ଖୁବଶୀଘ୍ର ପୁରୀ ଆନନ୍ଦ ବଜାରରେ ଆସିବ ଶୃଙ୍ଖଳା ।

ଶ୍ରୀମନ୍ଦିର ଆନନ୍ଦବଜାରରେ ବଢ଼ିଗଲେଣି ଅନଧିକୃତ ବ୍ୟକ୍ତି। ନିୟନ୍ତ୍ରଣ ବାହାରକୁ ଗଲାଣି ଅଭଡ଼ା ଦର। ସୁପକାର ହଜାରେ ଟଙ୍କାରେ ମହାପ୍ରସାଦ ବିକିଲେ, ଦଲାଲ ପଶି ଏହାକୁ ୧୫ଶହ ଟଙ୍କାରେ ବିକ୍ରି କରୁଛନ୍ତି। ଭକ୍ତ ଶୋଷଣର ଶିକାର ହେଉଛନ୍ତି। ତେବେ ଖୁବଶୀଘ୍ର ପୁରୀ ଆନନ୍ଦ ବଜାରରେ ଆସିବ ଶୃଙ୍ଖଳା । ଦଲାଲ ମୁକ୍ତ ହେବ ଆନନ୍ଦ ବଜାର । ବିଶୃଙ୍ଖଳା କରୁଥିବା ବ୍ୟକ୍ତି ବିଶେଷଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସହ ଆଲୋଚନା ପରେ ସୁଆର ମହାସୁଆର ନିଯୋଗ ସଭାପତି ଓ ସମ୍ପାଦକ ସୂଚନା ପ୍ରଦାନ କରିଛି ।ନିଯୋଗ ସଭାପତି ପଦ୍ମନାଭ ମହାସୁଆର କହିଛନ୍ତି, ଆନନ୍ଦବଜାରରେ ଦଲାଲ ବହୁତ ବଢ଼ିଗଲେଣି।

ଯେଉଁମାନେ ଆମଠାରୁ ଗୋଟିଏ ଦରରେ ମହାପ୍ରସାଦ ନେଇ ଚଢ଼ା ଦରରେ ଭକ୍ତଙ୍କୁ ବିକ୍ରି କରୁଛନ୍ତି। ପୂର୍ବରୁ ଆମେ ଏକ ଦର ତାଲିକା ଶ୍ରୀମନ୍ଦିର ପ୍ରଶାସନକୁ ଦେଇଥିଲୁ। କିନ୍ତୁ ଇତିମଧ୍ୟରେ ଦରବୃଦ୍ଧି ଘଟିଛି। ଏଣୁ ଏହାକୁ ଦୃଷ୍ଟିରେ ରଖି ନୂଆ ଦର ତାଲିକା ପ୍ରସ୍ତୁତ କରିବାକୁ ପ୍ରସ୍ତାବ ଦେଇଛୁ। ଏଥିସହ ଗରିବ ଭକ୍ତଙ୍କ ପାଇଁ ମାଗଣା ମହାପ୍ରସାଦ ବଣ୍ଟନ ବ୍ୟବସ୍ଥା କରିବାକୁ ପ୍ରସ୍ତାବ ରଖିଛୁ ବୋଲି ଶ୍ରୀ ମହାସୁଆର କହିଛନ୍ତି।