ପୂର୍ଣ୍ଣାଙ୍ଗ ହୋଇପାରିନି ମାଣିକେଶ୍ବରୀଙ୍କ ଭବ୍ୟ ମନ୍ଦିର ନିର୍ମାଣ କାର୍ଯ୍ୟ,କେବେ ସମ୍ପୂର୍ଣ୍ଣ ହେବ ମନ୍ଦିର ? ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ

ଥୁଆମୂଳ ରାମପୁର,୧୪/୧୨-(ଦୁର୍ଗା କୀର୍ତ୍ତି):- ସରକାର ବଦଳିଲେ, ପ୍ରଶାସନ ଅଧିକାରୀ ବଦଳିଲେ, ସର୍ବୋପରି ୫ଟି ର ଅଧ୍ୟକ୍ଷ ଥିବା ଭିକେ ପଣ୍ଡିଆନ ମଧ୍ୟ ବଦଳିଯିବା ସହିତ ବର୍ତ୍ତମାନର ବିଜେପି ସରକାର ୫ଟି ଯୋଜନାକୁ ମଧ୍ୟ ବନ୍ଦ କରିଦେଲେ । ଧାର୍ଯ୍ୟ ସମୟ ସୀମା ଅବଧିରୁ ବର୍ଷେ ବିତି ସାରିଲାଣି ,ଠିକା ସଂସ୍ଥାର ମନମାନି ଯୋଗୁଁ ପୂର୍ଣ୍ଣାଙ୍ଗ ହେଇପାରିନି ମାଣିକେଶ୍ବରୀଙ୍କ ଭବ୍ୟ ମନ୍ଦିର ନିର୍ମାଣ କାର୍ଯ୍ୟ । ନା ସରକାର ନା ପ୍ରଶାସନ ର ତାଗିଦ, କେବେ ସମ୍ପୂର୍ଣ୍ଣ ହେବ ମନ୍ଦିର, ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି । ଗତ ନବୀନ ପଟ୍ଟନାୟକଙ୍କ ଶାସନ କାଳର ଶେଷ ଆଡକୁ ରାଜ୍ୟର ବିଭିନ୍ନ ପ୍ରମୁଖ ଧାର୍ମିକ ଅନୁଷ୍ଠାନ ତଥା ପୀଠ ମାନଙ୍କର ନବକଳେବର ସ୍ବରୂପ ରୂପାନ୍ତରିକରଣ ପାଇଁ ପ୍ରକଳ୍ପ ଗୁଡିକୁ ଅନୁଦାନ ଦିଆଯାଇଥିଲା।ଇତି ମଧ୍ୟରେ ଥୁଆମୂଳ ରାମପୁର ସ୍ଥିତ ବୋହୂ ପୁରାତନ ତନ୍ତ୍ର ମନ୍ତ୍ର ର ପୀଠ ମାଁ ମାଣିକେଶ୍ବରୀ ମନ୍ଦିରର ପରିକଳ୍ପିତ ନୂତନ ମନ୍ଦିର ନିର୍ମାଣ ପାଇଁ ମଧ୍ୟ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨ କୋଟି ଟଙ୍କା ଅନୁଦାନ ଦେଇଥିଲେ।ଯାହାକୁ ନେଇ ଥୁଆମୂଳ ରାମପୁର ବ୍ଲକ ସମେତ କଳାହାଣ୍ଡି ଜିଲ୍ଲା ବାସୀଙ୍କ ମନରେ ଖୁସିର ଲହରୀ ଖେଳିଯାଇଥିଲା।ପ୍ରକଳ୍ପ ନିର୍ମାଣ ପାଇଁ ଉମା ଶଙ୍କର ଶର୍ମା ନାମକ ଜନୈକ ଠିକାଦାର ଟେଣ୍ଡର ପାଇଥିଲେ।୧ କୋଟି ୬୦ ଲକ୍ଷ ଟଙ୍କାର ଏହି ପ୍ରକଳ୍ପ ଗତ ୫ ଡିସେମ୍ବର ୨୦୨୨ରେ ପୂଜାର୍ଚ୍ଚନା ସହ ଆନୁଷ୍ଠାନିକ ଭାବେ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା।

