ପ୍ରାଚୀନ ତନ୍ତ୍ରମନ୍ତ୍ର ର ଭୈରବ ପୀଠରେ ପ୍ରସିଦ୍ଧ ଝାମୁଯାତ୍ରା (ଭୋଦବାଲି) ଅନୁଷ୍ଠିତ l
କାଳିଶି ଲାଗିଲେ କଣ୍ଟା ଗାଦିଆ ଓ କଣ୍ଟା ଦୋଳିରେ ଝୁଲିଲେ ଶିବ ଶକ୍ତି I
ଥୁଆମୂଳ ରାମପୁର,୧୩/୦୯-(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ୍ ସଦର ସ୍ଥିତ ଶ୍ରୀ ଶ୍ରୀ ଭୈରବ ଦେବଙ୍କ ତନ୍ତ୍ର ମନ୍ତ୍ର ର ପୀଠ ଠାରେ ପ୍ରସିଦ୍ଧ ଝାମୁଯାତ୍ରା ବା ଭଦୋ ବାଲି ଶୁକ୍ରବାର ହଜାର ହଜାର ଶ୍ରଧାଳୁ ଓ ଭକ୍ତଙ୍କ ମହା ସମାରୋହରେ ଯଥା ରୀତି ନୀତି ଅନୁଷ୍ଠିତ ହୋଇଯାଇଛି l ଏହି ପ୍ରାଚୀନ ତନ୍ତ୍ର ପୀଠରେ ସମ୍ପୂର୍ଣ୍ଣ ଗୁପ୍ତ ପଦ୍ଧତିରେ ପୂଜାର୍ଚ୍ଚନା ହେଉଥିବା ବେଳେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଶୁକ୍ରବାର ମାଁ ମାଣିକେଶ୍ବରୀ ଙ୍କ ମନ୍ଦିର ପ୍ରାଙ୍ଗଣରେ ଥିବା ଶ୍ରୀ ଶ୍ରୀ ଭୈରବ ଦେବଙ୍କ ମନ୍ଦିରରେ ସକାଳୁ ସକାଳୁ ଗହଳ ଚହଳ ମଧ୍ୟରେ ପାରମ୍ପାରିକ ରୀତିନୀତି ଅନୁସାରେ ପୂଜାବିଧି କାର୍ଯ୍ଯ ଆରମ୍ଭ ହୋଇ ଅଗ୍ନି କୁଣ୍ତରେ ପୂର୍ବରୁ ପ୍ରସ୍ତୁତ କାଠରେ ଅଗ୍ନି ସଂଯୋଗ ହୋଇଥିଲା। ଶ୍ରୀ ଶ୍ରୀ ଭୈରବ ଦେବ ଓ ମାଁ ମାଣିକେଶ୍ବରୀ ଙ୍କ ପାଖରେ ଯଥାବିଧି ଅନୁସାରେ ପୂଜାର୍ଚ୍ଚନା କାର୍ଯ୍ଯରେ ହଜାର ହଜାର ଶ୍ରଧାଳୁ ଓ ଭକ୍ତମାନେ ମାଁ ଓ ବାବାଙ୍କୁ ଦର୍ଶନ କରିବା ସହ ମାନସିକ ଧାରି ଯିଏ ଯାହା ମାନସିକ କରିଥାଏ ସେନେଇ ମାଁ ଓ ବାବାଙ୍କ ପାଖରେ ଶରଣ ନେଇ ଜଣାଇଥାନ୍ତି ଓ ତାଙ୍କର ମନସ୍କାମନା ମଧ୍ୟ ପୁରାଣ ହୋଇଥାଏ ବୋଲି ବିଶ୍ୱାସ ରହିଛି l

