ମାଁ ମହାକାଳୀ ଦେବୀଙ୍କ ପୂଜା ଓ ଭୈରବ ଦେବଙ୍କ ଝାମୁଯାତ୍ରା ମହାସମାରୋହରେ ସମ୍ପନ୍ନ I

ଥୁଆମୂଳ ରାମପୁର,୨୨|୧୦(ଦୁର୍ଗା କୀର୍ତ୍ତି) : କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମାର ତାଳବନ୍ଧ ପଡାରେ ନବ ଜୀବନର ଯୁବ ଅନୁଷ୍ଠାନ ଓ ଦୀପାବଳି ପୂଜା କମିଟିର ମିଳିତ ଆନୁକୂଲ୍ୟରେ ମାଁ ମହାକଳୀ(ବେଙ୍ଗୁଳି ଦେବୀ)ଙ୍କ ପୂଜା ଓ ଦିପାବଳି ପର୍ବରେ ଭୈରବ ଦେବଙ୍କ ଝାମୁଯାତ୍ରା ମହାସମାରୋହରେ ସମ୍ପନ୍ନ ହୋଇଯାଇଛି। ଏହି ଅବସରରେ ଦୀପାବଳି ପର୍ବ ତଥା ପ୍ରଥମ ଦିନ ସୋମବାର ପଡାର ମା ବେଙ୍ଗୁଳି ଦେବୀଙ୍କ ମନ୍ଦିରରେ ପାରମ୍ପରିକ ରୀତିନୀତି ଅନୁଯାୟୀ ମୁର୍ତ୍ତି ସ୍ଥାପନା ଏବଂ ପୂଜାର୍ଚ୍ଚନା ପରେ ପଡାର ଆବାଳ ବୃଦ୍ଧବନିତା ମିଳିତ ହୋଇ ଗାଁ ନିକଟ ନାଳରୁ ଗଙ୍ଗାଦେବୀଙ୍କୁ ପୂଜାର୍ଚ୍ଚନା ପୂର୍ବକ ଆବାହନ କରି କଳସରେ ଜଳ ଭର୍ତ୍ତି କରି କୁମାରୀ କନ୍ୟା ଏବଂ ଯୁବତୀ ମାନେ ମୁଣ୍ଡରେ କଳସ ଧାରଣ କରି କଳସ ଯାତ୍ରାରେ ସହର ପରିକ୍ରମା କରି ଶେଷରେ ପଡାସ୍ଥିତ ମନ୍ଦିରରେ ଉକ୍ତ କଳସ ଗୁଡିକୁ ସ୍ଥାପନ କରିଥିଲେ।

ଏହି କଳସ ଶୋଭାଯାତ୍ରାରେ ସ୍ଥାନୀୟ ଯୁବକଙ୍କ ଦ୍ବାରା ବିଭିନ୍ନ ବ୍ୟଙ୍ଗାତ୍ମକ ବେଶଭୂଷା ସହିତ କଳା ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଥିବା ବେଳେ ସେଥିରେ ମୁଖ୍ୟ ଆକର୍ଷଣ ସାଜିଥିଲା ଅଘୋରୀ ଦଳଙ୍କ ବିଚିତ୍ର ଭେଷ l ଅନୁଷ୍ଠାନ ତଥା ପଡ଼ାର କିଛି ଯୁବକ ବାବା ମହାକାଲ ଦେବଙ୍କ ଅନ୍ୟ ରୂପ ଅଘୋରି ଭେଶରେ ବାହାରି ମୁଖ୍ୟ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟି ଥିଲେ l ସଂଧ୍ୟାରେ ଲୋକଙ୍କ ମନୋରଞ୍ଜନ ପାଇଁ ନାଟକ ମଞ୍ଚସ୍ଥ ହୋଇଥିଲା। ଦ୍ୱିତୀୟ ଦିବସ ମଙ୍ଗଳବାର ଦିନ ମଧ୍ଯାନ୍ନରେ ଅଗ୍ନି ଖଲାରେ ଥିବା କାଠରେ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରି