ଦୁଇ କାକା ଭାଇଙ୍କ ଟାଙ୍ଗିଆ ଚୋଟରେ ଆଉ ଏକ କାକା ଭାଇ ମୃତ୍ୟୁ

ଥୁଆମୂଳ ରାମପୁର,୧୯|୧୨(ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମପଞ୍ଚାୟତ ସ୍ଥିତ ଟେଭାକଲମ ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି l ଜଣେ ବିବାହିତ ଯୁବକକୁ ନୃଶଂସ ଭାବେ ହତ୍ୟା କରାଯାଇଥିବା ନେଇ ଥୁଆମୂଳ ରାମପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ମୃତକଙ୍କ ସ୍ତ୍ରୀ। ମିଳିଥିବା ସୂଚନା ମୁତାବକ ମୃତ ଯୁବକ ଜଣକ ହେଉଛନ୍ତି ଉକ୍ତ ଗ୍ରାମର ସୁନାଧର ମାଝୀଙ୍କ ବିବାହିତ ପୁଅ ପାନି ମାଝୀ(୪୫) ବୋଲି ଜଣାପଡିଛି।ବୁଧବାର ରାତିରେ ଶୋଇଥିବା ବେଳେ ଉକ୍ତ ଗ୍ରାମର କୁମୁଡା ମାଝୀଙ୍କ ଦୁଇ ପୁଅ ଲକ୍ଷ୍ମୀଧର ମାଝୀ(ଲାକୀ) ଏବଂ ସାରଥୀ ମାଝୀ ଉଭୟ ଦୁଇ ଭାଇ ପାନି ମାଝୀଙ୍କ ଘର ପାଖରେ ଯାଇ ଅଶାଳୀନ ଭାଷାରେ ଗାଳି ଗୁଲଜ କରିଥିଲେ। ଯେଉଁଥିରେ ପାନୀ ମାଝୀ ଉତ୍ୟକ୍ତ ହୋଇ ଘରୁ ବାହାରି ଥିଲେ।ଏହି ସମୟରେ ଦୁଇ ଭାଇ ଲକ୍ଷ୍ମୀଧର ଏବଂ ସାରଥୀ ପାନି ମାଝୀକୁ ଘର ନିକଟରୁ କିଛିଦୂର ଟାଣି ନେଇ ଟାଙ୍ଗିଆରେ ନୃଶଂସ ଭାବେ ହତ୍ୟା କରି ଚାଲିଯାଇଥିଲେ।ଗୁରୁବାର ସକାଳେ ମୃତ ପାନୀ ମାଝୀର ସ୍ତ୍ରୀ କୁନି ମାଝୀ ଏନେଇ ଥୁଆମୂଳ ରାମପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ପରେ ସାଇଣ୍ଟିଫିକ୍ ଟିମ୍ ସହିତ ଥୁଆମୂଳ ରାମପୁର ଥାନା ଅଧିକାରୀ କୈବଲ୍ୟ ସେଠ ଏବଂ ସବ୍ ଇନ୍ସପେକ୍ଟର ରଶ୍ମିରଞ୍ଜନ ବାଗ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।ପରେ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଯାଇଛି। ସବିଶେଷ ତଦନ୍ତରେ ବିଳମ୍ବ ଯୋଗୁଁ ସଂଧ୍ୟା ହେବା କାରଣରୁ ଶୁକ୍ରବାର ଶବ ବ୍ୟବଚ୍ଛେଦ ହେବ ବୋଲି ଜଣାପଡିଛି।ଏପଟେ ପ୍ରାଥମିକ ତଦନ୍ତ ରିପୋର୍ଟ ଅନୁସାରେ ଜମିବାଡ଼ି କଳହ ନେଇ ଏଭଳି ହତ୍ୟାକାଣ୍ଡ ଘଟିଛି ବୋଲି ପୋଲିସ ସୂତ୍ରରୁ ସୂଚନା ମିଳିଛି।ଏଠାରେ ସୂଚନାଯୋଗ୍ୟ ଯେ ମୃତକ ପାନି ମାଝୀଙ୍କ ବାପା ସୁନାଧର ମାଝୀ ଏବଂ ହତ୍ୟା ଅଭିଯୋଗର ଦୁଇ ଅଭିଯୁକ୍ତ ଲକ୍ଷ୍ମୀଧର ଏବଂ ସାରଥୀଙ୍କ ବାପା କୁମୁଡା ମାଝୀ ଉଭୟେ ଦୁଇ ଭାଇ ବୋଲି ଜଣାପଡିଛି।ବର୍ତ୍ତମାନ ଥୁଆମୂଳ ରାମପୁର ଥାନା କେସ୍ ନମ୍ବର ୧୦୪/୨୪ ରେ ତଦନ୍ତ ଜାରି ରଖିବା ସହିତ ଦୁଇ ଅଭିଯୁକ୍ତକୁ ପଚରାଉଚରା ପାଇଁ ଥାନାରେ ଅଟକ ରଖିଛି ପୋଲିସ।