କେରଳରେ ଦାଦନ ଶ୍ରମିକଙ୍କ ମୃତ୍ୟୁ,ସମାଜ ସେବୀଙ୍କ ଉଦ୍ୟମରେ ଗାଁ କୁ ଫେରିଲା ମୃତ ଦେହ

ଥୁଆମୂଳ ରାମପୁର,୨୬|୧୧(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକରେ ପୁଣି ଜଣେ ଦାଦନ ଶ୍ରମିକଙ୍କ ମୃତ୍ୟୁ ନେଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ପରିବାର ପ୍ରତିପୋଷଣ ପାଇଁ ଯାଇଥିବା ବେଳେ ମାତ୍ର ୪ ମାସ ମଧ୍ୟରେ ଶବ ହୋଇ ଘରକୁ ଫେରିବା ନେଇ ସାଧାରଣରେ ଉଦବେଗ ପ୍ରକାଶ ପାଇଛି । ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ,କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ ଡୁମେରପଦର ପଞ୍ଚାୟତର ବଡଦେର୍ଲା ଗ୍ରାମର ଜୟ ମାଝୀ(୨୭) ପରିବାର ପ୍ରତିପୋଷଣ ପାଇଁ ଗତ ଜୁଲାଇ ମାସରେ କେରଳ ରାଜ୍ୟ ଅର୍ଣ୍ଣାକୁଲମ ଜିଲ୍ଲାର କାଲାଡି ଅଞ୍ଚଳକୁ ଦାଦନ ଖଟି ଯାଇଥିଲେ । ସେଠାକାର ମାଲିକ ଅଲ୍ଲୀଖାଁ ଙ୍କ କମ୍ପାନୀ ପ୍ରତିମା କ୍ରସରରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ । ଗତ ଅକ୍ଟୋବର୨୨ ତାରିଖରେ କାମ କରୁଥିବା ସମୟର ଦୁର୍ଭାଗ୍ୟ ବଶତଃ ଜୟ ମାଝୀ କ୍ରସରର ବେଲ୍ଟରେ ଖସି ପଡ଼ିଥିଲେ।ଘଟଣା ସ୍ଥଳରେ ଜୟ ଗୁରୁତର ହୋଇ ପଡିଯାଇଥିଲେ।ସଂକଟପନ୍ନ ଅବସ୍ଥାରେ ତାଙ୍କୁ ଆଙ୍ଗାମାଳି ଡାକ୍ତରଖାନାରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରିଥିଲେ।ଦୀର୍ଘ ଏକ ମାସ ଚିକିତ୍ସାଧୀନ ରହିଥିବା ବେଳେ ଶନିବାର ଜୟ ମାଝୀଙ୍କ ମୃତ୍ୟୁ ହୋଇଥିଲା । ଘରେ ଗର୍ଭବତୀ ସ୍ତ୍ରୀ, ଚାରିବର୍ଷର ଝିଅ ଓ ବୃଦ୍ଧା ମାଁ ନୁଆଇଁ ମାଝୀ ଅଛନ୍ତି।ବର୍ତ୍ତମାନ ସ୍ୱାମୀଙ୍କ ଦେହାନ୍ତ ପରେ ଜଣେ ଗର୍ଭବତୀ ସ୍ତ୍ରୀ ଉପରେ ପରିବାର ବୋଝ ପଡିଛି । ଜୟଙ୍କ ମୃତ୍ୟୁ ନେଇ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିବା ବେଳେ ପରିବାର ଲୋକେ ନିଶବ୍ଦ ହୋଇଛନ୍ତି ।କମ୍ପାନୀ କର୍ତୁପକ୍ଷ ଓ ଥୁଆମୂଳ ରାମପୁର ର କିଛି ସମାଜ ସେବୀ ଙ୍କ ପ୍ରଚେଷ୍ଟାରେ ଶବ ସୋମବାର ରାତି ଘରକୁ ପହଞ୍ଚିଥିବା ବେଳେ ମଙ୍ଗଳବାର ସକାଳେ ଗ୍ରାମ ଶ୍ମଶାନରେ ସେଶକ୍ରୀୟ ସମ୍ପନ୍ନ ହୋଇଛି l ବର୍ତ୍ତମାନ ରୋଜଗାରିଆ ପୁଅର ମୃତ୍ୟୁ ହେବାପରେ ଏବେ କିଏ ଏହି ଗରିବ ପରିବାରକୁ ଦାନା ଯୋଗାଇବ ସେ ନେଇ ଚିନ୍ତାରେ ପରିବାର ଲୋକେ।କଳାହାଣ୍ଡି ଜିଲ୍ଲା ଏବେ ଦାଦନର ହବ ପାଲଟିଛି । ଅସି ଦଶକରେ କଳାହାଣ୍ଡି ଜିଲ୍ଲାକୁ ଭୋକର ଭୁଗୋଳ ବୋଲି ଚିତ୍ରଣ କରାଯାଉଥିଲା, ବର୍ତ୍ତମାନ କଳାହାଣ୍ଡି ଏବେ ଦାଦନର ଗଡ଼ ଭାବେ ପରିଚିତ ହୋଇଛି । ଜିଲ୍ଲାର ୧୩ଟି ବ୍ଲକରୁ ପ୍ରତିଦିନ ଶହ ଶହ ଶିକ୍ଷିତ ବେରୋଜଗାର ବେକାରୀ ଯୁବକ ଯୁବତୀ ଅନ୍ୟ ରାଜ୍ୟକୁ ଦାଦନ ଶ୍ରମିକ ଭାବେ କାମ କରିବାକୁ ଯାଉଛନ୍ତି ଏବଂ ପ୍ରତିଦିନ ଦାଦନ ଶ୍ରମିକଙ୍କ ମୃତ୍ୟୁ ଖବର ଗଣମାଧ୍ୟମରେ ଶିରୋନାମ ପାଲଟିଛି । ପ୍ରତିଦିନ ହଜାର ହଜାର ଲୋକ ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି, ହେଲେ ପ୍ରଶାସନ ଓ ଶ୍ରମ ବିଭାଗ ନିଦାବିଷ୍ଣୁ ସାଜିଛନ୍ତି ।ରାଜନେତା ମାନେ ମଧ୍ୟ ତାଙ୍କ ଭାଷଣରେ ସରକାରୀ ଯୋଜନାର ଗୀତଗାଇ ଚାଲିଯାନ୍ତି ହେଲେ ବିଚରା ଗରିବ ଶ୍ରମିକ କିପରି ପରିବାର ପ୍ରତିପୋଷଣ କରିବ ସେ ଦିଗରେ ଟିକେ ବି ଧ୍ୟାନ ତାଙ୍କର ନ ଥାଏ ।ସତରେ କଣ କଳାହାଣ୍ଡି ଦାଦନ ରାକ୍ଷସରୁ ମୁକ୍ତ ହବ ନା ପ୍ରତିଦିନ ଦାଦନ ଶ୍ରମିକ ନିର୍ଯାତିତା ହେବା ସହ ପ୍ରତିଦିନ ଦାଦନ ଶ୍ରମିକଙ୍କ ଶବ ଗାଁକୁ ଫେରିବ ଏବେ ଏହା ଏକ ଅସମାହିତ ପ୍ରଶ୍ନ ହୋଇ ରହି ଯାଉଛି ।