କିଟି କୀଟି ଅନ୍ଧାରରେ ବ୍ଲକ୍ ମୁଖ୍ୟାଳୟ : ବାରମ୍ବାର ଖବର ପ୍ରସାର ପରେ ମଧ୍ୟ କାହାରି ନଜରରେ ନାହିଁ I

ନୂତନ ଷ୍ଟ୍ରିଟ ଲାଇଟ୍ ସ୍ଥାପନ ପାଇଁ ଅଞ୍ଚଳ ବାସୀଙ୍କ ଦାବୀ l

ଥୁଆମୂଳ ରାମପୁର,୨୧I୦୭-(ଦୁର୍ଗା କୀର୍ତ୍ତି):- ଅନ୍ଧାରରେ କିଟି କୀଟି ବ୍ଲକ୍ ମୁଖ୍ୟାଳୟ l କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକ ସଦର ମହକୁମା ଠାରେ ଡିଏମ୍ଏଫ୍ ଗ୍ରାଣ୍ତରୁ ଗତ ୨୦୧୭ ଆର୍ଥିକ ବର୍ଷାରେ ୧୭,୯୨.୭୮୦ ଟଙ୍କା ଖର୍ଚ୍ଚରେ ସୋଲାର ଷ୍ଟ୍ରିଟ ଲାଇଟ୍ ତହସିଲ କାର୍ଯ୍ଯାଳୟ ଠାରୁ ଆରମ୍ଭ କରି ମାଁ ମାଣିକେଶ୍ଵରୀ ମନ୍ଦିର ବଜାର ପଡିଆ ପର୍ଯ୍ୟନ୍ତ ଲଗାଯାଇଥିବା ସୋଲାର ଷ୍ଟ୍ରିଟ ଲାଇଟ୍ ଗୁଡାକ ମାତ୍ର କିଛି ଦିନ ଆଲୋକିକରଣ କରି କିଛି ଦିନ ପରେ ଯାହା ଆଜି ପର୍ଯ୍ୟନ୍ତ ଦୀର୍ଘ ୭ ବର୍ଷ ହେବ ଅଚଳ ଅବସ୍ଥାରେ ପଡିରହିଛି ତଥାପି ନା ପ୍ରଶାସନର ନଜର ନା ସ୍ଥାନୀୟ ରାଜ ନେତାଙ୍କ ନଜର, କାହାରି ନଜର ମଧ୍ୟ ପଡ଼ି ନାହିଁ I ଯାହାଫଳରେ ଅନେକ ପଥ ଚାରୀଙ୍କ ଠାରୁ ଆରମ୍ଭ କରି ସ୍କୁଲ କଲେଜ ଛାତ୍ର ଛାତ୍ରୀ ଟିଉସନ୍ ଯିବା ଆସିବା ସମୟରେ ରାତ୍ରି ର କିଟି କୀଟିଅନ୍ଧାରରେ ବିଭିନ୍ନ ବିପଦର ସମ୍ମୁଖୀନ ହେବାକୁ ପଡୁଛି। ଏମିତିକି ବର୍ଷା ଦିନ ହେତୁ ଖାଲଖମାରେ ଭର୍ତ୍ତି କାଦୁଅ ସର ସର କିଛି ରାସ୍ତାରେ ଚଳାଚଳ ପ୍ରତି ବିପଦର ଆଶଙ୍କା ସାଙ୍ଗକୁ ଅନ୍ଧାର ରାସ୍ତାରେ ଗାଈଗୋରୁଙ୍କ ଚରା ଭୂଇଁ ମଧ୍ୟ ପାଲଟିଥିବା ଯୋଗୁଁ ଅନେକ ସମୟରେ ବାଇକ୍ ଚାଳକଙ୍କ ଠାରୁ ଆରମ୍ଭ କରି ବଡ଼ ବଡ଼ ଯାନ ବାହନ ଚଳାଚଳ ସମୟରେ ଅନେକ ଦୁର୍ଘଟଣାର ଶିକାର ହେବାର ଆଶଙ୍କା ଦେଖାଦେଉଛି l ବହୁ ଅର୍ଥ ବ୍ଯୟରେ ଯେଉଁ ଷ୍ଟ୍ରିଟ ଲାଇଟ୍ ଯୋଗାଣ ହୋଇଥିଲା ତାହା ଏବେ ସବୁ ଅର୍ଥ ପାଣିରେ ପଡ଼ିଲା ପରି ମନେହେଉଛି । କହିବାକୁ ଗଲେ ସରକାର୍ କା ମାଲ୍ ଦରିଆ ମେ ଡାଲ୍ ଭଳି ଘଟଣା ପରିଲକ୍ଷିତ ହେଉଛି। ଏହି ଘଟଣାକୁ ନେଇ ବିଭିନ୍ନ ଗଣମାଧ୍ୟମରେ ବାରମ୍ବାର ଖବର ପ୍ରସାରିତ କରାଯାଇଥିଲା। କିନ୍ତୁ ସ୍ଥାନୀୟ ପ୍ରଶାସନ କିମ୍ବା ସ୍ଥାନୀୟ ରାଜନେତାଙ୍କ ପକ୍ଷରୁ ଏହା ଉପରେ କୌଣସି ଦୃଷ୍ଟି ନ ଦେବା ଅତି ବିଡମ୍ବନାର ବିଷୟ ହୋଇଥିବା ବେଳେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଉଛି l ବ୍ଲକ ମୁଖ୍ଯାଳୟ ଅବସ୍ଥା ଯଦି ଏପରି ତେବେ ଦୁର୍ଗମ ଅଞ୍ଚଳର ଅବସ୍ଥା ସହଜରେ ଅନୁମେୟ। ଯାହାକି ଏହାକୁ ଦୀପତଳ ଅନ୍ଧାର ବୋଲି କୁହାଯାଇଛି। ଲାଭଖୋର ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଏହି ଷ୍ଟ୍ରିଟ ଲାଇଟର ଏଅବସ୍ଥା ହୋଇଛି ବୋଲି ଅଭିଯୋଗ ମାନ କରୁଥିବା ବେଳେ ନୂତନ ଷ୍ଟ୍ରିଟ ଲାଇଟ୍ ସ୍ଥାପନ ପାଇଁ ଅଞ୍ଚଳ ବାସୀଙ୍କ ଦାବୀ ହେଉଛି l ଏହାକୁ ନେଇ ବିଡ଼ିଓ ଧ୍ରୁବ ଚରଣ ମୁଦୁଲିଙ୍କୁ ଆମ ପ୍ରତିନିଧି ବାରମ୍ବାର ଅବଗତ କରାଇଥିଲେ। ବିଡ଼ିଓ ଶ୍ରୀ ମୁଦୁଲି ଏନେଇ ଯଥାଶୀଘ୍ର ପଦକ୍ଷେପ ନେବାର ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ। ପରବର୍ତ୍ତୀ ସମୟରେ ବିଡ଼ିଓ ମଧ୍ୟ ନିଜ ପ୍ରତିଶ୍ରୁତି ପ୍ରତି ଅବହେଳା କରିବା ପରିତାପର ବିଷୟ l ଏସଂପର୍କରେ ପୁନଃବାର ବିଡ଼ିଓ ଙ୍କୁ ପଚାରିବାରୁ ବର୍ତ୍ତମାନ କୌଣସି ପାଣ୍ଠି ଆସି ନାହିଁ, ଆଗାମୀ ଦିନରେ ସେମିତି କିଛି ପାଣ୍ଠି ଆସେ ତେବେ ଆମେ ନୂତନ ଭାବରେ ଷ୍ଟ୍ରିଟ ଲାଇଟ୍ ସ୍ଥାପନ କରିବୁ ବୋଲି କହିଛନ୍ତି l ତେବେ ଦେଖିବାକୁ ବାକିରହିଲା ବର୍ତ୍ତମାନ୍ ର ଖବର ପ୍ରକାଶିତ ପରେ ପ୍ରଶାସନ ପକ୍ଷରୁ କି ଭଳି ପଦକ୍ଷେପ ଗ୍ରହଣ କରି ଷ୍ଟ୍ରିଟ ଲାଇଟ୍ ପୁନର୍ବାର ଜଳିବ ଲୋକେ ସୁବିଧା ପାଇବେ ସେହି ସମୟକୁ ହିଁ ଅପେକ୍ଷା ରହିଲା l