ଏବଂ ଭକ୍ତଙ୍କ ସମସ୍ତ ପ୍ରକାର ଗୁହାରି ଶୁଣନ୍ତି ବୋଲି ମଧ୍ୟ ବିଶ୍ଵାସ ରହିଛି l ଭୈରବ ଦେବ ଓ ମାଁ ମାଣିକେଶ୍ବରୀଙ୍କ କାଳିସୀ ଲାଗିବା ପରେ ଉଭୟ ଦେବାଦେବୀ ଏକତ୍ରିତ ଭାବରେ ମନ୍ଦିରରୁ ବାହାରି ଶ୍ରଧାଳୁ ଓ ଭକ୍ତଙ୍କୁ ଦର୍ଶନ ଦେଇଥିଲେ। ଭୈରବ ଦେବଙ୍କ ସମସ୍ତ ରୀତିନୀତି ପୂଜାର୍ଚ୍ଚନା କାର୍ଯ୍ଯ ଶେଷ ହେବା ପରେ ନଗର ଭ୍ରମଣରେ ବାହାରିଥିଲେ। ପୂର୍ବରୁ କଣ୍ଟା ଦୋଳି ଓ ପୂର୍ଣ୍ଣଜଳ ଭରା ମାଟି ହାଣ୍ତି ଉପରେ କଣ୍ଟା ରଖାଯାଇ ଧାନ ପୁଞ୍ଜିରେ ସ୍ଥାପନ କରାଗଲା, ଏହା ପରେ ଭୈରବ ଦେବଙ୍କର ନଗର ପରିକ୍ରମା ପରବର୍ତ୍ତୀ ସମୟରେ ମାଁ ମାଣିକେଶ୍ବରୀ ଓ ବାବା ଭୈରବ ଦେବ କଣ୍ଟା ଦୋଳି ଓ ଗାଦିଆ ବସିବା କାର୍ଯ୍ଯ ଅନ୍ତେ ଶ୍ରୀ ଶ୍ରୀ ଭୈରବ ଦେବ ଅଗ୍ନି ଖଲାରେ ଥିବା ଅଗ୍ନିକୁଣ୍ତ ଅଭିମୁଖେ ବାହାରି ସେଠାରେ ଯଥାରୀତି ପୂଜାପରେ ଅଗ୍ନି କୁଣ୍ଡରେ ଶ୍ରୀ ଭୈରବ ଦେବ ପ୍ରବେଶ କରି ଅଗ୍ନିରେ ଚାଲିବା ଆରମ୍ଭ କରିଥିଲେ। ଏହି ଦୃଶ୍ଯ ଅତି ଭକ୍ତଭାବ, ଚମତ୍କାର ଓ ଶୋଭା ମଣ୍ତନ କରୁଥିଲା ସମସ୍ତ ଶ୍ରଧାଳୁ ଓ ଭକ୍ତ ଉପସ୍ଥିତ ରହି ଶ୍ରୀ ଶ୍ରୀ ଭୈରବ ଦେବ ସର୍ବ ସାଧାରଣଙ୍କୁ ଦର୍ଶନ ଦେଇ ଆର୍ଶୀବାଦ ପ୍ରଦାନ କରିଥାନ୍ତି । ଚଳିତ ବର୍ଷ ଯୁବକ ଲାଲ ପରିଛାଙ୍କ ଦେହରେ ଭୈରବ କାଳିଶି ଲାଗି ହୋଇଥିବା ବେଳେ ଶରତ ଚନ୍ଦ୍ର ପୁଝାରୀ ଙ୍କ ଦେହରେ ମାଁ ମାଣିକେଶ୍ଵରୀ ଦେବୀ କାଳିଶି ଲାଗିଥିଲେ l ରାତ୍ର ସମୟରେ ଭକ୍ତଙ୍କ ମନୋରଞ୍ଜନ ସକାଶେ ଆୟୋଜିତ ଜିଲ୍ଲା ସ୍ତରୀୟ ଘୁମୁରା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଏବଂ ଏଥିରେ କଦଳିମୁଣ୍ଡା ଘୁମୁରା ଦଳ ପ୍ରଥମ ହୋଇଥିବା ବେଳେ ବାନେର ଘୁମୁରା ଦଳ ଦ୍ୱିତୀୟ ଏବଂ ଘନ୍ତିଗୁଡ଼ା ଘୁମୁରା ଦଳ ତୃତୀୟ ସ୍ଥାନ ଅଧିକାର କରି ଉପସ୍ଥିତ ଅତିଥିଙ୍କ ଦ୍ଵାରା ପୁରସ୍କୃତ ହୋଇଥିଲେ l ଏହି ସମାରୋହକୁ ଯାତ୍ରା ପୂଜା କମିଟି ସଦସ୍ଯ, ପୂଜକ ତଥା ଯୁବ ଗୋଷ୍ଠୀ ସହଯୋଗ କରିଥିବା ବେଳେ ଥୁଆମୂଳ ରାମପୁର ପୋଲିସ ପକ୍ଷରୁ କଡା ସୁରକ୍ଷା ବ୍ଯବସ୍ଥା କରାଯାଇଥିଲା