ଦୀପାବଳିରୁ ରାଜ୍ୟରେ ଥଣ୍ଡା ଅନୁଭୂତ ହେବ ।

ଏତେବେଳକୁ ଶୀତ ପଡିବା କଥା, ହେଲେ ଶୀତ ଅନୁଭୂତ ହୋଇନାହିଁ। ବାତ୍ୟା ‘ଦାନା’ ପ୍ରଭାବ ଯୋଗୁଁ ୨୩ ତାରିଖରୁ ପାଗ ମେଘୁଆ ଥିବାବେଳେ ମଙ୍ଗଳବାର ସ୍ବାଭାବିକ ହୋଇଛି। ଅକ୍ଟୋବର ୩୧ରୁ ରାତି ତାପମାତ୍ରା କମିବା ଦ୍ବାରା ଶୀତ ଅନୁଭୂତ ହେବ। ଗୁରୁବାର ପଶ୍ଚିମ-ଉତ୍ତର ପଶ୍ଚିମ ଓଡ଼ିଶାରେ ମେଘୁଆ ପାଗ ସହିତ ହାଲୁକା ବର୍ଷା ସମ୍ଭାବନା ଅଛି। ଗୁରୁବାରଠାରୁ ସୋମବାର ଭିତରେ ରାତି ତାପମାତ୍ରା ୩ ଡିଗ୍ରୀ କମିପାରେ । ଦକ୍ଷିଣ ଆଭ୍ୟନ୍ତରୀଣରେ ଗୁରୁବାର ରାତିରୁ ପରବର୍ତ୍ତୀ ୩ ଦିନ ମଧ୍ୟରେ ରାତି ତାପମାତ୍ରା ପ୍ରାୟ ୪ ଡିଗ୍ରୀ କମିପାରେ । ଭୁବନେଶ୍ୱର ଉପକୂଳ ଅଞ୍ଚଳରେ ନଭେମ୍ବର ୧ରୁ ୫ ତାରିଖ ଭିତରେ ସର୍ବନିମ୍ନ (ରାତି) ତାପମାତ୍ରା ପ୍ରାୟ ୨ ଡିଗ୍ରୀ ସେଲସିୟସ୍‌ କମିପାରେ । ଏଭଳି ପୂର୍ବାନୁମାନ କରିଛନ୍ତି କୃଷି ପାଣିପାଗ ବିଶାରଦ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ । ସେହିପରି ବୁଧବାର ରାଜଧାନୀ ଭୁବନେଶ୍ୱର ସମେତ କଟକ, ଭଦ୍ରକ, ଢେଙ୍କାନାଳ, ଯାଜପୁର, କେନ୍ଦୁଝର, ଅନୁଗୋଳ, ନୟାଗଡ଼, କନ୍ଧମାଳ, ଗଜପତି, ରାୟଗଡ଼ା, ନବରଙ୍ଗପୁର, ଦେବଗଡ଼, ଗଞ୍ଜାମ ଓ ମାଲକାନଗିରି ଜିଲାର କିଛି ସ୍ଥାନରେ କୁହୁଡ଼ି ପଡ଼ିବାର ସମ୍ଭାବନା ରହିଛି।