ତଳଝାପୀ ଠାରେ ସ୍ବାସ୍ଥ୍ୟ ଶିବିର ସହ ସାନିଟାରୀ ନାପକିନ ବଣ୍ଟନ I
ଥୁଆମୂଳ ରାମପୁର,୦୮/୧୨-(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ସଦର ସ୍ଥିତ ତଳଝାପୀ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ଓ କର୍ତ୍ତବ୍ୟ ଅନୁଷ୍ଠାନ ତରଫରୁ କିଶୋର କିଶୋରୀ ମାନଙ୍କ ପାଇଁ ସୋମବାର ସ୍ବାସ୍ଥ୍ୟ ଶିବିର ଆୟୋଜନ ହୋଇଯାଇଛି । ଉକ୍ତ ଶିବିରରେ ପି.ଏଚ୍.ଓ ଡ଼ଃ ପ୍ରଦ୍ୟୁସ କୁମାର ପଣ୍ଡା ଓ ପି.ଏଚ୍.ଇ.ଓ ମମତା ସାହୁ, ଏମ.ପି.ଏଚ.ଏସ ପିତାମ୍ବର ବାଗ, ସି.ଏଚ୍.ଓ ରେବାନନ୍ଦ୍ ଶବର ସ୍ବାସ୍ଥ୍ୟ କର୍ମୀ ମାଳତୀ ହେମ୍ରମ ପ୍ରମୁଖ ସ୍ବାସ୍ଥ୍ୟ ଶିବିରରେ ଯୋଗଦେଇ କିଶୋର କିଶୋରୀ ମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ । ଏଥିରେ କିଶୋର କିଶୋରୀ ମାନଙ୍କ ହେମୋ ଗ୍ଲୋବିନ, ଶିକିଲ ସେଲ ପରୀକ୍ଷା କରାଇବା ସହିତ ଟିଟାନାସ ଇଞ୍ଜେକସନ ମଧ୍ୟ ଦିଆଯାଇଥିଲା । ଏହି ଶିବିରରେ ବିସମଗିରି, ତଳଝାପୀ, ନିକେଶଜୋର୍, ମସ୍କାଗୁଡା, ଉପରଝାପୀ ଓ ଲାଞ୍ଜିଗଡ ଗ୍ରାମର ଶତାଧିକ କିଶୋର କିଶୋରୀ ନିଜର ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ । ଶିବିରରେ ସ୍ବାସ୍ଥ୍ୟ ପରୀକ୍ଷା ସହିତ ନିଜ ସ୍ବାସ୍ଥ୍ୟର ଯତ୍ନ କିଭଳି ନେବେ ଓ ରକ୍ତ ବଢ଼ାଇବା ପାଇଁ କେଉଁ କେଉଁ ଖାଦ୍ୟ ଖାଇବା ଆବଶ୍ୟକ ତାହା ଉପରେ ମଧ୍ୟ ବାର୍ତ୍ତା ଦିଆଯାଇଥିଲା । ଶେଷରେ ସମସ୍ତ କିଶୋରୀ ବାଳିକା ମାନଙ୍କୁ ଅନୁଷ୍ଠାନ ତରଫରୁ ସାନିଟାରୀ ନାପକିନ ମଧ୍ୟ ବଣ୍ଟନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମକୁ କର୍ତ୍ତବ୍ୟ ଅନୁଷ୍ଠାନ ର ପ୍ରୋଜେକ୍ଟ ମ୍ୟାନେଜର ସନ୍ତୋଷ କୁମାର ଦାସଙ୍କ ନେତୃତ୍ୱରେ ଆୟୋଜନ କରାଯାଇଥିବା ବେଳେ ପ୍ରକଳ୍ପ ସଂଯୋଜକ ସୁଦର୍ଶନ ନାଏକ ତଥା ଅନୁଷ୍ଠାନର କର୍ମକର୍ତ୍ତା ସଦନ ନାଏକ, ଗଙ୍ଗା ମାଝୀ, ସସ୍ମିତା ନାଏକ, ସାନୁ ମାଝୀ ପ୍ରମୁଖ ସହଯୋଗ କରିଥିଲେ ।