ବିପଦ ସଙ୍କୁଳ ଅବସ୍ଥାରେ ଗୁରୁବେଡ଼ା ପାଖର କ୍ଷୁଦ୍ର ନିର୍ମାଣାଧୀନ ପୋଲର ବାଇପାସ୍ ରାସ୍ତା l

ଥୁଆମୂଳ ରାମପୁର,୨୦/୧୦-(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଠାରୁ ଥୁଆମୂଳ ରାମପୁର ବ୍ଲକ୍ ମୁଖ୍ୟାଳୟକୁ ସଂଯୋଗ କରିଥିବା ମୁଖ୍ୟ ରାସ୍ତା ଏବେ ବିପଦ ସଂକୁଳ ଦେଇ ଗତି କରୁଅଛି। ଯାହାକି ଗାଡିମଟର ଚଳାଚଳ, ପଥଚାରୀ, ଛାତ୍ରଛାତ୍ରୀ ବିଭିନ୍ନ ସମୟରେ ନାହିଁନଥିବା ଅସୁବିଧା ର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି। ଏଠାରେ ପ୍ରକାଶ ଥାଉକି ଯେ, ବର୍ତ୍ତମାନ୍ ଗୁଣୁପୁର ଠାରୁ ଥୁଆମୂଳ ରାମପୁର, ଗୋପୀନାଥପୁର ପର୍ଯ୍ୟନ୍ତ ସରକାରଙ୍କ ପକ୍ଷରୁ ନବିକରଣ କରାଯାଉଥିବା ରାସ୍ତା ଏବେ ନିମ୍ନମାନରେ ଆଗେଇ ଚାଲିଛି ରାସ୍ତା କାମ।

ତେବେ ଏହି ପରିପ୍ରେକ୍ଷୀରେ ଥୁଆମୂଳ ରାମପୁର ଠାରୁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ କୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାରେ ଥିବା ଗୁରୁବେଡ଼ା ସ୍ଥିତ କ୍ଷୁଦ୍ର ପୋଲ ନିର୍ମାଣ କାମ ଚାଲିଛି ତାହା ବର୍ତ୍ତମାନ ଭଗ୍ନ ଅବସ୍ଥାରେ ରହିଅଛି ଏହି ପୋଲ ନିର୍ମାଣ ପାଇଁ ଏକ ବାଇପାସ୍ ରାସ୍ତା ନିର୍ମାଣ କରାଯାଇଛି ତାହା ପୁଣି ବିପଦ ସଙ୍କୁଳ ଅବସ୍ଥାରେ ରହିଅଛି।ଉକ୍ତ ସ୍ଥାନରେ ଠିକ ସଂସ୍ଥାର ଗାଡିମଟର ମଧ୍ୟ ନିତିପ୍ରତିଦିନ ସେହି ରାସ୍ତା ଦେଇ ଯିବା ଆସିବ କରୁଛି ତଥାପି ଠିକା ସଂସ୍ଥାର କର୍ମଚାରୀ ଏଦିଗରେ ସଚେତନ ନୁହଁନ୍ତି, ଯାନବାହନ ଚଳାଚଳ ପାଇଁ କୌଣସି ସତର୍କ ଫଳକ ମାରାଯାଇ ପାରିନାହିଁ। ଯାହାଫଳରେ ଅଧିକାଂଶ ସମୟ ମୋଟରବାଇକ୍ ଆରୋହି ଏବଂ ସାଇକେଲରେ ଯାଉଥିବା