କୋଟିଆରେ ରଥଯାତ୍ରା । ସୀମାନ୍ତରୁ ଏକାଠି ରଥ ଟାଣିଲେ ଶାସକ-ବିରୋଧୀ ।

କୋଟିଆରେ ରଥଯାତ୍ରା । ସୀମାନ୍ତରୁ ଏକାଠି ରଥ ଟାଣିଲେ ଶାସକ-ବିରୋଧୀ ।ଏଥିରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓଙ୍କ ସମେତ ରାଜସ୍ବ ଓ ବିପର୍ଯ୍ୟସ୍ତ ମନ୍ତ୍ରୀ ସୁରେଶ ପୂଜାରୀ, ବାଣିଜ୍ୟ ପରିବହନ ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା, ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ, କ୍ଷୁଦ୍ର ଉଦ୍ୟୋଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, କୋରାପୁଟ ଏମ୍‌ପି ସପ୍ତଗିରି ଉଲକା, ପଟ୍ଟାଙ୍ଗି ବିଧାୟକ ରାମଚନ୍ଦ୍ର କାଡାମ୍‌, କୋରାପୁଟ ବିଧାୟକ ରଘୁରାମ ମାଛ, ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି, ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉଁନ୍ତା, କୋଟପାଡ଼ ବିଧାୟକ ରୁପୁ ଭତ୍ରା, ମାଲକାନଗିରି ବିଧାୟକ ନରସିଂହ ମାଡକାମୀ, ଜିଲାପାଳ ଭି.କୀର୍ତ୍ତି ୱାସନ ଓ ଜିଲା ଏସ୍‌ପି ରୋହିତ ଭର୍ମା ପ୍ରମୁଖ ଯୋଗଦେଇଥିଲେ। ଜଗନ୍ନାଥଙ୍କୁ ଦର୍ଶନ କରି ଛେରା ପହଁରା କରିଥିଲେ।ରଥ ଯାତ୍ରାରେ ସାମିଲ ହୋଇ ମନ୍ତ୍ରୀମାନେ ରଥ ଟାଣିବା କିଛି ନୂଆ କଥା ନୁହେଁ ।

କିନ୍ତୁ ବିବାଦୀୟ କୋଟିଆ ଅଞ୍ଚଳରେ ଏକା ସାଙ୍ଗରେ ରାଜ୍ୟ ସରକାରଙ୍କ ୫ଜଣ ମନ୍ତ୍ରୀଙ୍କ ସହ ବିରୋଧୀ ଦଳଙ୍କ ଏକତା ପଡ଼ୋଶୀ ରାଜ୍ୟକୁ ଦୃଢତାର ବାର୍ତ୍ତା ଦେଇଛି । ଅନେକ ସମୟରେ ଆନ୍ଧ୍ର ସରକାର ଏହି ଅଞ୍ଚଳକୁ ନିଜ ଦଖଲକୁ ନେବାକୁ ଚକ୍ରାନ୍ତ କରିଆସୁଛନ୍ତି । ଯାହାକୁ ସଫଳ ହେବାକୁ ଦିଆଯିବ ନାହିଁ, ଦଳମତ ନିର୍ବିଶେଷରେ କୋଟିଆ ପାଇଁ ସମସ୍ତେ ଏକ ହୋଇ ଲଢ଼ିବୁ ବୋଲି ନେତା, ମନ୍ତ୍ରୀ ମାନେ ଏକସ୍ବରରେ କହିଛନ୍ତି । ଯାହାକୁ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀଙ୍କ ପକ୍ଷରୁ ସ୍ବାଗତ କରାଯାଇଛି । ଉପମୁଖ୍ୟମନ୍ତ୍ରୀ ଓ ୪ଟି ମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଜିଲା ପୋଲିସ ବିଭାଗ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା। ଉପ ଆରକ୍ଷୀ ଅଧିକ୍ଷକ ମନୋବ୍ରତା ସତପଥୀ ଓ ସୁନାବେଡା ଏଡିପିଓ ସୁମିତ୍ରା ଜେନା ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଥିଲେ।