ଦିଲ୍ଲୀର ବିସ୍ଫୋରଣ ଘଟଣା: ସନ୍ଦିଗ୍ଧ ବ୍ୟକ୍ତିକୁ ନେଇ ଆରମ୍ଭ ହୋଇଛି ତଦନ୍ତ
ଉମର ପେଶାରେ ଜଣେ ଡାକ୍ତର ଥିଲେ। ସମ୍ପ୍ରତି ଦେଶର ବିଭିନ୍ନ ସ୍ଥାନରେ ଅନେକ ଡାକ୍ତରଙ୍କୁ ଅଟକ ରଖାଯାଇଥିଲା, ସେମାନଙ୍କଠାରୁ ଅସ୍ତ୍ରଶସ୍ତ୍ର ଏବଂ ବିସ୍ଫୋରକ ଜବତ କରାଯାଇଥିଲା। କୁହାଯାଉଛି ଯେ, ଉମର ଏହି ମଡ୍ୟୁଲ ସହିତ ଜଡିତ ଥିଲେ।ଉମରଙ୍କ ଭଉଣୀ ପ୍ରକାଶ କରିଛନ୍ତି, ସେ ଶୁକ୍ରବାର ଉମରଙ୍କ ସହ କଥା ହୋଇଥିଲେ। ଏହି ସମୟରେ, ସେ ତାଙ୍କ ମା’ଙ୍କୁ କହିଥିଲେ, ତାଙ୍କୁ ଅଧିକ ଫୋନ କରି ହଇରାଣ ନ କରନ୍ତୁ। ସେ ଲାଇବ୍ରେରୀରେ ବ୍ୟସ୍ତ ଥିଲେ। ଏହି ସମୟରେ, ପୋଲିସ ଉମରଙ୍କ ମାଆ ଏବଂ ଭାଇଙ୍କୁ ମଧ୍ୟ ଅଟକ ରଖିଛି। ପଚରାଉଚରା ସମୟରେ ଆହୁରି ଅନେକ ଖୁଲାସା ହୋଇପାରେ।ଘଟଣାସ୍ଥଳରୁ ଉଦ୍ଧାର ହୋଇଥିବା କାରରେ ମିଳିଥିବା ମୃତଦେହର ଡିଏନଏ ପରୀକ୍ଷା ପୋଲିସ କରିବ, ଯାହା ଦ୍ୱାରା କାରରେ ଥିବା ବ୍ୟକ୍ତି ଅଭିଯୁକ୍ତ ଆତଙ୍କବାଦୀ ଡାକ୍ତର ଉମର ମହମ୍ମଦ କି ନାହିଁ ତାହା ନିଶ୍ଚିତ ହେବ । ଗୁଇନ୍ଦା ସଂସ୍ଥା ସନ୍ଦେହ କରୁଛି ଯେ ଡାକ୍ତର ଉମର ମହମ୍ମଦ କାର i-20 ଗାଡ଼ି ଚଳାଉଥିଲା । ଯାହାର ସିସିଟିଭି ଭିଜୁଆଲରେ ସେ କଳା ମାସ୍କ ପିନ୍ଧିଥିବା ଦେଖାଯାଇଛି ।ଲାଲକିଲ୍ଲା ମେଟ୍ରୋ ଷ୍ଟେସନର ୧ ନମ୍ବର ଗେଟ ନିକଟରେ ହୋଇଥିଲା ଜୋରଦାର ବିସ୍ଫୋରଣ । ମିଳିଥିବା ସୂଚନା ଅନୁସାରେ ପ୍ରାୟ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ଖବର ରହିଛି । ୨୦ରୁ ଅଧିକ ଆହତ ହୋଇଛନ୍ତି । ଆହତମାନଙ୍କୁ ବିଭିନ୍ନ ମେଡିକାଲରେ ଭର୍ତ୍ତି କରାଯାଇଛି । ବିସ୍ଫୋରଣ ପରେ ଆଖପାଖରେ ଥିବା କାର ଗୁଡ଼ିକ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ୫ରୁ ୬ଟି ଗାଡି ପୂରା ଛିନଛତ୍ର ହୋଇଥିବାବେଳେ ବିସ୍ଫୋରଣରେ ୨୩ ଗାଡି କ୍ଷତିଗ୍ରସ୍ତ ହୋଇଥିବା ଜଣାଯାଇଛି ।