କେନ୍ଦେଇପଶିରେ ମା” ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ ।।

ପାଟଣା: (ବିଜୟ କୁମାର ମହାନ୍ତ) କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ କେନ୍ଦେଇପଶି ବସଷ୍ଟାଣ୍ଡସ୍ଥିତ ଲକ୍ଷ୍ମୀ ପୂଜା କମିଟି ଏବଂ ଗ୍ରାମ ବାସୀଙ୍କ ମିଳିତ ଆନୁକୂଲ୍ୟରେ ଗଜଲକ୍ଷ୍ମୀ ପୂଜା ଆରମ୍ଭ ହୋଇଛି। ବୁଧବାର ଆୟୋଜକ କମିଟିର ସଦସ୍ୟାମାନେ ହାଟବନ୍ଦ ପୋଖରୀରୁ ପୂଜାର୍ଚ୍ଚନା ପରେ ଜଳକଳସ ଧାରଣ କରି ଶୋଭାଯାତ୍ରାରେ ଆସି ପୂଜା ମଣ୍ଡପରେ କଳସ ସ୍ଥାପନ କରିଥିଲେ । ଏହାପରେ ଚକ୍ଷୁ ଦାନ, ଦେବୀ ନ୍ୟାସ, ମଣ୍ଡଳ ପୂଜା, କଳସ ପୂଜା, ସୂର୍ଯ୍ୟପୂଜା ଆଦି କର୍ମ ଅନୁଷ୍ଠିତ ହେବା ପରେ ଯଜ୍ଞକୁଣ୍ଡରେ ଅଗ୍ନି ସ୍ଥାପନ କରାଯାଇଥିଲା ।

ଏହି ଅବସରରେ ଗୁରୁବାର ଦିନ ଠାରୁ ଶନିବାର ପର୍ଯ୍ୟନ୍ତ ମହିଳା ବାଦୀପଲା ଅନୁଷ୍ଠିତ ହୋଇଛି। ଜଗତସିଂହପୁର ଜିଲ୍ଲା ରୁ ଆସିଥିବା ପ୍ରଥମେ ଗାୟିକା ଲକ୍ଷ୍ମୀପ୍ରିୟା ଦାଶ୍ ପାଲା ପରିବେଷଣ କରିଥିଲେ। ଦ୍ଵିତୀୟରେ ଯାଜପୁର ଜିଲ୍ଲା ରୁ ଆସିଥିବା ରାନୁପ୍ରଭା ବେହେରା ପାଲା ମଣ୍ଡପରେ ପାଲା ପରିବେଷଣ କରିଥିଲେ। ଶନିବାର ଯଜ୍ଞର ପୂର୍ଣ୍ଣାହୁତି ହେବା ସହିତ ବିସର୍ଜନ ଓ ରବିବାର ଭସାଣି ଉତ୍ସବ ଅନୁଷ୍ଠିତ ହେବ। ପୂଜକ ଭାଗରଥୀ ତ୍ରିପାଠୀ ଓ ସଂକଳ୍ପ ଲକ୍ଷ୍ମୀଧର ନାଏକ ସମସ୍ତ ପୂଜାନୀତି କର୍ତ୍ତା ରୂପେ ଯଜ୍ଞ ପରିଚାଳନା କରୁଛନ୍ତି। ମହିଳା ବାଦୀ ପାଲା ଦେଖିବାକୁ ପ୍ରତ୍ୟହ ସନ୍ଧ୍ୟାରେ ବହୁ ଭକ୍ତଙ୍କ ସମାଗମ ହେଉଛି। ରବିବାର ନିରାଡମ୍ବର ଭାବରେ ଭସାଣି ଉତ୍ସବ ଅନୁଷ୍ଠିତ ହେବ ବୋଲି ସୂଚନା ଦିଆଯାଇଛି।

କେନ୍ଦେଇପଶି ପଞ୍ଚାୟତ ଅଧିନ ପ୍ରତେକ ଗ୍ରାମରେ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ ହୋଇଥିବା ବେଳେ ଉତ୍ସବ ମୁଖର ହୋଇଉଠିଛି। କେଂଦେଇପଶି ମହାଲକ୍ଷ୍ମୀ ଛକ ଠାରେ ମହାଲକ୍ଷ୍ମୀ ପୂଜା କମିଟି ପକ୍ଷରୁ ଗଜଲକ୍ଷ୍ମୀ ପୂଜା ୫୪ ବର୍ଷରେ ପଦାର୍ପଣ କରିଛି । ସୁନ୍ଦର ସାଜସଜ୍ଜା ସହିତ ବେଶ ଆଡ଼ମ୍ବରପୂର୍ଣ୍ଣ ଭାବେ ସେଠାରେ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ ହେଉଛି । ବୁଧବାର ଜଳକଳସ ଯାତ୍ରା ଓ କଳସ ସ୍ଥାପନ ପରେ ଗୁରୁବାର ହୋମଯଜ୍ଞ ଆରମ୍ଭ ହୋଇ ସନ୍ଧ୍ୟାରେ ପୂର୍ଣ୍ଣାହୁତି ସମ୍ପନ୍ନ ହୋଇଥିଲା । ଗ୍ରାମ ବାସୀଙ୍କ ସହଯୋଗ ରେ ମହିଳା ମାନେ ସହଯୋଗ କରିଥିଲେ । ଆସନ୍ତା ରବିବାର ଦିନ ମା’ ଙ୍କର ଭସାଣି ଉତ୍ସବ ଅନୁଷ୍ଠିତ ହେବ । ଗୁରୁବାର ଠାରୁ ତିନିଦିନ ଧରି ମହିଳା ବାଦୀପଲା ପରିବେଷଣ ହେବ ବୋଲି ମହାଲକ୍ଷ୍ମୀ କମିଟି ପକ୍ଷରୁ ସୂଚନା ଦିଆଯାଇଛି।।