ମରଣଯନ୍ତା ପାଲଟିଛି ଥୁଆମୂଳ ରାମପୁର-କଲମପୁର ସିଙ୍ଗାରୀ ଘାଟି ରାସ୍ତା Iରାସ୍ତା ପୁନଃ ନିର୍ମାଣ କେବେ ?

ଥୁଆମୂଳ ରାମପୁର,୧୨/୧୨-(ଦୁର୍ଗା କୀର୍ତ୍ତି:- କଳାହାଣ୍ଡି ଜିଲ୍ଲାର ଆଦିବାସୀ ବହୁଳ ଥୁଆମୁଳ ରାମପୁର ବ୍ଲକ ଏବଂ କଲମପୁର ବ୍ଲକ ତଥା ଆଖପାଖ ବ୍ଲକ ଓ ଜିଲ୍ଲା ମଧ୍ୟରେ ଯାତାୟାତ ପାଇଁ ଏକମାତ୍ର ଜୀବନ ରେଖା ସାଜିଥିବା ଥୁଆମୂଳ ରାମପୁର -କଲମପୁର ସିଙ୍ଗାରୀ ଘାଟି ରାସ୍ତା ଏବେ ମରଣଯନ୍ତା ପାଲଟିଛି I ପୂର୍ତ୍ତ ବିଭାଗ ମାଧ୍ୟମରେ ୮୦ ଦଶକରେ ସିଙ୍ଗାରୀ ଘାଟି ମଧ୍ୟରେ କିଛି ରାସ୍ତା ନିର୍ମାଣ ଆରମ୍ଭ ହେଇଥିଲା। କିନ୍ତୁ ଦୀର୍ଘ ୪୫ ବର୍ଷ ରୁ ଉର୍ଦ୍ଧ ଧରି ଏହି ରାସ୍ତା ଆଉ ନିର୍ମାଣ ସମ୍ପୂର୍ଣ୍ଣ ହୋଇ ପାରୁନାହିଁ। ପୂର୍ତ୍ତ ବିଭାଗର ଭବାନୀପାଟଣା ଉପବିଭାଜନ ଏବଂ ଜୁନାଗଡ ଉପବିଭାଜନ ଅଧୀନରେ ରହିଛି ଏହି ସିଙ୍ଗାରୀ ଘାଟି l ଥୁଆମୂଳ ରାମପୁର ଠାରୁ କଲମପୁର ହେଉଛି ୧୮ କିଲୋମିଟର l ଏହି ପ୍ରମୁଖ ରାସ୍ତା ମଝିରେ ରହିଛି ସିଙ୍ଗାରୀ ଘାଟି, ପୂର୍ବ କାଳରୁ ଲୋକେ ଚାଲିଚାଲି ଯିବାଆସିବା କରୁଥିଲେ, ଲୋକଙ୍କ ଯାତାୟାତ ସୁବିଧା କରିବାକୁ ସରକାର ଘାଟି ଖୋଲି ରାସ୍ତା ନିର୍ମାଣ କରିଥିଲେ l ବିଭାଗୀୟ କର୍ମଚାରୀ ମାନଙ୍କ ଦୂରଦୃଷ୍ଟିର ଅଭାବ ଫଳରେ ଘାଟି ଠିକ୍ ଭାବରେ କଟା ହୋଇ ପାରିଲା ନାହିଁ, ଏଥି ଯୋଗୁଁ ଛୋଟମୋଟ ଯାନବାହାନ ବ୍ୟତୀତ ଯାତ୍ରୀବାହୀ ଯାନବାହାନ ଯାତାୟାତ କରିପାରୁ ନାହିଁ, କଲମପୁର ଠାରୁ ଥୁଆମୂଳ ରାମପୁର ୧୮ କିଲୋମିଟର ରହିଥିବା ବେଳେ ୮ କିଲୋମିଟର ରହିଛି ଘାଟି ରାସ୍ତା। କିନ୍ତୁ ଏହି ୮ କିଲୋମିଟର ରାସ୍ତା ନିର୍ମାଣ ହେବାରେ ଏବେ ବାଧକ ସାଜିଛି ଜଙ୍ଗଲ ଆଇନ। ସିଙ୍ଗାରୀ ଜଙ୍ଗଲ ସଂରକ୍ଷିତ ଜଙ୍ଗଲ ଅଧୀନରେ ଥିବାରୁ ଏହି ଜଙ୍ଗଲ ଆଇନ ବାଧକ ସାଜିଛି। ଖଣି ଖାଦାନ ପାଇଁ ରାତା ରାତି କୋଟି କୋଟି ଟଙ୍କାର ମୂଲ୍ୟବାନ ଗଛ କାଟି ଜଙ୍ଗଲ ଜମିର କିସମ ପରିବର୍ତ୍ତନ ହେଉଥିବା ବେଳେ ଲୋକଙ୍କ ବିକାଶ ପାଇଁ କିନ୍ତୁ ଏ ଦିଗରେ କାହାରି ଆନ୍ତରିକତା ଥିବା ଜଣାପଡ଼ୁନାହିଁ। ସେପଟେ ରାସ୍ତା ମରାମତି ନାଁରେ ଠିକାଦାରଙ୍କୁ ପୋଷିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି। ୨୦୧୬/୧୭ ରୁ ୨୦୨୨/୨୩, ୨୩/୨୪ ମଧ୍ୟରେ ପ୍ରାୟ ୩୦ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ ହେଇଥିଲେ ମଧ୍ୟ ରାସ୍ତାର ଅବସ୍ଥା ସୁଧୁରି ପାରିନାହିଁ । ଗତ ବର୍ଷକ ମଧ୍ୟରେ ଏହି ରାସ୍ତା ଦେଇ ବାଲି, ଇଟା, ଚିପ୍‌ସ ସମେତ ଅନ୍ୟ ସମସ୍ତ ନିର୍ମାଣ ସାମଗ୍ରୀ ଭାରିଯାନ ଦ୍ଵାରା ଥୁଆମୁଳ ରାମପୁର ଏବଂ ରାୟଗଡା ଜିଲ୍ଲାର କାଶୀପୁର ଅଂଚଳକୁ ନିଆଯାଉଛି। ଯେଉଁଥିପାଇଁ ରାସ୍ତା ଏବେ ସମ୍ପୂର୍ଣ୍ଣ ନଷ୍ଟ ହୋଇସାରିଛି। ରାସ୍ତା ଏବେ ବାଇକ ଏବଂ ଲଘୁଯାନ ଆରୋହୀଙ୍କ ପାଇଁ ମରଣଯନ୍ତା ପାଲଟିଛି। ଥୁଆମୁଳ ରାମପୁର ଠାରୁ ଭବାନୀପାଟଣା ଭାୟା ଗୁଣପୁର ରାସ୍ତାର ଦୈର୍ଘ୍ୟ ୭୫ କିଲୋମିଟର। ରାସ୍ତା ମଧ୍ୟରେ କର୍ଲାପାଟ ଅଭାୟାରଣ୍ୟ ରହିଛି ଏଣୁ ଅନେକ ସମୟରେ ବାଘ, ଭାଲୁ ଏବଂ ହାତୀ ଭଳି ଜଙ୍ଗଲି ଜନ୍ତୁଙ୍କ ଭୟ ରହିଥାଏ। ଏହାସହ ରାସ୍ତାର ୬୦ କିଲୋମିଟର ଉଚ୍ଚ ପାହାଡ ଏବଂ ଅନେକ ବିପଦପୂର୍ଣ୍ଣ ବୁଲାଣି ରହିଛି। ତେଣୁ ଲୋକେ କେବଳ ସିଙ୍ଗାରୀ ଘାଟିର ୮ କିଲୋମିଟର ରାସ୍ତା ପାର ହୋଇ କଲମପୁର ଦେଇ ସୁରକ୍ଷିତ ଭାବେ ଯାତାୟାତ କରିଥାନ୍ତି । ଏପରିକି ଏହି ରାସ୍ତା ଦେଇ ସଙ୍କଟପୂର୍ଣ୍ଣ ରୋଗୀ, ଗର୍ଭବତୀ ମହିଳାଙ୍କୁ ଆମ୍ବୁଲାନ୍ସ ସହାୟତାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥାଏ। ତେଣୁ ସିଙ୍ଗାରୀ ଘାଟି ରାସ୍ତା ଥୁଆମୁଳ ରାମପୁର ଅଂଚଳବାସୀଙ୍କ ପାଇଁ ଜୀବନ ରେଖା ପାଲଟିଥିବା ବେଳେ ବର୍ତ୍ତମାନ ରାସ୍ତାର କ୍ଷମତା ଠାରୁ ଅଧିକ ଓଜନ ବିଶିଷ୍ଟ ସାମଗ୍ରୀ ପରିବହନ କରି ଭାରିଯାନ ଚଳାଚଳ କରୁଥିବାରୁ ରାସ୍ତାର ଅବସ୍ଥା ଦୟନୀୟ ହୋଇପଡ଼ିଛି। ଏହି ରାସ୍ତା ଦେଇ ଜିଲାପାଳ, କମିଶନରଙ୍କ ଭଳି ଉଚ୍ଚ ପଦାଧିକାରୀ, ସରକାରୀ ଅଧିକାରୀ, ବିଧୟାକ, ସାଂସଦ ଏବଂ ମନ୍ତ୍ରୀ ଯାତାୟାତ କରୁଥିଲେ ମଧ୍ୟ ରାସ୍ତା ପ୍ରତି କାହାରି ନିଘା ନାହିଁ। ତୁରନ୍ତ ରାସ୍ତା ନିର୍ମାଣ କରା ନ ଗଲେ ଆଗାମୀ ଦିନରେ ଉଭୟ କଲମପୁର ଏବଂ ଥୁଆମୁଳ ରାମପୁର ଅଂଚଳବାସୀ ତଥା ଯୁବ ସାମ୍ବାଦିକଙ୍କ ପକ୍ଷରୁ ଜନ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି। ଏ ନେଇ ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ମୀନକେତନ କାର୍ଜିଙ୍କୁ ପଚାରିବାରୁ “ବନ ବିଭାଗର ପର୍ମିସନ୍ ମିଳିପାରୁନାହିଁ ବୋଲି ଆମେ କିଛି କରିପାରୁନାହୁଁ, ସେମାନେ ଯୋଦି ପର୍ମିସନ ଦିଅନ୍ତେ ତେବେ ରାସ୍ତାର ନବୀକରଣ କରାଯାନ୍ତା ଏବଂ ଟେଣ୍ଡର ମଧ୍ୟ ହୁଅନ୍ତା କିନ୍ତୁ ଆମେ ଡିଜିପିଏସ ସର୍ଭେ କରି ଅନୁମୋଦନ ପାଇଁ ଉପରକୁ ରିପୋର୍ଟ ଦେଇ ସାରିଛୁ ଉପରୁ ନିର୍ଦ୍ଦେଶ ଆସିଲେ ଆମେ ଚଳିତ ବର୍ଷ ମଧ୍ୟ କାମ ବା ଟେଣ୍ଡର ଆରମ୍ଭ କରିଦେବୁ”ବୋଲି ସୂଚନା ଦେଇଛନ୍ତି।