ଜେଲ ଗଲେ ‘ବିଚାରପତି’,ଓକିଲ ଚଳେଇଥିଲେ ନକଲି କୋର୍ଟ

ଦୀର୍ଘ ୫ ବର୍ଷ ଧରି ଘରେ କୋର୍ଟ ଚଳାଇଥିବା ଜଣେ ଓକିଲକୁ ଗିରଫ କରିଛି ପୁଲିସ। ଏଭଳି ଏକ ଅଜବ ଘଟଣା ସାମ୍ନାକୁ ଆସିଛି ଗୁଜରାଟର ଗାନ୍ଧୀନଗରରୁ। ୫ ବର୍ଷ ଧରି ନକଲି ଅଦାଲତ ଚଳାଉଥିବା ଜଣେ ବ୍ୟକ୍ତିଙ୍କୁ ପୋଲିସ ମଙ୍ଗଳବାର ଗିରଫ କରିଛି। ଗାନ୍ଧୀନଗରରେ ରହୁଥିବା ମୋରିସ୍‌ ସାମୁଏଲ ଖ୍ରୀଷ୍ଟିଆନ ନାମକ ଅଭିଯୁକ୍ତ ନିଜ କାର୍ଯ୍ୟାଳୟରେ ନକଲି କୋର୍ଟ ସ୍ଥାପନ କରି ବିଭିନ୍ନ ଜମି ସମ୍ବନ୍ଧୀୟ ମାମଲାର ଶୁଣାଣି କରୁଥିଲେ। ଜଜ୍‌ ଭାବେ ନିଜକୁ ପରିଚୟ ଦେଇ ଲୋକଙ୍କୁ ଧୋକା ଦେଉଥିବା ଅଭିଯୋଗରେ ପୋଲିସ ମଙ୍ଗଳବାର ମୋରିସ୍‌ଙ୍କୁ ଗିରଫ କରିଛି। ସେ ଗାନ୍ଧୀନଗରସ୍ଥିତ ନିଜ କାର୍ଯ୍ୟାଳୟରେ ପ୍ରକୃତ ଅଦାଲତ ପରି ମାହୋଲ ସୃଷ୍ଟି କରିବା ସହ ନିଜକୁ ଜଜ୍‌ ଭାବେ ଦର୍ଶାଇ ଆଦେଶ ପାରିତ କରୁଥିଲେ।ଯେଉଁ ଲୋକମାନଙ୍କର ଜମିଜମା ସମ୍ବନ୍ଧୀୟ ମାମଲା ସହରର ସିଭିଲ କୋର୍ଟରେ ପଡ଼ି ରହିଥିଲା, ସେହିମାନଙ୍କୁ ଟାର୍ଗେଟ କରି ମୋରିସ ଫସାଉଥିଲା ବୋଲି ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି। ଏଭଳି ଲୋକଙ୍କୁ ସେ ଗାନ୍ଧୀନଗରସ୍ଥିତ କାର୍ଯ୍ୟାଳୟକୁ ଡକାଉଥିଲା, ଯାହାକୁ ସେ ଏକ ଅଦାଲତ ପରି ସଜାଇଥିଲା।

ସେ ନିଜ ମହକିଲମାନଙ୍କୁ ସେମାନଙ୍କର ପଡ଼ି ରହିଥିବା ଜମିଜମା ସମ୍ବନ୍ଧୀୟ ମାମଲାର ସମାଧାନ କରିବାର ଆଶା ଦେଖାଇ ତାଙ୍କଠାରୁ ମୋଟା ଅଙ୍କର ଟଙ୍କା ମଧ୍ୟ ନେଉଥିଲା। କେବଳ ସେତିକି ନୁହେଁ, ସେ ଟ୍ରିବ୍ୟୁନାଲ ଅଧିକାରୀ ଭଳି ଆଦେଶ ମଧ୍ୟ ପାରିତ କରୁଥିଲା। ନିଜର ନକଲି ଅଦାଲତକୁ ଅସଲି ଅଦାଲତର ରୂପ ଦେବା ପାଇଁ ସେ ନିଜର ସହଯୋଗୀମାନଙ୍କୁ ଅଦାଲତର କର୍ମଚାରୀ ଏବଂ ଓକିଲ ରୂପରେ ବସାଉଥିଲା।ଏହି ଉପାୟରେ ମୋରିସ୍‌ ୧୧ରୁ ଅଧିକ ବିବାଦୀୟ ଜମି ମାମଲାରେ ନିଜ ସପକ୍ଷରେ ଆଦେଶ ପାରିତ କରିଥିବା ପୋଲିସ ସୂଚନା ଦେଇଛି। ସୂଚନାଯୋଗ୍ୟ, ୨୦୧୯ର ଏକ ବିବାଦୀୟ ଜମି ସମ୍ବନ୍ଧୀୟ ମାମଲାରେ ମୋରିସ୍‌ ଏକ ୧୦୦ ଏକର ସରକାରୀ ଜାଗାକୁ ନିଜ ନାମରେ କରିବା ପାଇଁ ଆଦେଶ ପାରିତ କରିଥିଲେ। ପୋଲିସ ଉକ୍ତ ମାମଲାରେ ହୋଇଥିବା ଅଭିଯୋଗକୁ ଆଧାର କରି ତଦନ୍ତ ଚଳାଇଛି।