ଫିଲ୍ମ ଶୁଟିଂ ବେଳେ ଆହତ ହେଲେ ଅମିତାଭ ବଚ୍ଚନ

ହାଇଦ୍ରାବାଦରେ ଫିଲ୍ମ ’ପ୍ରୋଜେକ୍ଟ-କେ’ର ଶୁଟିଂ ସମୟରେ ବଲିଉଡ ମେଗାଷ୍ଟାର ଅମିତାଭ ବଚ୍ଚନ ଆହତ ହୋଇଛନ୍ତି। ବିଗ ବି ତାଙ୍କ ବ୍ଲଗ ମାଧ୍ୟମରେ ଆଘାତ ବିଷୟରେ ସୂଚନା ଦେଇଛନ୍ତି। ତାଙ୍କ ଛାତି ପିଞ୍ଜରାରେ ଆଘାତ ଲାଗିଛି।  ଆହତ ହୋଇ ଅମିତାଭ ବର୍ତ୍ତମାନ ମୁମ୍ବାଇ ସ୍ଥିତ ନିଜ ବାସଭବନରେ ବିଶ୍ରାମ ନେଉଛନ୍ତି ବୋଲି ସେ ସୂଚନା ଦେଇଛନ୍ତି।  

ତେବେ ଘରକୁ ଯିବା ପୂର୍ବରୁ ଆହତ ପରେ  ହାଇଦ୍ରାବାଦର ଏଆଇଜି ହସ୍‌ପିଟାଲ୍‌ରେ ବଚ୍ଚନଙ୍କର ସିଟି ସ୍କାନ କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି। ମାଂସପେଶୀ ଫାଟ ସୃଷ୍ଟି ହେବା ପରେ ଅମିତାଭ ବଚ୍ଚନଙ୍କୁ ପ୍ରଶ୍ୱାସ ନେଲେ ଯନ୍ତ୍ରଣା ହେଉଛି। ଶରୀରକୁ ଏଣେ ତେଣେ ବୁଲାଇଲେ ମଧ୍ୟ ଯନ୍ତ୍ରଣା ଅନୁଭବ ହେଉଛି। ଯନ୍ତ୍ରଣା ପାଇଁ ବିଗ୍‌ ବି ଔଷଧ ଖାଉଛନ୍ତି ବୋଲି ସେ ନିଜେ ବ୍ଲକ ପୋଷ୍ଟ କରି ସୂଚନା ଦେଇଛନ୍ତି।ଭଲ ହେବା ପାଇଁ କିଛି ସପ୍ତାହ ସମୟ ଲାଗିବ ବୋଲି ଡାକ୍ତର କହିଥିବା ଅମିତାଭ ସୂଚନା କହିଛନ୍ତି।

ଏଥିସହ ସେ କହିଛନ୍ତି ଯେ ସନ୍ଧ୍ୟାରେ ତାଙ୍କ ବାସଭବନ ଜଲସା ବାହାରେ ପ୍ରଶଂସକଙ୍କୁ ଦେଖାଦେବା କଷ୍ଟକର ହେବ ଏବଂ ତାଙ୍କ ବଙ୍ଗଳାକୁ ନ ଆସିବାକୁ ସେ ଅନୁରୋଧ କରିଛନ୍ତି। ପ୍ରତି ରବିବାର, ପ୍ରଶଂସକମାନେ ଅମିତାଭ ବଚ୍ଚନଙ୍କୁ ଦେଖିବାକୁ ଜଲସା ବାହାରେ ଭିଡ କରିଥାନ୍ତି। ସୁପରଷ୍ଟାର ତାଙ୍କ ପ୍ରଶଂସକମାନଙ୍କୁ ଅଭିବାଦନ କରିଥାନ୍ତି।