ପରଲୋକରେ ଟେଲି ଅଭିନେତ୍ରୀ ରାଜେଶ୍ୱରୀ । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ ।
ଆଉ ନାହାନ୍ତି ଟେଲି ଓଡିଆ ଅଭିନେତ୍ରୀ ରାଜେଶ୍ୱରୀ ରାୟ । ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲରେ ତାଙ୍କର ନିଧନ ହୋଇଛି । କ୍ୟାନସରରେ ପୀଡିତ ହୋଇ ଦୀର୍ଘ ଦିନ ହେବ ଚିକିତ୍ସାଧୀନ ଥିଲେ । ଏକାଧିକ ଓଡିଆ ଧାରାବାହିକରେ ଅଭିନୟ କରି ଅନେକ ପ୍ରଶଂସା ସାଉଁଟିଥିଲେ ।ତେବେ କ୍ୟାନସରରେ ପୀଡିତ ହେବା ପରେ ବି ସେ କେବେ ଭାଙ୍ଗିପଡିନଥିଲେ ।
କ୍ୟାନସର ସହ ଲଢି କ୍ୟାନସରକୁ ହରାଇବେ ବୋଲି ଅନେକ ସମୟରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଥିବା ଶୁଣିବାକୁ ମିଳିଥିଲା । କିନ୍ତୁ ଆଜି ସେ ଜୀବନ ଯୁଦ୍ଧରେ ହାରିଯାଇଛନ୍ତି ।ସୂଚନା ଅନୁଯାୟୀ, ଗତକାଲି ସେ ତାଙ୍କ ବାପାଙ୍କ ଘରକୁ ବାଲେଶ୍ୱର ଯାଇଥିଲେ । ସେଠାରେ ଅଚାନକ ଅସୁସ୍ଥ ହୋଇପଡିଥିଲେ । ସେଠାରୁ ତାଙ୍କୁ ଆଣି ସମ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।
କିନ୍ତୁ ଆଜି ସକାଳୁ ତାଙ୍କର ଦେହାନ୍ତ ହୋଇଛି । ରାଜେଶ୍ୱରୀଙ୍କ ଏପରି ଅଚାନକ ଚାଲିଯିବା ସମସ୍ତଙ୍କୁ ମର୍ମାହତ କରିଛି । ଓଲିଉଡରେ ଏବେ ଶୋକର ଛାୟା ଖେଳିଯାଇଛି । କେବଳ ଓଲିଉଡ୍ ନୁହେଁ ତାଙ୍କର ପ୍ରଶଂସକଙ୍କୁ ମଧ୍ୟ ଏକ ଝଟକା ଲାଗିଛି ।