ଘରୋଇ ଉପଭୋକ୍ତା ଗ୍ୟାସ୍ ମୂଲ୍ୟ ଲୋକଙ୍କୁ ଝଟକା ଦେବ

ଏବେ ଘରୋଇ ଉପଭୋକ୍ତା ଗ୍ୟାସ୍ ମୂଲ୍ୟ ଲୋକଙ୍କୁ ଝଟକା ଦେବ। କ୍ରମାଗତ କ୍ଷତିକୁ ଦେଖି ତୈଳ କମ୍ପାନୀମାନେ ୫ଟି ରାଜ୍ୟରେ ହେଉଥିବା ବିଧାନସଭା ନିର୍ବାଚନ ପରେ ଏଲପିଜି ମୂଲ୍ୟ ମଧ୍ୟ ବୃଦ୍ଧି କରିବେ ବୋଲି ଜଣାପଡିଛି। ଋଷିଆ ଓ ୟୁକ୍ରେନ ଯୁଦ୍ଧ ପରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟବୃଦ୍ଧି ଦୃଷ୍ଟିରୁ ତୈଳ କମ୍ପାନୀମାନେ କମର୍ସିଆଲ ଗ୍ୟାସ୍‌ ସିଲିଣ୍ଡର ପରେ ଏଲିପିଜି ଗ୍ୟାସ ସିଲିଣ୍ଡର ଦର ବୃଦ୍ଧି କରିପାରନ୍ତି ବୋଲି ଏବେ ଅନୁମାନ କରାଯାଉଛି।

କମର୍ସିଆଲ ଗ୍ୟାସ ସହ ଛୋଟ ଗ୍ୟାସ ସିଲିଣ୍ଡର ମୂଲ୍ୟ ମଧ୍ୟ ବଢିଥିଲା। ଛୋଟ ମୂଲ୍ୟରେ ୨୭ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ହୋଇଥିବା ବେଳେ ୧ ମାର୍ଚ୍ଚରୁ କମର୍ସିଆଲ ଗ୍ୟାସ ସିଲିଣ୍ଡର ପିଛା ଅଧିକ ୧୦୫ଟଙ୍କା ଦେବାକୁ ପଡୁଛି। ଏଣୁ ସେହି ଅନୁସାରେ ୧୪ କେଜିର ଏଲପିଜି ପାଇଁ ଏବେ ନୂଆ ଦର ନିର୍ଦ୍ଧାରିତ ହୋଇପାରେ ବୋଲି କୁହାଯାଉଛି। ତେବେ ବର୍ତ୍ତମାନ ବଜାରରେ ଘରୋଇ ଉପଭୋକ୍ତା ଗ୍ୟାସ୍ ମୂଲ୍ୟ ଅପରିବର୍ତ୍ତିତ ରହିଛି। ଗତ ୬ ଅକ୍ଟୋବର ୨୦୨୧ରୁ ଦେଶର ଘରୋଇ ଉପଭୋକ୍ତା ଗ୍ୟାସ ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇ ନାହିଁ।