କେନ୍ଦୁଝର ଜିଲ୍ଲା,ଡମ୍ପର ଚଢ଼ାଇ ୨ ଜଣଙ୍କୁ ହତ୍ୟା !

କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଅନ୍ତର୍ଗତ ନଦୁଆ ଗାଁ ନିକଟରେ ରବିବାର ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ଜଣେ ବ୍ୟକ୍ତି ଡମ୍ପର ଚଢ଼ାଇ ଦୁଇଜଣଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଅଟକ ରଖି ତଦନ୍ତ ଚଳାଇଛି।ମୃତକ ଦ୍ୱୟ ହେଉଛନ୍ତି ଗାଁର ସଞ୍ଜୁଲତା ପଲେଇ ଓ ପାଣୁ ପୁଷ୍ଟି। ଘଟଣାସ୍ଥଳରେ ହିଁ ସେମାନଙ୍କର ମୃତ୍ୟୁ ଘଟିଥିଲା। ଅଭିଯୁକ୍ତର ନାଁ ଭଞ୍ଜ ପୃଷ୍ଟି। ପୂର୍ବ ଶତ୍ରୁତାରୁ ଭଞ୍ଜ ପୃଷ୍ଟି ଏଭଳି ଏକ ଘଟଣା ଘଟାଇଥିବା କୁହାଯାଉଛି |ସଞ୍ଜୁଲତାଙ୍କ ଦେଢ଼ଶୁର ବାବାଜୀ ପଲେଇ କହିଛନ୍ତି, ଭଞ୍ଜ ପୃଷ୍ଟି ଆମ ସଂପର୍କୀୟ। ସେ ଆମ ସାନ ମାମୁଙ୍କ ପୁଅ। ଆମେ ଛକରେ ଛିଡ଼ା ହୋଇଥିବା ବେଳେ ସେ ଗାଡ଼ି ଧରି ଆସିଥିଲା। ଗାଡ଼ିକୁ ଖଳାରେ ରଖିବା ପରେ ସେ ପାଟି କରି କହିଥିଲା ଯେ ଆଜି ସମସ୍ତଙ୍କୁ ମାରି ଦେବି।

ତା’ପରେ ସେ ଗାଡ଼ିକୁ ଚଢ଼ି ଯାଇଥିଲା। ପ୍ରଥମେ ସେ ମୋର ଏକ ସ୍କୁଟି ଉପରେ ଡମ୍ପର ଚଢ଼ାଇ ଦେଇଥିଲା। ତା’ପରେ ଆମ ମଝିଆଁ ମାମୁ ଭାଲୁ ପୃଷ୍ଟିଙ୍କ ଉପରେ ଗାଡ଼ି ମଡ଼ାଇ ଦେଇଥିଲେ। ତା’ ପରେ ସେ ମୋ ଭାଇବୋହୂ ସଞ୍ଜୁଲତା ପଲେଇଙ୍କ ଉପରେ ଡମ୍ପର ଚଢ଼ାଇ ଦେଇଥିଲେ। ଏତିକିରେ ସେ ଅଟକି ନଥିଲେ। ଘର ଉପରେ ବି ଗାଡ଼ି ଚଢ଼ାଇ ଦେଇଥିଲେ। କିଛି ଶତ୍ରୁତା ନାହିଁ। ସେ କାହିଁକି ମାରିଲା ଜଣାନାହିଁ। ଆଗରୁ ସେ କହିଆସୁଥିଲା ଯେ ସମସ୍ତଙ୍କୁ ମାରିଦେବି। ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁସାରେ, ପାଣ୍ଡୁ ଜୀବନ ବଞ୍ଚାଇବାକୁ ଦୌଡ଼ୁଥିବାବେଳେ ଅଭିଯୁକ୍ତ ଡମ୍ପରରେ ଗୋଡ଼ାଇ ଗୋଡ଼ାଇ ତାଙ୍କ ଉପରେ ଚଢ଼ାଇ ହତ୍ୟା କରିଥିଲା। ତେବେ ଅଭିଯୁକ୍ତକୁ ପୁଲିସ ଥାନାରେ ନେଇ ଅଟକ ରଖିଛି।