ଗଦର୍-୨ରେ ଓଡ଼ିଆ ପୁଅଙ୍କ କମାଲ

ବଲିଉଡ ଚଳଚ୍ଚିତ୍ର ‘ଗଦର-୨’ରେ ଫଲି ରେକର୍ଡିଷ୍ଟ ଭାବେ ପ୍ରସିଦ୍ଧି ଲାଭ କରିଛନ୍ତି ଓଡ଼ିଆ ପୁଅ ତଥା କନ୍ଧମାଳ ଜିଲା ଦାରିଙ୍ଗବାଡ଼ିର ବରୁଣ ମାଲବିଶୋଇ। ନିକଟରେ ରିଲିଜ ହୋଇଥିଲା ଫିଲ୍ମ ଗଦରର ସଫଳତା ପଛରେ ରହିଛି ତାଙ୍କ ହାତ । ଅଭିନୟ ସିନା କରିନାହାଁନ୍ତି, ଅଭିନୟ ପଛରେ ପ୍ରତିଟି ଶବ୍ଦ ତାଙ୍କର । ସନ୍ନି ଦେଓଲଙ୍କ ଚାଲିବା, ଦୌଡ଼ିବା, କାସିବା ନିଃଶ୍ୱାସ ପ୍ରଶ୍ୱାସ ନେବା ।

ଏମିତିକି ସେ ବ୍ୟବହାର କରୁଥିବା ଯନ୍ତ୍ର ବା ବସ୍ତୁ ।ସେ ଓଡ଼ିଆ ଫିଲ୍ମ ‘ଦମନ’ ସମେତ ବହୁ ଭାଷାରେ ମଧ୍ୟ ଫଲି ରେକର୍ଡିଷ୍ଟ ଭାବେ କାର୍ଯ୍ୟକରି ଖ୍ୟାତି ଅର୍ଜନ କରିଛନ୍ତି। ସ୍ବର୍ଗତ ଶ୍ରୀବତ୍ସ ମାଲବିଶୋଇଙ୍କ ତୃତୀୟ ପୁତ୍ର ବରୁଣ ୧୯୯୬ରେ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ବେଳେ ତାଙ୍କ ପିତାଙ୍କର ମୃତ୍ୟୁ ହୋଇଥିଲା। ପିତାଙ୍କଠାରୁ ଦରଜି କାମ ଶିଖି ପରିବାର ପୋଷୁଥିଲେ।

୨୦୦୦ ମସିହାରେ ଦଶମ ଶ୍ରେଣୀରେ ପଢ଼ୁଥିବା ବେଳେ ଅଧାରୁ ପାଠ ଛାଡ଼ି ଦେଇଥିଲେ। ନିଜ ପାଖରେ ରଖିଥିବା ୪୦୦ ଟଙ୍କା ଏବଂ ବନ୍ଧୁଙ୍କଠାରୁ ୫୦୦ ଟଙ୍କା କରଜ କରି ନିଜ ସ୍ବପ୍ନକୁ ପୂରଣ କରିବାକୁ ୨୦୦୨ ଜାନୁୟାରୀ ପହିଲାରେ ମୁମ୍ବାଇ ଯାତ୍ରା କରିଥିଲେ। ପ୍ରଥମେ ସେ ନଟରାଜ ଷ୍ଟୁଡିଓରେ ପହଞ୍ଚିଥିଲେ ସୁଦ୍ଧା ତାଙ୍କୁ ସେଠାରେ କିଛି କାମଧନ୍ଦା ମିଳି ନ ଥିଲା। ସେଠାକାର ଜଣେ ରାତ୍ରି ଜଗୁଆଳି ତାଙ୍କୁ ସେଠାରେ କ୍ୟାଣ୍ଟିନ ବୟ କାର୍ଯ୍ୟରେ ନିଯୁକ୍ତି କରାଇଥିଲେ। ପରେ ଆରାଧନା ଷ୍ଟୁଡ଼ିଓରେ ଅଫିସ୍ ବୟ ଆରମ୍ଭ କଲେ କାମ । ୨୦୦୫ରେ ଫଲି ଆର୍ଟିଷ୍ଟ ସହିତ ଅନ୍ୟ ଚାରୋଟି ବିଭାଗରେ କାମ ଶିଖି ୨୦୦୭ରେ ମିଳିଥିଲା ସୁଯୋଗ । ସେବେଠୁ ଆଉ ପଛକୁ ନଫେରି ଆଜି ଚଢିଚାଲିଥାନ୍ତି ସଫଳତାର ଶିଢୀ । ଆଉ ତାଙ୍କର ଏହି ସଫଳତାକୁ ନେଇ ଓଡ଼ିଶା ନୁହେଁ ସାରା ଦେଶରେ ଚର୍ଚ୍ଚା ।