ଅଗ୍ନି ସଂଯୋଗ କରାଯାଇଥିଲା, ଅପରାହ୍ନ ସମୟରେ ମନ୍ଦିରରେ (ବେଙ୍ଗଳି ଦେବୀ) ଅଥବା ମାଁ ମହାକାଳୀ ଓ ଭୈରବ ଦେବଙ୍କ ପୂଜାର୍ଚ୍ଚନା ସାରି ଦୁଇ ଗୋଟି ଜଳପୂର୍ଣ୍ଣ ମାଟି ହାଣ୍ତିକୁ ଧାନରେ ପୃଥକ ପୃଥକ ହାଣ୍ଡିକୁ ରଖି ହାଣ୍ଡି ଉପରେ ଦୁଇ ଗୋଟି ଗାଦିଆ କଣ୍ଟା ରଖା ଯାଇଥିଲା ଶେଷରେ ମନ୍ଦିରର ମାଁ ବେଙ୍ଗଟି ଦେବୀ ତଥା ମାଁ ମହାକଳୀ ଓ ଭୈରବ ଦେବଙ୍କର ପୂଜାର୍ଚ୍ଚନା ପରେ ବିଦ୍ୟାଧର ନାଏକଙ୍କ ଦେହରେ ଅଗ୍ନି ଭୈରବ ଓ ରାମଚନ୍ଦ୍ର ନାଏକଙ୍କ ଦେହରେ ମାଣିକେଶ୍ବରୀଙ୍କ କାଳିସୀ ଲାଗି ହେଲା ପରେ ଉଭୟେ ନଗର ପରିକ୍ରମା କରିଥିଲେ। ଏହାପରେ ମାଟିଆ ଗାଦିଆ ବସା ଏବଂ କଣ୍ଟା ଗାଦିଆ ଦୋଳି ଝୁଲା ଉତ୍ସବ ଅନୁଷ୍ଠିତ ହୋଇଥିଲା। ପରେ ଅଗ୍ନି ଭୈରବ ଦେବଙ୍କ ଝାମୁଯାତ୍ରା ପର୍ବ ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ କାଳିସୀ ଲାଗି ଅଗ୍ନି ଭୈରବ ନିଆଁରେ ଚାଲି ମହିମା ଦେଖାଇଥିଲେ। ସଂଧ୍ୟାରେ ଓଡ଼ିଶା ତଥା ପଶ୍ଚିମ ଓଡିଶାର ବିଶିଷ୍ଟ କଳାକାର“ମାଁ ଇଷ୍ଟଦେବୀ (ଉମାକାନ୍ତ ବାରିକ)”ଙ୍କ ଦ୍ବାରା ସମ୍ବଲପୁରୀ ମେଲୋଡି ଅନୁଷ୍ଠିତ ହୋଇଥିଲା। ଏଥିରେ ପଡୋଶୀ ରାୟଗଡ଼ା, ନବରଙ୍ଗପୁର ଜିଲ୍ଲା ଠାରୁ ଆରମ୍ଭ କରି ଜୟପାଟଣା, ଜୁନାଗଡ଼, ଧର୍ମଗଡ, ଭବାନୀପାଟଣା ଆଦି ବ୍ଲକ ର ହଜାର ହଜାର ଦର୍ଶକଙ୍କ ସମାଗମ ହୋଇଥିଲା l ଅନ୍ତିମ ଦିନ ବାହୁକ ବୈଦ୍ୟନାଥ ବାଗଙ୍କ ଦ୍ବାରା ଜେନା ମରା ପର୍ବ ଅନୁଷ୍ଠିତ ହୋଇଥିଲା ।ଏଥି ସହିତ ତାଳବନ୍ଧ ପଡାର ତିନିଦିନିଆ ଦୀପାବଳୀ ଉତ୍ସବ ଶେଷ ହୋଇଛି। ନବଜୀବନ ଯୁବ ଅନୁଷ୍ଠାନ ଏବଂ ସ୍ଥାନୀୟ ଦୀପାବଳି ପୂଜା କମିଟିର ମିଳିତ ସହଯୋଗରେ ଆୟୋଜିତ ଏହି ଦୀପାବଳି ପର୍ବ ଶାନ୍ତି ଶୃଙ୍ଖଳାର ସହିତ ସମ୍ପନ୍ନ ହୋଇଥିବା ବେଳେ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ର ବ୍ୟବସ୍ଥା ହୋଇଥିଲା ।