ନିଲାମ ହେବ ଓଡ଼ିଶାର ୪୯ ଖଣି ! ଜାନୁଆରୀ ୩ ରେ ଚୂଡ଼ାନ୍ତ ନିଷ୍ପତ୍ତି

ଖଣି ନିଲାମ ପାଇଁ ବୈଠକ ଡ଼ାକିଲେ ରାଜ୍ୟ ସରକାର। ଜାନୁଆରୀ ୩ ତାରିଖରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ। ରାଜ୍ୟର ୪୯ ଖଣି ନିଲାମ ପାଇଁ ବାର୍ଷିକ ନିଲାମ କ୍ୟାଲେଣ୍ଡର ଚୂଡ଼ାନ୍ତ କରିବାକୁ ବୈଠକରେ ନିଆଯିବ ନିଷ୍ପତ୍ତି।ଉପସ୍ଥିତ ରହିବେ ଇସ୍ପାତ ଓ ଖଣି ବିଭାଗର ଅତିରିକ୍ତ ମୁଖ୍ୟ ସଚିବ । ଓଏମସି ଲିମିଟେଡ୍ ଏମଡି, ଖଣି ନିର୍ଦ୍ଦେଶକ, ଜିଏସଟି ଅଧିକାରୀ ଉପସ୍ଥିତ ରହିବେ । ମୟୂରଭଞ୍ଜ ଓ କେନ୍ଦୁଝରର ସୁନା ଖଣି ନିଲାମ ପାଇଁ ହୋଇପାରେ ନିଷ୍ପତ୍ତି । ଚୂଡାନ୍ତ ହେବ ୪୯ ଖଣି ନିଲାମ ପାଇଁ ବାର୍ଷିକ ନିଲାମ କ୍ୟାଲେଣ୍ଡର । ପ୍ରସ୍ତାବିତ ଖଣି ବ୍ଲକମାନଙ୍କର ଉପଯୁକ୍ତତା, ଅନୁସନ୍ଧାନ ସ୍ଥିତି, ନିଲାମ ପ୍ରସ୍ତୁତି ଯାଞ୍ଚ ହେବ । ତେବେ କେନ୍ଦୁଝରରେ ୧୬ଟି, ସୁନ୍ଦରଗଡ଼ରେ ୧୨ଟି ଏବଂ ରାୟଗଡ଼ାରେ ୫ ଟି, କଳାହାଣ୍ଡି ୪ ଟି, ମୟୂରଭଞ୍ଜ ୫ ଟି, ବଲାଙ୍ଗୀର ୩ ଟି, ନୟାଗଡ଼ ଗୋଟିଏ, ମାଲକାନଗିରିରେ ଗୋଟିଏ, ସମ୍ବଲପୁର ଗୋଟିଏ , ଦେବଗଡ଼ ଗୋଟିଏ, ବରଗଡ଼ ଗୋଟିଏ ଲେଖାଏଁ ଖଣି ନିଲାମ ପାଇଁ ପ୍ରସ୍ତାବ ରହିଛି । ପୂର୍ବରୁ ୧୦ଟି ଖଣିଜ ବ୍ଲକଗୁଡ଼ିକର ଅନଲାଇନ୍ ନିଲାମ ପାଇଁ ବିଜ୍ଞପ୍ତି ଜାରି କରିଥିଲେ ସରକାର । ଯେଉଁଥିରେ ସାତଟି ଲୁହାପଥର ବ୍ଲକ ଏବଂ ତିନୋଟି ଲୁହାପଥର ଏବଂ ମାଙ୍ଗାନିଜ ବ୍ଲକ ରହିଥିଲା ।