କର୍ଣ୍ଣାଟକ ରତ୍ନ ସମ୍ମାନ ପାଇବେ ଦିବଙ୍ଗତ ଲୋକପ୍ରିୟ କନଡ଼ ଅଭିନେତା ପୁନୀତ ରାଜକୁମାର।
ମରଣୋତ୍ତର ତାଙ୍କୁ ଏହି ସମ୍ମାନ ଦିଆଯିବ ବୋଲି ଶୁକ୍ରବାର ଏହି ଘୋଷଣା କରିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ। ନଭେମ୍ବର ୧ ତାରିଖରେ ଆୟୋଜିତ କନ୍ନଡ଼ ରାଜ୍ୟଉତ୍ସବରେ ପୁନୀତଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ସ୍ୱାଧୀନତା ଦିବସ ପାଇଁ ବେଙ୍ଗାଲୁରୁର ଲାଲବାଗ ଗ୍ଲାସ ହାଉସ୍ରେ ଆୟୋଜିତ ଏକ ପୁଷ୍ପକ ମେଳାରେ ବକ୍ତବ୍ୟ ରଖୁଥିବା ବେଳେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି। ଏହି କାର୍ଯ୍ୟକ୍ରମରେ ପୁନୀତ ଓ ତାଙ୍କ ବାପା ଡ. ରାଜକୁମାରଙ୍କ ସ୍ମୃତି ଚାରଣ କରି ତାଙ୍କ ଉପରେ ପୁଷ୍ପାର୍ପଣ କରାଯାଇଥିଲା। ୨୦୨୧ ଅକ୍ଟୋବର ୨୯ ତାରିଖରେ ପୁନୀତଙ୍କର ହୃଦ୍ଘାତରେ ପରଲୋକ ହୋଇଥିଲା। ପାୱାର ଷ୍ଟାର୍ ପୁନୀତଙ୍କ ମୃତ୍ୟୁ କନ୍ନଡ ଫିଲ୍ମ ଇଣ୍ଡଷ୍ଟ୍ରୀ ପାଇଁ ବହୁତ ବଡ଼ କ୍ଷତି ଥିଲା।
ସୂଚନା ଥାଉକି, କର୍ଣ୍ଣାଟକ ରତ୍ନ ପୁରସ୍କାର ରାଜ୍ୟର ସର୍ବୋଚ୍ଚ ନାଗରିକ ସମ୍ମାନ। ପୁନୀତ ରାଜକୁମାର ୧୦ ନମ୍ବର କର୍ଣ୍ଣାଟକ ନାଗରିକ ଭାବେ ଏହି ସମ୍ମାନ ପାଇବେ। ପୂର୍ବରୁ ୯ ଜଣଙ୍କୁ ଏହି ସମ୍ମାନ ମିଳି ସାରିଛି।