ବ୍ୟକ୍ତି ଓ ଛାତ୍ରଛାତ୍ରୀ ଦୁର୍ଘଟଣାର ଶିକାର ହେବା ସମ୍ଭାବନା କୁ ଏଡାଇ ଦିଆଯାଇନ ପାରେ। ଏହାଛଡା ଏହି ରାସ୍ତାରେ ପ୍ରତିଦିନ ହଜାର ହଜାର ଜନସାଧାରଣ ବସ ଯୋଗେ ଭବାନୀପାଟଣା ସମେତ୍ ବ୍ଳକର ବିଭିନ୍ନ ପଞ୍ଚାୟତ ଯାହାକି କର୍ଲାପାଟ, କିଆପଦର, ତଳଆମ୍ବ ପଦର, କାଣୀଗୁମା, ଗୁଣପୁର, ସିନ୍ଧିପଦର୍, ଗୋପାଳପୁର ଆଦି ପଞ୍ଚାୟତ ମୁଖ୍ୟାଳୟ କୁ ଯିବା ଆସିବା କରୁଛନ୍ତି ଯାହାକି ପୂର୍ତ୍ତ ବିଭାଗ ଦ୍ଵାରା ଏହି ରାସ୍ତାର ନିର୍ମାଣ କାର୍ଯ୍ୟ ଚାଲିଛି। ତାହାପୁଣି ନିମ୍ନମାନର ରାସ୍ତା କାର୍ଯ୍ୟ ଯୋଗୁଁ ସ୍ଥାନେ ସ୍ଥାନେ ରାସ୍ତା ଖାଲଖମା ହେବା ସହିତ ବାଇପାସ୍ ରାସ୍ତା ଗୁଡିକ ବର୍ତ୍ତମାନ୍ ଜନସାଧାରଣଙ୍କ ଯାତାୟତରେ ପାଇଁ ବିପଦର ସଂଙ୍କେତ ସୂଚାଉଛି। ଏ ସଂପର୍କରେ ଠିକା ସଂସ୍ଥା ସାଇଡ୍ ଇନଚାର୍ଜ ବିକାଶ ପାଣ୍ଡେଙ୍କୁ ପଚାରିଥିଲୁ ହେଲେ ସେ କହିଲେ ଆମେ ସେହି ସ୍ଥାନରେ ସୂଚନା ଫଳକ ବାରମ୍ବାର ଲଗାଇ ଦେଉଛୁ କିନ୍ତୁ କିଛି ମୁଷ୍ଟିମୟ ବ୍ୟକ୍ତି ମାନେ କାଢି ଫୋପାଡି ଦେଉଛନ୍ତି ବୋଲି ପ୍ରକାଶ କରିଥିଲେ। ତଥାପି ବି ଆମ କୁ ଆଉ କିଛି ଦିନ ସମୟ ଦିଅନ୍ତୁ ତା’ ପାଇଁ କିଛି ପ୍ରତିକାର କରିବୁ ବୋଲି କହିଥିଲେ। ଏଥିପାଇଁ ସ୍ଥାନୀୟ ଲୋକ ପ୍ରତିନିଧି ମାନେ ଦୃଷ୍ଟି ଦେଇ ଏହାର ସମାଧାନ କରିବା ଜରୁରୀ ପଡୁଥିଲେ ମଧ୍ୟ ସେମାନେ ଏଥିପ୍ରତି ଦୃଷ୍ଟି ଦେଉନଥିବା ହିଁ ଅତି ଦୁଃଖ ଦାୟକ ବିଷୟ ବୋଲି ସ୍ଥାନୀୟ ଜନସାଧାରଣ ଆଲୋଚନା କରୁଥିବା ଜଣାଯାଏ। ତେବେ ଏଦିଗରେ ବିଭାଗୀୟ ଉଚ୍ଚ ପଦସ୍ଥ ଅଧିକାରୀ ଏବଂ ଠିକା ସଂସ୍ଥା କର୍ମକର୍ତ୍ତା ଉଭୟେ ରାସ୍ତାରେ ଥିବା ପୋଲର ବାଇପାସ ରାସ୍ତା ଗୁଡିକର ତଦାରଖ କରନ୍ତୁ ବୋଲି ସାଧାରଣରେ ଦାବି ହେଉଛି।