ଥୁଆମୂଳ ରାମପୁର : ଆଜି ପ୍ରାଚୀନ ତନ୍ତ୍ର ପୀଠରେ ପ୍ରସିଦ୍ଧ ଝାମୁଯାତ୍ରା ବା ବାଲିଯାତ୍ରା l

ଚଳଚଞ୍ଚଳ ହୋଇପଡିଛି ଭୈରବ ଦେବଙ୍କ ପ୍ରମୁଖ ପୀଠ l

ଥୁଆମୂଳ ରାମପୁର ୧୧/୦୯-(ଦୁର୍ଗା କୀର୍ତ୍ତି):- ଉତ୍ସବ ମୁଖର ହୋଇଉଠିଛି ଥୁଆମୂଳ ରାମପୁର ଅଞ୍ଚଳ l ହଜାର ହଜାର ଭକ୍ତଙ୍କ ଗହଣରେ ଅଗ୍ନି ପରୀକ୍ଷା ଦେଇ ସମସ୍ତଙ୍କୁ ଦର୍ଶନ ଦେବେ ବାବା ଅଗ୍ନି ଭୈରବ ଦେବ l କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ୍ ର ବୋହୂ ପୁରାତନ ରଜା ରାଜୁଡ଼ା ଅମଳର ପ୍ରାଚୀନ ତନ୍ତ୍ର ମନ୍ତ୍ର ର ଭୈରବ ପୀଠରେ ଆଜି ବାଲିଯାତ୍ରା ବା ଝାମୁଯାତ୍ରା l ଏହି ପୀଠରେ ସମ୍ପୂର୍ଣ୍ଣ ଗୁପ୍ତ ପଦ୍ଧତିରେ ପୂଜା ହେଉଥିବା ବେଳେ ଶୁକ୍ରବାର ଅନୁଷ୍ଠିତ ହେବାକୁ ଯାଉଛି ପବିତ୍ର ଝାମୁଯାତ୍ରା ବା ବାଲିଯାତ୍ରା ପର୍ବ l

ଏହି ପରିପ୍ରେକ୍ଷୀରେ ସକାଳୁ ସକାଳୁ ମନ୍ଦିରର ରୀତି ନୀତି ଅନୁଯାୟୀ ଗୁପ୍ତ ପୂଜା ସହ ସନ୍ଧ୍ୟା ୪ଟା ସମୟରେ ଶ୍ରୀ ଶ୍ରୀ ଶ୍ରୀ ମାଁ ମାଣିକେଶ୍ଵରୀ ଦେବୀ ଏବଂ ବାବା ଶ୍ରୀ ଶ୍ରୀ ଶ୍ରୀ ଭୈରବ ଦେବ କଣ୍ଟା ଦୋଳି ଝୁଲଣା ଓ କଣ୍ଟା ଗାଦିଆରେ ବସି ସାନ୍ଧ୍ୟ ୪.୩୦ ରେ ଅଗ୍ନି ପରୀକ୍ଷା ଦେବେ l ପରମ୍ପରା ଅନୁସାରେ ଗତ ଭାଦ୍ରବ ମାସ ଶୁକ୍ଳପକ୍ଷ ଦ୍ଵାଦଶୀ ତିଥିରେ ବାଲି ଯାତ୍ରା ପାଇଁ ବାଲି ସଂଗ୍ରହ ବା ବାଲି କଢ଼ା ଯାଇଥିବା ବେଳେ ସୋମବାର ଏହାର ଦ୍ୱିତୀୟ ପର୍ବ ଗାଦିଆ ବସା ଅନୁଷ୍ଠିତ ହୋଇଥିଲା l ଗତ ୯ ଦିନ ଧରି ଭୈରବ ଦେବଙ୍କ ପୂଜାର୍ଚ୍ଚନା ହୋଇ ଆଶ୍ୱିନ ମାସ କୃଷ୍ଣ ପକ୍ଷ ପଞ୍ଚମୀ ଗତେ ଷଷ୍ଠୀ ତିଥିରେ ଝାମୁଯାତ୍ରା ଅନୁଷ୍ଠିତ ହେବ। ଏହି ସମୟରେ ଶତାଧିକ ଭକ୍ତଙ୍କ ଭିଡ଼ ମଧ୍ୟ ମନ୍ଦିରରେ ଦେଖିବାକୁ ମିଳିଥାଏ l ମାନସିକ ଧାରି ଯିଏ ଯାହା ମାନସିକ କରିଥାଏ ସେନେଇ ମାଁ ଓ ବାବାଙ୍କ ପାଖରେ ଶରଣ ନେଇ ଜଣାଇଥାନ୍ତି ଓ ତାଙ୍କର ମନସ୍କାମନା ମଧ୍ୟ ପୁରାଣ ହୋଇଥାଏ ବୋଲି ବିଶ୍ୱାସ ରହିଛି l ଏବଂ
ଭକ୍ତଙ୍କ ସମସ୍ତ ପ୍ରକାର ଗୁହାରି ଶୁଣନ୍ତି ବୋଲି ମଧ୍ୟ ବିଶ୍ଵାସ ରହିଛି l
ମୁଖ୍ୟ ପୂଜକ ତାପସ କୁମାର ରାୟଗୁରୁଙ୍କ ଦ୍ବାରା ପୂଜାର୍ଚ୍ଚନା ପରେ ପ୍ରାତଃ ସମୟରେ ଝାମୁଯାତ୍ରାର ପ୍ରଥମ ପର୍ଯ୍ୟାୟରେ କାଠ ଗୁଡ଼ିକୁ ଅଗ୍ନି ସଂଯୋଗ ପାଇଁ ପୂଜାର୍ଚ୍ଚନା ସହ ଅଗ୍ନି ସଂଯୋଗ କରାଯିବାର ବିଧି ରହିଛି। ଅପରାହ୍ନରେ ଭୈରବ ପୂଜକ ଜୁବକ ଲାଲ ପରିଚ୍ଛାଙ୍କୁ ଭୈରବ ଦେବଙ୍କ କାଳଶି ଲାଗି ହେବାପରେ ସହର ପରିକ୍ରମା ସାରି ପୂଜକ ଶରତ ଚନ୍ଦ୍ର ପୁଝାରୀଙ୍କୁ ମା’ ମାଣିକେଶ୍ଵରୀଙ୍କ କାଳଶି ଲାଗି ହେବ । ଦୁହେଁ କଣ୍ଟା ଗାଦିଆରେ ବସି କଣ୍ଟାଦୋଳି ଝୁଲି ଶେଷରେ ଅଗ୍ନି ଭୈରବଙ୍କ କାଳଶି ହୁତୁ ହୂତୁ ନିଆଁରେ ଚାଲି ଭକ୍ତଙ୍କୁ ଦର୍ଶନ ଦେବେ । ତେବେ ରାତ୍ର ସମୟରେ ଭକ୍ତଙ୍କ ମନୋରଞ୍ଜନ ସକାଶେ ଜିଲ୍ଲା ସ୍ତରୀୟ ଘୁମୁରା ପ୍ରତିଯୋଗିତା ସହ ଏକ ଗୀତିନାଟ୍ୟ କାର୍ଯ୍ୟକ୍ରମ ପୁଜାକମିଟି ପକ୍ଷରୁ ଆୟୋଜନ କରାଯାଇଛି l