ଭୀମସେନ ରାଉତ ସ୍ମୃତି ପରିଷଦର ପ୍ରସ୍ତୁତି ବୈଠକ !
କେନ୍ଦୁଝର: ଘଟଗାଁ ଭୀମସେନ ରାଉତ ସ୍ମୃତି ପରିଷଦ ଆନୁକୂଲ୍ୟରେ କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକର ମନହରପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପୁରାଣ ପ୍ରସିଦ୍ଧ ବାଲ୍ମୀକି ତପସ୍ଥଳୀ ତଥା ଲବ କୁଶଙ୍କ ଏନ୍ତୁଡ଼ିଶାଳ ସୀତାବିଞ୍ଜ ଠାରେ କୁଳମଣି ମଣ୍ଡଳଙ୍କ ସଭାପତିତ୍ୱରେ ସମାଜ ସଂସ୍କାର ମୂଳକ ଆଗାମୀ କାର୍ଯ୍ୟପନ୍ଥା ଉପରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି !

ଏଥିରେ ମୁଖ୍ୟ ଅତିଥି ଭାବରେ କଲିକତା ଶାନ୍ତିନିକେତନ ବିଶ୍ୱ ବିଦ୍ୟାଳୟର ପ୍ରଫେସର ଡଃ ସନଥ କୁମାର ରଥ ଓ ସମ୍ମାନିତ ଅତିଥି ରୂପେ ପ୍ରାକ୍ତନ ଅଧ୍ୟକ୍ଷ ଡଃ ଅଭିନ୍ନ ସାହୁ, ଡଃ ରଞ୍ଜନ କୁମାର ପଣ୍ଡା, ରାଧାଶ୍ୟାମ ରାଉତ ଏବଂ ମୁଖ୍ୟ ବକ୍ତା ଭାବରେ ପ୍ରାକ୍ତନ ଅଧ୍ୟାପକ ବାଟକୃଷ୍ଣ ନାଥ ଓ ସମ୍ମାନିତ ବକ୍ତା ରୂପେ ଅବସରପ୍ରାପ୍ତ ପ୍ରଶାସନି ଅଧିକାରୀ ଭାଗିରଥି ନାୟକ, ସମାଜ ସେବୀ ସଞ୍ଜୟ ବିଶ୍ୱାଳ ଯୋଗଦେଇଥିଲେ ।
ଆଗନ୍ତୁକ ଅତିଥିବୃନ୍ଦ ସର୍ବ ପ୍ରଥମେ ପିଠର ଇଷ୍ଟଦେବୀ ମା ସୀତା ଠାକୁରାଣୀଙ୍କୁ ପୂଜାର୍ଚନା କରିଥିଲେ ତତ୍ପରେ ସ୍ୱାଧୀନତା ସଂଗ୍ରାମୀ ତଥା ସମାଜ ସଂସ୍କାରକ ଭୀମସେନ ରାଉତଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ ! ଏହାପରେ ଆବାହକ ଅଶୋକ କୁମାର ନାଥ ଅତିଥି ପରିଚୟପ୍ରଦାନ କରିଥିଲେ !
ଆଲୋଚନାର ମୁଖ୍ୟ ବିଷୟ ଥିଲାକି ସ୍ବର୍ଗତଃ ଭୀମସେନ ରାଉତ ଏକାଧାରରେ ଥିଲେ ଜଣେ ସ୍ୱାଧୀନତା ସଂଗ୍ରାମୀ, ପ୍ରଚଣ୍ଡ ଆଧ୍ୟାତ୍ମାବାଦୀ ଓ ବିଜ୍ଞ ସାହିତ୍ୟିକ ଦୃଢ଼ ସଂଗଠକ ଏବଂ ସମାଜ ସଂସ୍କାରକ ! ତାଙ୍କ ସମୟରେ ଘଟଗାଁ ତଥା ସମଗ୍ର କେନ୍ଦୁଝର ଜିଲ୍ଲାର ବିଭିନ୍ନ ଅଂଚଳରେ ଶିକ୍ଷା, ସ୍ୱାସ୍ଥ୍ୟ ତଥା କୃଷି ଓ ପରିବେଶ ରକ୍ଷା କ୍ଷେତ୍ରରେ ଅନେକ ଉନ୍ନୟନ ମୂଳକ କାର୍ଯ୍ୟର ସେ ଥିଲେ ମୁଖ୍ୟ କର୍ଣ୍ଣଧାର ! ବିଶେଷକରି ଘଟଗାଁ ମାତାରିଣୀ ପୀଠର ସମସ୍ତ ଉନ୍ନୟନ ମୂଳକ କାର୍ଯ୍ୟ ତାଙ୍କରି ପ୍ରତ୍ୟକ୍ଷ ତତ୍ତ୍ୱ ଅବଧାନରେ କରାଯାଇଥିଲା ! ଅନ୍ଧବିଶ୍ୱାସ ଓ କୁସଂସ୍କାର ଦୂରୀକରଣ ଉପରେ ସେ ଦୃଢ଼ ପଦକ୍ଷେପ ନେଇଥିଲେ ! ମାତାରିଣୀଙ୍କ ମହିମାର ପ୍ରସାର ପ୍ରଚାର କରିବାରେ ତାଙ୍କର ଭୂମିକା ଥିଲା ଅତୀବ ଗୁରୁତ୍ୱପୂର୍ଣ୍ଣ ! ତେଣୁ ସେହିପରି ଜଣେ ମହାନ ପୁରୁଷଙ୍କ ସ୍ମୃତି କିପରି ସବୁଦିନ ରକ୍ଷା କରାଯାଇପାରିବ ସେ ସମ୍ପର୍କରେ ଆଲୋକପାତ କରାଯିବା ସହିତ ଆଗାମୀ ଦିନରେ ଯେପରି ଭୀମସେନ ବାବୁଙ୍କ ଆଦର୍ଶ ରକ୍ଷା କରାଯାଇ ଅଧିକ ସମାଜ ସେବା କରାଯାଉ ପାରିବ ସେବିଷୟରେ ବିଷଦ ଭାବରେ ଆଲୋଚନା କରାଗଲା ! ମୁଖ୍ୟତଃ ନିଶା ନିବାରଣ ଓ ଅନ୍ଧ ବିଶ୍ୱାସ ଓ କୁସଂସ୍କାର ଦୂରୀକରଣ କ୍ଷେତ୍ରରେ କିପରି ଅଧିକ ପଦକ୍ଷେପ ନିଆଯିବ ସେ ସମ୍ପର୍କରେ ଉପସ୍ଥିତ ସଦସ୍ୟ ମାନଙ୍କଠାରୁ ଗଠନ ମୂଳକ ମତାମତ ସଂଗ୍ରହ କରାଯାଇଥିଲା !ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଜଗବନ୍ଧୁ ମହାନ୍ତ, ଓ କୃଷ୍ଣ ଚନ୍ଦ୍ର ପୃଷ୍ଟି ଓ ପରିଚାଳନାରେ ସହଯୋଗ କରିଥିଲେ କମଳ ଲୋଚନ ନାଏକ, ଉଜ୍ଜଳ ସାହୁ, ସନ୍ତୋଷ କୁମାର ବେହେରା ଓ ଚରମାନନ୍ଦ ଦାସ, ତାପସ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।