ଟ୍ରେନ୍‌ରେ ବାଣ ନେଲେ ୩ ବର୍ଷ ଜେଲ ହେବ

ଦୀପାବଳି ପାଖେଇ ଆସୁଥିବାରୁ ବାଣଜନିତ ସମ୍ଭାବ୍ୟା ବିପଦକୁ ଏଡାଇବା ଲାଗି ପୂର୍ବତଟ ରେଳପଥ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ଟ୍ରେନରେ କୌଣସି ପ୍ରକାରର ଆତସବାଜି ଓ ଫୋଟକା ପରିବହନ ଉପରେ କଟକଣା କରିଛି। ଯଦି ନଜରକୁ ଆସେ ତେବେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରେଳବାଇ ପକ୍ଷରୁ କୁହାଯାଇଛି ।ପୂର୍ବତଟ ରେଳ ପଥ ଅଧୀନରେ ଚଳାଚଳ କରୁଥିବା ଟ୍ରେନଗୁଡିକରେ ଦହନଶୀଳ ଆତସବାଜି ସାମଗ୍ରୀର ବେଆଇନ ପରିବହନ ବିରୁଦ୍ଧରେ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିଛି ପୂର୍ବତଟ ରେଳାପଥ । ବିଶେଷକରି ଯାତ୍ରୀଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଉଦ୍ୟମକୁ ଜୋରଦାର କରାଯାଇଛି । ତେବେ ଏନେଇ ପୂର୍ବତଟ ରେଳପଥ ପକ୍ଷରୁ କୁହାଯାଇଛି , “ଯାତ୍ରୀ ପରିବହନ କରୁଥିବା ଟ୍ରେନରେ ଆତସବାଜି ବାଣ, ଫୋଟକା, ଗ୍ୟାସ ସିଲିଣ୍ଡର, ଏସିଡ୍‌, ପେଟ୍ରୋଲ, କିରୋସିନ ଏବଂ ଦହନଶୀଳ ସାମଗ୍ରୀ ପରିବହନ କରିବା ରେଳବାଇ ଅଧିନିୟମ, ୧୯୮୯ ଅନୁଯାୟୀ ଏକ ଦଣ୍ଡନୀୟ ଅପରାଧ। ଧରାପଡ଼ିଲେ ୩ ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ ହୋଇପାରେ ।’ ଏ ସଂକ୍ରାନ୍ତ ନିୟମ ଉଲ୍ଲଂଘନ ହେଉଥିବା ନଜରକୁ ଆସିଲେ ରେଳ ସୁରକ୍ଷା ବଳ (ଆର୍‌ପିଏଫ) କର୍ମଚାରୀ, ସରକାରୀ ରେଳ ପୋଲିସ, ଟିଟିଇ, କୋଚ୍‌ ସେବକ ଓ ଷ୍ଟେଶନ ପରିଚାଳକଙ୍କ ସମେତ ଅନ୍‌ବୋର୍ଡ କର୍ମଚାରୀଙ୍କୁ ସୂଚନା ଦେବାପାଇଁ ପରାମର୍ଶ ଦିଆଯାଇଛି। ଏଥିସହ ରେଳପଥର ହେଲ୍ପ ଲାଇନ ନଂ.୧୩୯କୁ କଲ୍‌ କରି ଜଣାଇବାକୁ ଯାତ୍ରୀମାନଙ୍କୁ ଅନୁରୋଧ କରାଯାଇଛି।