ପୁଣି ଜନନୀ ଯନ୍ତ୍ରଣା : ଖଟିଆରେ ବୁହାହେଲେ ଗର୍ଭବତୀ ମହିଳା l
ଥୁଆମୂଳ ରାମପୁର,୦୫/୦୮-(ଦୁର୍ଗା କୀର୍ତ୍ତି):- ସ୍ୱାଧୀନତାର ୭୭ ବର୍ଷ ପରେ ମଧ୍ୟ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ର ଗର୍ଭବତୀ ମହିଳା ହସ୍ପିଟାଲ ଯିବାପାଇଁ ଆବଶ୍ୟକ ପଡୁଛି ଖଟିଆ। ଏଭଳି ଏକ ଘଟଣା ସାମ୍ନାକୁ ଆସି ପହଞ୍ଚିଛି ଦୁର୍ଗମ ଅଡ୍ରୀ ପଞ୍ଚାୟତ ସ୍ଥିତ କୋକେଲ ପଦର ଗାଁରେ l ଗାଁରେ ରାସ୍ତା ନଥିବାରୁ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ମିଳିଥିବା ସୂଚନା ଅନୁସାରେ ଗାଁର ଅର୍ଜୁନ ମାଝୀଙ୍କ ପତ୍ନୀ ଲକ୍ଷ୍ମୀ ମାଝୀ (୨୭)ଙ୍କୁ ସୋମବାର ପ୍ରସବ ଯନ୍ତ୍ରଣାରେ ଛଟପଟ ହେଉଥିବାବେଳେ ପରିବାର ଲୋକ ଉତ୍କଳ ନିକଟସ୍ଥ ଆଲୁମିନା ନାମକ କମ୍ପାନୀ ର ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ।

ହେଲେ ଗାଁକୁ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଗାଁକୁ ଆସିପାରିନାହିଁ ନିକଟସ୍ଥ ବଡ଼ବାଫଲା ଗ୍ରାମ ରେ ଜଗି ରହିଥିଲା ଫଳରେ ବାଧ୍ୟ ହୋଇ ଗାଁର କିଛି ଯୁବକ ପାଖାପାଖି ୫ କିଲୋମିଟର ରାସ୍ତା ତାଙ୍କୁ ଖଟିଆରେ ବୋହି ନେଇ ଆମ୍ବୁଲାନ୍ସ ପାଖରେ ପହଞ୍ଚାଇଥିଲେ ପରେ ଲକ୍ଷ୍ମୀଙ୍କୁ ଅଡ୍ରୀ ପ୍ରାଥମିକ ଚିକିତ୍ସାଳୟରେ ଭର୍ତି କରାଯାଇଥିବା ବେଳେ ତାଙ୍କୁ ଏକ ଶିଶୁ ପୁତ୍ର ଜନ୍ମ ହୋଇଥିବା ଜଣାପଡିଛି । ବର୍ତ୍ତମାନ୍ ମାଁ ଓ ଛୁଆ ଦୁହେଁ ସୁସ୍ଥଥିବା ସୂଚନା ଦେଇଛନ୍ତି ଅଡ୍ରିି ସ୍ବାସ୍ଥ୍ୟ କର୍ମୀ l ପ୍ରକାଶ ଥାଉକି ଗାଁକୁ ଭଲ ରାସ୍ତା ନିର୍ମାଣ ନେଇ ବାରମ୍ବାର ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି।

ହେଲେ ପ୍ରଶାସନ ସବୁଜାଣି ମଧ୍ୟ ନିଦାବିଷ୍ଣୁ ସାଜିଛି। ଏନେଇ ଅଡ୍ରୀ ସମିତି ସଭ୍ୟ ରାମ ମାଝୀଙ୍କ ପ୍ରତିକ୍ରିୟା ନେବାରୁ ସେ ଆମେ ସରକାରଙ୍କ ପାଖରେ ବାରମ୍ବାର ଅନୁରୋଧ କଲେ ସୁଦ୍ଧା କେହି ଶୁଣୁନାହାନ୍ତି ବୋଲି କହିବା ସହ କରିଛନ୍ତି କି ଏହି ରାସ୍ତା ନାରେଗ ଯୋଜନାରେ ଘାଟ କଟିଙ୍ଗ କରି ରାସ୍ତା ତିଆରି କରାଯାଇଥିଲା ,ବର୍ଷ ଋତୁହେତୁ ସବୁ ମାଟି ଧୋଇନେଉଛି ଏଣୁ ରାସ୍ତା ସବୁ ବେହାଲ ହେଉଛି ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ରାସ୍ତାର ସମାଧାନ କରାଯାଉ ବୋଲି କହିଛନ୍ତି l