ନଦୀରୁ ବାଲି କାଢିବା ବେଳେ ଭାସିଯାଇ ଜଣେ ମହିଳାଙ୍କ ମୃତ୍ୟୁ l

ଥୁଆମୂଳ ରାମପୁର,୧୪|୧୦(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ ଗୋପାଳପୁର ପଞ୍ଚାୟତର ଖମାରପଦର ନିକଟ ଇନ୍ଦ୍ରାବତୀ ନଦୀରେ ମଙ୍ଗଳବାର ବାଲି କାଢୁଥିବା ସମୟରେ ଜଣେ ବୟସ୍କା ମହିଳା ନଦୀର ପ୍ରଖର ସ୍ରୋତରେ ଭାସିଯାଇଥିବା ବେଳେ ତାଙ୍କର ମୃତ ଦେହ ଉଦ୍ଧାର ହୋଇଛି। ମୃତ ମହିଳା ଜଣକ ହେଉଛି ଖମାରପଦର ଗ୍ରାମର ନେତ୍ରା ମାଝୀଙ୍କ ସ୍ତ୍ରୀ ରୁକ୍ମଣୀ (୫୦) ବୋଲି ଜଣାପଡିଛି।ସୂଚନା ମୁତାବକ ଖମାରପଦର ଗ୍ରାମର କିଛି ମହିଳା ନଦୀରୁ ବାଲି କାଢି ତାକୁ ବିକ୍ରି କରି ଦି ପଇସା ପାଉଥିଲେ। ଯେଉଁଥିରେ ତାଙ୍କର ପରିବାର ପ୍ରତିପୋଷଣ କରୁଥିଲେ।ପୁର୍ବ ଦିନ ଗୁଡିକ ଭଳି ମଙ୍ଗଳବାର ମଧ୍ୟ ବାଲି କାଢିବାକୁ ଯାଇଥିଲେ ଏବଂ ଏଭଳି ଅଘଟଣର ଶିକାର ହୋଇଛନ୍ତି।ସୂଚନା ପାଇ ଥୁଆମୂଳ ରାମପୁର ଅଗ୍ନିଶମ ବିଭାଗର ହାବିଲଦାର ବନମାଳୀ ପୁଜାରୀଙ୍କ ନେତୃତ୍ୱରେ ଉଦ୍ଧାରକାରୀ ଦଳ ଘଟଣା ସ୍ଥଳରେ ପହଞ୍ଚି ନଦୀ ଗର୍ଭରେ ବୁଡିଯାଇଥିବା ରୁକ୍ମଣୀର ମୃତଦେହ ଉଦ୍ଧାର କରିଥିଲେ। ଘଟଣା ସ୍ଥଳରେ ଥୁଆମୂଳ ରାମପୁର ପୋଲିସ ପକ୍ଷରୁ ସବ୍ ଇନ୍ସପେକ୍ଟର ଭାସ୍କର ଖୋସ୍ଲା ପହଞ୍ଚି ତଦନ୍ତ ଆରମ୍ଭ କରି ଶବ ବ୍ୟବଚ୍ଛେଦ ପାଇଁ ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଛନ୍ତି। ଏନେଇ ଥୁଆମୂଳ ରାମପୁର ଥାନାରେ ୟୁଡି କେସ ନଂ ୭/୨୫ ରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ।