ବିବାହ ବନ୍ଧନରେ ବାନ୍ଧି ହେବେ ଅନନ୍ତ ଅମ୍ବାନୀ ଓ ରାଧିକା ମର୍ଚ୍ଚାଣ୍ଟ ।

ଗତ ଗୁରୁବାର ରିଲାଏନ୍ସ ମୁଖ୍ୟ ମୁକେଶ ଏବଂ ନୀତା ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀଙ୍କ ସହ ଶିଲା ଓ ବିରେନ ମର୍ଚ୍ଚାଣ୍ଟଙ୍କ ଝିଅ ରାଧିକାଙ୍କ ପାରମ୍ପରିକ ରୀତିନୀତିରେ ନିର୍ବନ୍ଧ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଛି। ଏହି ନିର୍ବନ୍ଧ ମୁମ୍ବଇ ସ୍ଥିତ ଅମ୍ବାନୀଙ୍କ ବାସଭବନରେ ହୋଇଛି। ଏହାପୂର୍ବରୁ ଗୋଲ ଧନ ଏବଂ ଚୁନରୀ ବିଧି କରାଯାଇଥିଲା। ଏହି ଅବସରରେ ଉଭୟ ପରିବାର ପରସ୍ପରକୁ ଉପହାର ଦେଇ କାର୍ଯ୍ୟକ୍ରମର ଆରମ୍ଭ କରିଥିଲେ। ଏହାପରେ ହିଁ ମୁଦି ପିନ୍ଧା ହୋଇଥିଲା।

ବଧୂ ଓ ବର ପକ୍ଷ କାର୍ଯ୍ୟକ୍ରମର ଶୁଭାରମ୍ଭ ଭଗବାନ କୃଷ୍ଣଙ୍କ ଆଶୀର୍ବାଦ ନେବା ପରେ ଆରମ୍ଭ ହୋଇଥିଲା। ଏହାପରେ ସଭିଏଁ ପ୍ରଭୁ ଗଣେଶଙ୍କ ପୂଜା ପାଇଁ କାର୍ଯ୍ୟକ୍ରମ ହେଉଥିବା ସ୍ଥାନରେ ପହଞ୍ଚିଥିଲେ। ଗଣେଶଙ୍କ ପୂଜା ପରେ ପାରମ୍ପରିକ ଲଗ୍ନ ପତ୍ରିକା ପାଠ କରାଯାଇଥିଲା। ଏହାପରେ ଗୋଲ ଧନ ଓ ଚୁନରୀ ରୀତି କରାଯାଇଥିଲା। ଏହି ରୀତିନୀତିରେ ଉଭୟ ପରିବାର ପରସ୍ପରକୁ ଉପହାର ଦେଇଥିଲେ। ଏହାପରେ ଉଭଣୀ ଇଶା ମୁଦି ପିନ୍ଧା ନେଇ ଘୋଷଣା କରିବା ପରେ ଅନନ୍ତ ଓ ରାଧିକା ପରିବାର ସଦସ୍ୟ ଓ ନିଜ ବନ୍ଧୁ ପରିଜନଙ୍କ ଉପସ୍ଥିତିରେ ପରସ୍ପରକୁ ମୁଦି ପିନ୍ଧାଇ ଏକାଠି ରହିବା ଓ ପରସ୍ପରର ସାଥି ହେବା ପାଇଁ ବଚନ ଦେଇଛନ୍ତି।ଏହାପରେ ଉଭୟ ଗୁରୁଜନଙ୍କ ଆଶୀର୍ବାଦ ନେଇଛନ୍ତି।

ସୂଚନା ଅନୁଯାୟୀ, ଡିସେମ୍ବର ୨୯ରେ ରାଜସ୍ଥାନର ରାଜସମନ୍ଦ ଜିଲ୍ଲାର ନାଥୱାରା ଠାରେ ଅବସ୍ଥିତ ଶ୍ରୀନଥଜୀ ମନ୍ଦିରରେ ପରିବାର ଓ ପ୍ରିୟଜନଙ୍କ ଉପସ୍ଥିତିରେ ଅନନ୍ତ ଏବଂ ରାଧିକାଙ୍କ ରୋକା ସମାରୋହ ଅନୁଷ୍ଠିତ ହୋଇଥିଲା ।

ରାଧିକ ଜଣେ ପ୍ରଶିକ୍ଷିତ ଶାସ୍ତ୍ରୀୟ ନୃତ୍ୟଶିଳ୍ପୀ । ରାଧିକା ମର୍ଚ୍ଚାଣ୍ଟ ଏନକୋର ହେଲଥ କେୟାର ସିଇଓ ବିରେନ ମର୍ଚ୍ଚାଣ୍ଟ ଏବଂ ଶିଲା ମର୍ଚ୍ଚାଣ୍ଟଙ୍କ ଝିଅ । ରାଧିକାଙ୍କ ପିତା ବିରେନ ମଧ୍ୟ ଦେଶର ଧନୀ ବ୍ୟକ୍ତିମାନଙ୍କ ମଧ୍ୟରେ ଜଣେ। ମୁମ୍ବଇରେ ରାଧିକାଙ୍କ ପାଠପଢା । ଏହା ପରେ ସେ ଉଚ୍ଚ ଶିକ୍ଷା ପାଇଁ ପାଇଁ ନ୍ୟୁୟର୍କ ଯାଇଥିଲେ। ରାଧିକା ନ୍ୟୁୟର୍କ ବିଶ୍ୱବିଦ୍ୟାଳୟର ସ୍ନାତକ ହାସଲ କରିଥିବା ବେଳେ ଏନକୋର ହେଲଥ କେୟାର ନିର୍ଦ୍ଦେଶକ ମଣ୍ଡଳୀରେ କାର୍ୟ୍ୟ କରନ୍ତି ।ସେହିପରି ଅନନ୍ତ ଆମେରିକାର ବ୍ରାଉନ୍ ୟୁନିଭରସିଟିରୁ ତାଙ୍କର ଅଧ୍ୟୟନ ସମାପ୍ତ କରିଥିଲେ। ଅନନ୍ତ ଜିଓ ପ୍ଲାଟଫର୍ମ ଓ ରିଲାଏନ୍ସ ରିଟେଲ୍‌‌ ଭେଞ୍ଚର ନିର୍ଦ୍ଦେଶକ ମଣ୍ଡଳୀରେ କାର୍ୟ୍ୟ କରିଛନ୍ତି । ବର୍ତ୍ତମାନ ସେ ରିଲାଏନ୍ସର ପାୱାର ସେକ୍ଟରରେ କାର୍ଯ୍ୟ କରୁଛନ୍ତି।