଯୋଗ୍ୟ ଯେ, ଗତ ଅକ୍ଟୋବର ୨ ତାରିଖ ଦିନ ଥୁଆମୂଳ ରାମପୁର ବ୍ଲକ ରେ ପ୍ରବଳ ବର୍ଷା ହୋଇଥିଲା ଏବଂ ସେତିକି ବେଳେ ହାର୍ଡଖୁର୍ସି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଦୀପ ଦାସ ଏବଂ ପୂର୍ବତନ ଏବିଓ ଦିଲୀପ କୁମାର ଦାସ ଦୁହେଁ ଏକ ମୋଟର ସାଇକେଲ ଯୋଗେ ଭବାନୀପାଟଣା ଯାଉଥିବା ସମୟରେ ସେମେଲପଦର୍ ପାଖ ପୋଲ ଉପରେ ପ୍ରଖର ବେଗରେ ବର୍ଷା ପାଣି ଯାଉଥିଲା ଠିକ୍ ସେତିକି ବେଳେ ବାଇକ୍ ଭାଷୀ ଯାଇଥିଲା ଏବଂ ପରବର୍ତ୍ତୀ ସମୟରେ ପ୍ରଦୀପ ଙ୍କ ମୃତ୍ୟୁ ହୋଇଥିବା ବେଳେ ଦିଲୀପଙ୍କ ପତ୍ତା ମିଳି ନଥିଲା,

ତେବେ ନିଖୋଜର ଦୀର୍ଘ ୩୦ ରୁ ୩୧ଦିନ ପରେ ଏଭଳି ଏକ ଅଜଣା ଶବ ଉଦ୍ଧାର ହୋଇଥିବାରୁ ନିଖୋଜ ଦିଲୀପ ଦାସଙ୍କ ପରିବାର ପକ୍ଷରୁ ଆମ ଲୋକଙ୍କ ମୃତ ଦେହ ଏହା ବୋଲି ଦାବୀ କରୁଥିବା ବେଳେ କିନ୍ତୁ ଶବ ବ୍ୟବଚ୍ଛେଦ ଏବଂ ଡିଏନଏ ଟେଷ୍ଟ ପରେ ହିଁ ପ୍ରକୃତ ସତ୍ୟ ଜଣାପଡ଼ିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି l ଅନ୍ୟପଟେ ଏନେଇ ୟୁ.ଡି କେସ ନଂ ୦୫/୨୫ରେ ମାମଲା ରୁଜ୍ଜୁ କରି ଅଧିକ ତଦନ୍ତ ଜାରି ରଖିଥିବା ଥାନା ଅଧିକାରୀ ଶ୍ରୀ କୋଲକା ଆମ ଧରିତ୍ରୀ କୁ ସୂଚନା ଦେଇଛନ୍ତି l