ନାଟକ ମାଧ୍ୟମରେ ସ୍କୁଲ ର ବିଭିନ୍ନ ସମସ୍ୟା ଗୁଡ଼ିକର ବିଷୟବସ୍ତୁକୁ ନେଇ ମଞ୍ଚରେ ଉପସ୍ଥାପନ କଲେ ଶିକ୍ଷକ ଏବଂ ଛାତ୍ର ଛାତ୍ରୀ l
ଥୁଆମୂଳ ରାମପୁର,୧୧/୦୧-(ଦୁର୍ଗା କୀର୍ତ୍ତି):- ବିଭିନ୍ନ ସମସ୍ୟା ଘେରରେ ବ୍ଲକ୍ ମୁଖ୍ୟାଳୟ ସ୍ଥିତ ସରକାରୀ ଉନ୍ନିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ। ବିଦ୍ଯାଳୟର ବିଭିନ୍ନ ସମସ୍ୟା ପ୍ରଶାସନ ସମାଧାନ କରିବା ପାଇଁ କଳାହାଣ୍ଡି ଘୁମୁରା ଉତ୍ସବ ମଞ୍ଚରେ ଏକ ସଚେତନତା ସୃଷ୍ଟି କରିବା ନେଇ ଏକ ନାଟକ ମାଧ୍ୟମରେ ଉପସ୍ଥାପନ କରିଥିବା ଦୃଷ୍ଟି ଗୋଚର ହୋଇଛି। ସ୍ଥାନୀୟ ଶିକ୍ଷକ, ଛାତ୍ରଛାତ୍ରୀ ଏବଂ ସ୍କୁଲ ପରିଚାଳନା କମିଟି ସଦସ୍ୟ ଏହି ନାଟକରେ ଭାଗନେଇ ସଚେତନ କରିଥିବା ଏକ ବିରଳ ଦୃଶ୍ୟ ଦେଖିବାକୁ ମିଳିଥିଲା l

ଏହା ଘଟଣା ଟି ହେଉଛି କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ୍ ସଦର ସ୍ଥିତ ବାବା ଖଣ୍ଡୁଆଲ ଖେଳ ପଡ଼ିଆରେ ଆୟୋଜିତ ୨୭ ତମ ବ୍ଲକ୍ ସ୍ତରୀୟ କଳାହାଣ୍ଡି ଘୁମୁରା ଉତ୍ସବ ୨୦୨୫ର ଉଦଯାପନୀ ଦିବସର ଘଟଣା। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ବିଡ଼ିଓ ଧ୍ରୁବ ଚରଣ ମୁଦୁଲି, ତହସିଲଦାର ନିରୋଜ୍ କୁମାର ଭତ୍ରା, ବ୍ଲକ୍ ଶିକ୍ଷାଧିକାରିଣୀ ପ୍ରଭାତୀ ନଳିନୀ ଠାକୁର, ବ୍ଲକ୍ ଅଧ୍ଯକ୍ଷ ଦୟାନିଧି ମାଝୀ, ଉପାଧ୍ୟକ୍ଷ ଜୟନ୍ତୀ ମାଝୀ ସମେତ ଅନ୍ଯାନ୍ଯ ଜିଲ୍ଲା ତଥା ବ୍ଲକ୍ ର ବିଭିନ୍ନ ବିଭାଗର ପଦାଧିକାରୀ ଏବଂ ଜନପ୍ରତିନିଧି ଯୋଗଦେଇଥିଲେ l ଏହି ଅବସରରେ ସ୍କୁଲର ପ୍ରଧାନ ଶିକ୍ଷକ ନାଗେଶ୍ଵର ନାଏକ, ଶିକ୍ଷକ ଅଜିତ୍ କୁମାର ଦୁର୍ଗା, ଶିକ୍ଷକ ଗୁଣେଶ୍ୱର ନାଏକ, ସମାଜସେବୀ ମାଣିକ୍ୟ ଚନ୍ଦ୍ର ନାଏକ, ସମାଜସେବୀ କୃଷ୍ଣ ଚନ୍ଦ୍ର ନାଏକ ଏବଂ ବିଦ୍ୟାଳୟର ଛାତ୍ରଛାତ୍ରୀ ଏକତ୍ରିତ ଭାବରେ ଏକ କ୍ଷୁଦ୍ର ନାଟକ ମାଧ୍ୟମରେ ସ୍କୁଲର ମୌଳିକ ସୁବିଧା ଉପରେ ସରକାର ତଥା ପ୍ରଶାସନଙ୍କ ପାଖରେ ଦୃଷ୍ଟି ଆକର୍ଷଣ କରିଥିଲେ, ଯାହା ବେଶ୍ ଆକର୍ଷଣୀୟ ଏବଂ ଲୋକ ପ୍ରିୟ ନାଟକ ହୋଇଥିଲା l

