ଦୁର୍ଗମ ଗ୍ରାମାଞ୍ଚଳର ବିକଳ ଚିତ୍ର, ରାସ୍ତା ସାଜୁଛି କାଳ !
ଥୁଆମୂଳ ରାମପୁର,୧୧/୧୦-(ଦୁର୍ଗା କୀର୍ତ୍ତି):- ଗୋଟିଏ ନୁହେଁ କି ଦୁଇଟି ନୁହେଁ ବାରମ୍ବାର ଏହି ବ୍ଲକ୍ ଠାରେ ଖଟିଆରେ ଏବଂ ଭାର ରେ ଗର୍ଭବତୀ ମହିଳା ବୁହା ହେବା ଘଟଣା ସାମ୍ନାକୁ ଆସିଥିବା ବେଳେ ପୁଣି ଏକ ଜନନୀ ଯନ୍ତ୍ରଣା ର ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ୍ ଅନ୍ତର୍ଗତ ଗୁଣୁପୁର ଗ୍ରାମପଞ୍ଚାୟତ ସ୍ଥିତ ମେର୍କାତାର ଗାଁ ଠାରେ l

ମେର୍କାତାର ଗ୍ରାମରୁ ୨.୫୦ କିଲୋମିଟର ଖଟିଆରେ ବୁହା ହେଲେ ଗର୍ଭବତୀ। ଗାଁ କୁ ଯିବା ପାଇଁ ରାସ୍ତା ନଥିବାରୁ ଅଧାରେ ଅଟକିଥିଲା ୧୦୮ ଆମ୍ବୁଲାନ୍ସ। ଗତ ଶୁକ୍ରବାର ଅପରାହ୍ନ ୧୧ଟା ସମୟରେ ଘଟିଛି ଏଭଳି ଘଟଣା l ମେର୍କାତାର ଗାଁର ଗୁଂସେନ୍ ମାଝୀ ଙ୍କ ସ୍ତ୍ରୀ ରଗ୍ନି ମାଝୀଙ୍କ ଗର୍ଭ ଯନ୍ତ୍ରଣା ହୋଇଥିଲା, ପରେ ପରିବାର ଲୋକ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ କିନ୍ତୁ ଆମ୍ବୁଲାନ୍ସ ଅଢେଇ କିଲୋମିଟର ଦୂର ମଦାଙ୍ଗଗୁଡ଼ା – ମେର୍କାତାର ମଝି ଘାଟି ରାସ୍ତାରେ ଅଟକି ରହିଥିଲା । କାରଣ ଗାଁ ପାଖ – ମଦାଙ୍ଗଗୁଡ଼ା ମଝି ରାସ୍ତା ଅତି ଶୋଚନୀୟ ଅବସ୍ଥାରେ ରହି ଅଛି, ଗତ ଅକ୍ଟୋବର ୨ ତାରିଖ ଦିନ ହୋଇଥିବା ବର୍ଷାରେ ରାସ୍ତା ଧୋଇ ଯାଇ ବଡ଼ ଗର୍ତ୍ତ ସୃଷ୍ଟି କରିଛି, ଫଳରେ ଗାଁ କୁ ଅଟୋ କିମ୍ବା ଅନ୍ୟ ବଡ଼ ଗାଡ଼ି ସବୁ ଯାଇ ପାରୁନାହିଁ l ଏଣୁ ପରିବାର ଲୋକେ ବାଧ୍ୟ ହୋଇ ଅଢେଇ କିଲୋମିଟର ରାସ୍ତା ଖଟିଆରେ ଆମ୍ବୁଲାନ୍ସ ନିକଟକୁ ବୋହି ନେଇଥିଲେ। ପରଵର୍ତ୍ତୀ ସମୟରେ ତାଙ୍କୁ ସାଇସୁରୁଣି ଉପ ସ୍ବାସ୍ଥ୍ୟ କେନ୍ଦ୍ର କୁ ନିଆଯାଇଥିବା ବେଳେ ସେଠାରେ ତାଙ୍କର ଏକ ଶିଶୁ କନ୍ୟା ସନ୍ତାନ ଜନ୍ମ ଲାଭ କରିଥିବା ବେଳେ ମାଁ ଓ ଶିଶୁ କନ୍ୟା ସୁସ୍ଥ ଥିବା ଜଣାପଡିଛି। ତେବେ ଏଭଳି ଦୁଃଖ କଷ୍ଟରେ ଆମେ ଜୀବନ ଯାପନ କରୁଛୁ ବୋଲି ଆମ ସାମ୍ବାଦିକଙ୍କ ଆଗରେ ଅଞ୍ଚଳବାସୀ କ୍ଷୋଭ ପ୍ରକାଶ କରିଥିବା ବେଳେ ମଦାଙ୍ଗଗୁଡ଼ା – ମେର୍କାତାର ର ଶୋଚନୀୟ ଅବସ୍ଥାରେ ଥିବା ରାସ୍ତା କୁ ତୁରନ୍ତ ମରାମତି କରିବା ସହ ଗର୍ତ୍ତ ସୃଷ୍ଟି ହୋଇଥିବା ସ୍ଥାନକୁ ଯୁଦ୍ଧ କାଳୀନ ସ୍ଥିତିରେ ସଜାଡ଼ନ୍ତୁ ବୋଲି ଜିଲ୍ଲା ତଥା ବ୍ଲକ୍ ପ୍ରଶାସନଙ୍କ ପାଖରେ ଅଞ୍ଚଳବାସୀ ଦାବୀ କରୁଛନ୍ତି l ତେବେ ବିଜେଡି ଶାସନର ଦୀର୍ଘ ବର୍ଷ ବିତିଯାଇଛି ତଥାପି ରାସ୍ତାଘାଟର ଉନ୍ନତି ହେଲା ନାହିଁ, ଏବେ ଡବଲ ଇଞ୍ଜିନ ସରକାର ଏହା ଉପରେ କି ଭଳି ପଦକ୍ଷେପ ନେଉଛନ୍ତି ତାହା ଏବେ ଦେଖିବାକୁ ବାକିରହିଲା।