କେନ୍ଦ୍ରାପଡା ରାଜନଗର ଅଞ୍ଚଳର ଆଶା ଦିଦି ଶିବନୀଙ୍କୁ ମିଳିଲା ପ୍ରତିଶୃତି

ବାତ୍ୟା ‘ଦାନା’ ପାଇଁ ଭିନ୍ନକ୍ଷମ ମହିଳାଙ୍କୁ ପିଠିରେ ବୋହି ବାତ୍ୟା ଆଶ୍ରୟସ୍ଥଳକୁ ନେଇ ଚର୍ଚ୍ଚାରେ ଅଛନ୍ତି କେନ୍ଦ୍ରାପଡ଼ା ରାଜନଗର ଅଞ୍ଚଳର ଆଶାକର୍ମୀ ଶିବାନୀ ମଣ୍ଡଳ। ଶୁକ୍ରବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କ ସହ କଥା ହୋଇ ବାତ୍ୟା ସମୟରେ ସେ ଯେଉଁ ମାନବିକତାର ନିଦର୍ଶନ ଦେଖାଇଛନ୍ତି ତାକୁ ଧନ୍ୟବାଦ ଦେବା ସହ ପ୍ରଶଂସା କରିଛନ୍ତି।ଏହି ସମୟରେ ଆଶାକର୍ମୀ ମୋଟ ୭ଜଣ ବୟସ୍କ ଏବଂ ୨ ଜଣ ପ୍ରସୂତୀଙ୍କୁ ପିଠିରେ ବୋହି ଆଶ୍ରୟସ୍ଥଳକୁ ଆଣିଥିବା ସେ ଜାଣିବାକୁ ପାଇଥିଲେ। ତାଙ୍କର ଏଭଳି ସେବା ମନୋଭାବ ଲାଗି ତାଙ୍କୁ ପ୍ରଶଂସା କରିବା ସହ ସରକାରଙ୍କ ଏବଂ ସେ ବ୍ୟକ୍ତିଗତ ଭାବେ ଖୁସିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ମୁଖ୍ୟମନ୍ତ୍ରୀ ତାଙ୍କ ପରିବାରର ଭଲମନ୍ଦ ବିଷୟରେ ବୁଝିଥିଲେ ଏବଂ ତାଙ୍କର ଘର ନଥିବାରୁ ଟେଲିଫୋନ୍‌ ଯୋଗେ ରାଜନଗର ବିଡିଓଙ୍କୁ ତାଙ୍କୁ ତୁରନ୍ତ ଏକ ଘର ଯୋଗାଇ ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ବାତ୍ୟା ସମୟରେ ଅସହାୟ ଓ ବିପନ୍ନଙ୍କ ପାଇଁ ସାହାରା ସାଜିଥିଲେ ଆଶାକର୍ମୀ । ଏବେ ଶିବାନୀଙ୍କୁ ସାହା ହେଲେ ସରକାର । ମୁଖ୍ୟମନ୍ତ୍ରୀ ପ୍ରଶଂସା କରିବା ପରେ ଆଜି କେନ୍ଦ୍ରାପଡ଼ା ରାଜନଗରର ଆଶାକର୍ମୀ ଶିବାନୀ ମଣ୍ଡଳଙ୍କ ଘରେ ପହଞ୍ଚିଛି ପ୍ରଶାସନ । ବିଡିଓ ନିଜେ ଯାଇ ଶିବାନୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ୱାର୍କ ଅର୍ଡର ପ୍ରଦାନ କରିଛନ୍ତି ।