ବାରମ୍ବାର ଦାବୀ ସ୍ଵତ୍ତେ ଶୁଣିଲା ନାହିଁ ପ୍ରଶାସନ : ଶ୍ରମ ଓ ଅର୍ଥଦାନ କରି ରାସ୍ତା ମରାମତି କଲେ ଗ୍ରାମବାସୀ
ଥୁଆମୂଳ ରାମପୁର,୩୦/୦୮-(ଦୁର୍ଗା କୀର୍ତ୍ତି):- ବାରମ୍ବାର ଦାବୀ ସ୍ଵତ୍ତେ ଶୁଣିଲା ନାହିଁ ପ୍ରଶାସନ, ଶେଷରେ ନିଜ ପାଇଁ ନିଜେ ଅଣ୍ଟା ଭିଡ଼ିଲେ ଆଠ ଖଣ୍ଡ ଗ୍ରାମର ଗ୍ରାମବାସୀ। ଗ୍ରାମର ସମସ୍ତ ପୁରୁଷ ଏବଂ ଯୁବକ ଏକତ୍ରିତ ହୋଇ ଶ୍ରମ ଓ ଅର୍ଥଦାନ କରି ରାସ୍ତା ମରାମତି କରିବା ସହ ଆଗାମୀ ମାସେ ମଧ୍ୟରେ ଏହି ରାସ୍ତା ପ୍ରତି ଯୋଦି ପ୍ରଶାସନ କୌଣସି ବ୍ୟବସ୍ଥା ନ କରନ୍ତି ତେବେ ଆମେ ସମସ୍ତ ଗ୍ରାମବାସୀ ରାଜ ରାସ୍ତାକୁ ଓହ୍ଲାଇବୁ ବୋଲି ଚେତାବନୀ ଦେଇଛନ୍ତି l ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ୍ କାର୍ଯ୍ୟାଳୟ ସଦର ସ୍ଥିତ ଥୁଆମୂଳ ରାମପୁର (ନୂଆପଡ଼ା) ରେ । ପ୍ରକାଶ ଯେ, ଥୁଆମୂଳ ରାମପୁର ବ୍ଲକ୍ କାର୍ଯ୍ୟାଳୟ ଠାରୁ ମାତ୍ର ୧ କିଲୋମିଟର ଦୂରତାରେ ଦେଖାଦେଇଛି ଏଭଳି ଘଟଣା। ଏହି ରାସ୍ତା ଥୁଆମୂଳ ରାମପୁର (ନୂଆପଡ଼ା/ତହସିଲ ପଡ଼ା) ଦେଇ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସମେତ ଟିକ୍ରାଗୁଡ଼ା, ପିଣ୍ଡା ପଦର, ମେଲକୁନ୍ଦେଲ, ବଡ଼ବଣ୍ଡେଲକୁ ଗତ କିଛି ବର୍ଷ ତଳେ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ରାସ୍ତା ନିର୍ମାଣ କରାଯାଇଥିଲା ହେଲେ ମାତ୍ର ୩ଶହ ମିଟର ରୁ ଉର୍ଦ୍ଧ ରାସ୍ତା ନିର୍ମାଣ ନ କରି ଛାଡ଼ି ଦିଆଯାଇଛି। ଫଳରେ ବର୍ଷାଦିନ ଆସିଲେ ସେହି ରାସ୍ତାରେ ଏହି ଗ୍ରାମ ସମେତ ନୂଆପଡ଼ା, ପୋଇଗୁଡା, ଦେରଗୁଡ଼ା, ଜାମଗୁଡ଼ା, ଘୁଟିଗୁଡ଼ା, ବାଇଗଣ ଗୁଡ଼ା ଭଳି ଅନେକ ଗ୍ରାମର ଯିବା ଆସିବା କରୁଥିବା ଗାଡ଼ିମୋଟର ଯାତାୟାତରେ ବାଧାପ୍ରାପ୍ତ ହେବା ସହ ବିଦ୍ୟାଳୟକୁ ଛାତ୍ରୀଛାତ୍ର ତଥା ଶିକ୍ଷକ ଶିକ୍ଷୟତ୍ରୀ ଯିବା ମୁସ୍କିଲ ହୋଇପଡୁଥିବା ଅଞ୍ଚଳବାସୀ କହିଛନ୍ତି। ଏବେ ଜରୁରିକାଳୀନ ସ୍ବାସ୍ଥ୍ୟସେବା ପାଇଁ ଆମ୍ବୁଲାନ୍ସ ଆସିବା ମଧ୍ୟ ସେ ଅଳ୍ପ ରାସ୍ତାରେ କଷ୍ଟ ହେଉଛି। ଉକ୍ତ ରାସ୍ତାରେ ପାଖାପାଖି ୮ଖଣ୍ଡ ଗ୍ରାମ ତଥା ପଡ଼ା ର ଜନସାଧାରଣ ନିର୍ଭର କରୁଥିବା ବେଳେ ସେମାନେ ମଧ୍ୟ ବ୍ଲକ୍ ତଥା ଗ୍ରାମପଞ୍ଚାୟତ କୁ ପିଡିଏସ୍ ଚାଉଳ ହେଉ କି ସରକାରୀ ଓ ବେସରକାରୀ କାର୍ଯ୍ୟ ପାଇଁ ସେମାନେ ଥୁଆମୂଳ ରାମପୁର ଯିବାକୁ ଗାଁରୁ ବାହାରିଲେ ସେହି ୩ଶହ ମିଟର କଚ୍ଚା ରାସ୍ତାରେ ଯାତାୟାତ କରୁଛନ୍ତି। ଗାଁକୁ ଆମ୍ବୁଲାନ୍ସ କିମ୍ବା ଜରୁରୀକାଳିନ ପରିସ୍ଥିତିରେ ଦମକଳ ହେଉ କି ଅନ୍ୟ କିଛି ଗାଡ଼ି ଆସିବା ପାଇଁ ନାନାଦି ଅସୁବିଧା ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି l ସେମାନେ ଏହି ୩ଶହ ମିଟର କାଦୁଅ ରାସ୍ତା ସମ୍ପ୍ରସାରଣ /ମରାମତି ପାଇଁ ପଞ୍ଚାୟତ ଅଧିକାରୀଙ୍କଠାରୁ ଆରମ୍ଭ କରି ବ୍ଲକ ଓ ଜିଲା ପ୍ରଶାସନ ନିକଟରେ ଅନେକ ଥର ଅଭିଯୋଗ କରିଛନ୍ତି। ସେହିପରି ବିଧାୟକ, ଏମ୍ପିଙ୍କୁ ମଧ୍ୟ ବହୁବାର ଜଣାଇଥିଲେ ମଧ୍ୟ ଫଳ ଶୂନ। ଶେଷରେ ସବୁ ଆଡୁ ନିରାଶ ହୋଇ ୮ଖଣ୍ଡ ଗ୍ରାମବାସୀ ଏହି ଓଡ଼ିଶା ଆଦର୍ଶ ବିଦ୍ୟାଳୟ ରାସ୍ତା ମରାମତି କରିଛନ୍ତି ।ରାସ୍ତାକଡ଼ରେ ଥିବା ଲତାବୁଦାକୁ କଟାଯିବା ସହ ଖାଲଢିପକୁ ସମତଳ ପାଇଁ ମାଟି ଖୋଳି ପକାଯାଇ ଗାତକୁ ପୋତା ଯାଇଛି। ଏନେଇ ବିଡ଼ିଓ ଧ୍ରୁବ ଚରଣ ମୁଦୁଲି ଙ୍କୁ ପଚାରିବାରୁ ଆମେ ଜିଲ୍ଲାପାଳ ଙ୍କ ସହ ଏବିଷୟରେ ଆଲୋଚନା କରିଛୁ ଏବଂ ଆମେ ଚେଷ୍ଟା ମଧ୍ୟ କରୁଛୁ ଜମି ମାଲିକ ଙ୍କ ସହ କଥା ହୋଇ କଣ ହୋଇପାରିବ ଆମେ କରିବୁ ବୋଲି କହିଛନ୍ତି I