ଯାହାକି ଅକ୍ଟୋବର ୨୦୨୩ ସମୟ ଅବଧି ମଧ୍ୟରେ ସମ୍ପୂର୍ଣ୍ଣ କରିବା ପାଇଁ ଟେଣ୍ଡରରେ ଉଲ୍ଲେଖ ରହିଥିଲା।ଇତି ମଧ୍ୟରେ ଅଞ୍ଚଳର ବିଭିନ୍ନ ଯୁବ ଅନୁଷ୍ଠାନର ଯୁବକ ମାନେ ନିର୍ମାଣ କାର୍ଯ୍ୟ ରେ ମାଁଙ୍କ ପାଖରେ ଭକ୍ତି ଭାବନା ସହିତ ଶ୍ରମଦାନ କରିଥିବା ମଧ୍ୟ ଦେଖିବାକୁ ମିଳିଥିଲା।କିନ୍ତୁ ସମ୍ପୃକ୍ତ ଠିକାଦାର କେଉଁ କାରଣରୁ ମନ୍ଦିର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ବିଳମ୍ବ ପ୍ରଦର୍ଶନ କରିଛନ୍ତି ତାହା ସାଧାରଣରେ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଠିକାଦାରଙ୍କ ଅବହେଳା ଯୋଗୁଁ ନିର୍ଦ୍ଧାରିତ ସମୟକୁ ପ୍ରାୟ ଏକ ବର୍ଷରୁ ଉର୍ଦ୍ଧ୍ବ ସମୟ ବିତିସାରିଥିଲେ ମଧ୍ୟ ଆଜିଯାଏ ସମ୍ପୂର୍ଣ୍ଣ ହେବାରେ ବିଳମ୍ବ ଦେଖାଦେଇଛି। ଏମିତି କି ସୂଚନା ଫଳକ ମଧ୍ୟ ଲାଗି ନାହିଁ ଯେଉଁଥି ପାଇଁ ସ୍ଥାନୀୟ ଅଞ୍ଚଳ ବାସୀଙ୍କ ମନରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି।ପ୍ରକଳ୍ପ ତଦାରଖ କରୁଥିବା ବିଭାଗୀୟ ଯନ୍ତ୍ରୀଙ୍କୁ ଯେତେବେଳେ ପଚରାଗଲା ସେ ସମ୍ପୃକ୍ତ ଠିକା ସଂସ୍ଥାକୁ ଦାୟୀ କରିଥିବା ବେଳେ କାରଣ ଦର୍ଶାଅ ନୋଟିସ ଦେଇଥିବା ସୂଚନା ଦେଇଛନ୍ତି।ନହେଲେ ପରବର୍ତ୍ତୀ ସମୟରେ ଅବଶିଷ୍ଟାଂଶ କାମ ପାଇଁ ପୁନଃ ଟେଣ୍ଡର ହେବ ବୋଲି ପ୍ରକାଶ କରିଛନ୍ତି। ସେଇ ସମୟରେ ଉକ୍ତ ପ୍ରକଳ୍ପ ନିର୍ମାଣ ପାଇଁ ପ୍ରଶାସନିକ ସ୍ତରରେ ତତ୍ପରତା ଦେଖିବାକୁ ମିଳିଥିଲା। ଜିଲ୍ଲା ପ୍ରଶାସନ ମଧ୍ୟ ତଦାରଖ କରିବାକୁ ବାରମ୍ବାର ମନ୍ଦିର ପରିଦର୍ଶନ କରିବାକୁ ଆସୁଥିଲେ। ହେଲେ ସାଧାରଣ ନିର୍ବାଚନରେ ସରକାର ବଦଳିବା ପରେ ପ୍ରକଳ୍ପର ଭବିଷ୍ୟତ କ’ଣ ହେବ?ମୋହନ ମାଝୀ ସରକାର କେଉଁ ଭଳି ପଦକ୍ଷେପ ନେବେ ତାହା ଦେଖିବା ବାକି ରହିଲା।