ଏଠାରେ ପ୍ରକାଶ ଥାଉ କି ଯେ, ଉକ୍ତ ବିଦ୍ୟାଳୟର ପରିଚାଳନା କମିଟି ଏବଂ ଅଭିଭାବକ ମିଶି ସ୍ଥାନୀୟ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ସମିତିସଭ୍ୟା, ବ୍ଲକ୍ ଶିକ୍ଷା ଅଧିକାରୀ ଏବଂ ବିଡ଼ିଓଙ୍କ ପାଖରେ ଉପସ୍ଥିତ ହୋଈ ଦୃଷ୍ଟି ଆକର୍ଷଣ ସ୍ୱରୂପ ଲିଖିତ ଏକ ଅଭିଯୋଗ ପତ୍ର ପ୍ରଦାନର ଦୀର୍ଘ ୨ବର୍ଷ ବିତିଯାଇଛି ତଥାପି ବିଦ୍ଯାଳୟ ର ଚିତ୍ର କିଛି ବଦଳି ପାରିଲାନାହିଁ l ସରକାରଙ୍କ ପକ୍ଷରୁ ଶିକ୍ଷାର ବିକାଶ କରିବା ନେଇ ଅନେକ ଯୋଜନା ପ୍ରସ୍ତୁତ କରୁଥିବା ବେଳେ ଛାତ୍ରଛାତ୍ରୀ ମାନେ ନିୟମିତ ସ୍କୁଲକୁ ଯାଇ ପାଠ ପଢିବେ ସେ ନେଇ ମଧ୍ୟ ଅନେକ ଯୋଜନା ପ୍ରସ୍ତୁତ ହେଉଛି । ସେହିଭଳି ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ଦାନ ନିମନ୍ତେ ବହିପତ୍ର ଠାରୁ ଆରମ୍ଭ କରି ପୋଷାକ, ଯୋତା ମଧ୍ଯ ଯୋଗାଇ ଦିଆଯାଉଛି। ଏଭଳି ସୁବିଧା ସୁଯୋଗ ଯୋଗାଇ ଦେଲେ କଣ ହେବ ଛାତ୍ରଛାତ୍ରୀ ମାନଙ୍କ ସୁରକ୍ଷା ଦୃଷ୍ଟିରୁ ପାଚେରୀ ନିର୍ମାଣ ଓ ସ୍ୱଚ୍ଛ ପାନୀୟ ଜଳ ସାଙ୍ଗକୁ ପିଲାଙ୍କ ମଧ୍ୟାହ୍ନ ଭୋଜନ ପାଇଁ ଉତ୍ତମ ସ୍ଥାନ କିମ୍ବା କୌଣସି କୋଠରୀ ନାହିଁ, ଯାହା ଫଳରେ ଛାତ୍ରଛାତ୍ରୀ ଏଣେ ତେଣେ ଅପରିଷ୍କାର ସ୍ଥାନ ମାନଙ୍କରେ ବସି ମଧ୍ୟାହ୍ନ ଭୋଜନ ଖାଇବା ଭଳି ଅଭାବନୀୟ ଘଟଣା କଣ ହୋଇଥାଇପାରେ। ଅପରପକ୍ଷରେ ବିଦ୍ଯାଳୟ ପରିସରରେ ଗାଈଗୋରୁ ଅବାଧରେ ପ୍ରବେଶ କରୁଛନ୍ତି ଯାହାକି ଗାଈଗୋରୁଙ୍କ ଚରାଭୂଇଁ ପାଲଟିଛି ବିଦ୍ଯାଳୟ। ପୁଣି ବିଦ୍ଯାଳୟ ସାମ୍ନାରେ ରହିଅଛି ଏକ ପୋଖରୀ। ବିଦ୍ଯାଳୟ ରେ କୁନିକୁନି ଛୁଆ ମାନେ ପାଠ ପଢିବା ପାଇଁ ସେହି ବିଦ୍ଯାଳୟ କୁ ଯାଉଥିବା ବେଳେ କେତେବେଳେ କଣ ଅଘଟଣ ଘଟିବାର ଆଶଙ୍କା ରହିଛିl ସେହିଭଳି ଅସାମାଜିକ ବ୍ଯକ୍ତିଙ୍କ ଆଡ୍ଡା ସ୍ଥଳୀ ପାଲଟିବାକୁ ବସିଲାଣି ଏହି ବିଦ୍ଯାଳୟ। ୧୮୯୧ ମସିହା ରେ ସ୍ଥାପିତ ଏହି ବିଦ୍ୟାଳୟ ବୋଲି ବିଦ୍ଯାଳୟ ର ପ୍ରଧାନ ଶିକ୍ଷକ ନାଗେଶ୍ଵର ନାଏକ ପ୍ରକାଶ କରିଛନ୍ତି l ବିଦ୍ୟାଳୟରେ ଅଧ୍ୟୟନ ରତ ୧୯୨ଜଣ ଛାତ୍ରଛାତ୍ରୀ ମାନଙ୍କର ସୁରକ୍ଷା ଦୃଷ୍ଟିରୁ ବିଦ୍ୟାଳୟର ପାଚେରୀ ନିର୍ମାଣ କାର୍ଯ୍ଯ ଓ ବିଦ୍ୟାଳୟର ପାରିପାର୍ଶ୍ବିକ ବିକାଶ ଦିଗରେ ପ୍ରଶାସନ ପକ୍ଷରୁ ଯଥାଶୀଘ୍ର ସମାଧାନ କରିବା ପାଇଁ ନାଟକ ମାଧ୍ୟମରେ ବିଡ଼ିଓ ଶ୍ରୀ ମୁଦୁଲି ଏବଂ ବ୍ଲକ୍ ଅଧ୍ଯକ୍ଷ ଶ୍ରୀ ମାଝୀ ଙ୍କୁ ମଞ୍ଚରେ ଡାକାଯାଇ ଅନୁରୋଧ କରିଥିଲେ କଳାକାର l ତେବେ ଦେଖିବାକୁ ବାକି ରହିଲା ଏଦିଗରେ ପ୍ରଶାସନ କେଉଁ ଭଳି ପଦକ୍ଷେପ ଗ୍ରହଣ କରୁଛନ୍ତି ତାହା ଏବେ ଦେଖିବାକୁ ବାକିରହିଲା।