ମାଁ ମାଣିକେଶ୍ବରୀଙ୍କ ତନ୍ତ୍ର ମନ୍ତ୍ର ର ମୂଳପୀଠ : ଥୁଆମୂଳ ରାମପୁର ଠାରେ ସମ୍ପନ୍ନ ହେଲା ଦଶହରା ବା ବିଜୟ ଛତର ଯାତ୍ରା l

ଥୁଆମୂଳ ରାମପୁର,୩୦l୦୯-(ଦୁର୍ଗା କୀର୍ତ୍ତି):-କଳାହାଣ୍ଡି ଗଡଜାତ ମାଣିକ୍ୟଗଡର ଅଧୃଷ୍ଠାତ୍ରୀ ଦେବୀ ଜଗତଜନନୀ ମା ମଣିକେଶ୍ବରୀଙ୍କ ତନ୍ତ୍ର ମନ୍ତ୍ର ର ମୂଳପୀଠ ଥୁଆମୂଳ ରାମପୁର ଠାରେ ପବିତ୍ର ଦଶହରା ପର୍ବ ଓ ଛତର ଯାତ୍ରା ମଙ୍ଗଳବାର ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମାଁ ଭକ୍ତଙ୍କୁ ସିଧା ସଳଖ ଦର୍ଶନ ଦେବା ସହିତ ମାନସିକ ପୂରଣ କରିଥାନ୍ତି ବୋଲି ବିଶ୍ବାସ ରହିଆସିଛି । ଚଳିତ ବର୍ଷ ବହୁ ସଂଖ୍ୟାରେ ଆଖପାଖ ଅଂଚଳର ଭକ୍ତ ମାନେ ମାଁ ଙ୍କର ଦର୍ଶନ ପାଇଁ ରାତିସାରା ଉଜାଗର ରହି ଅପେକ୍ଷା କରି ଚାହିଁ ରହିଥିଲେ। ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ପରମ୍ପରା ଅନୁଯାୟୀ ଦଶହରା ଆଶ୍ୱିନ ମାସ ଶୁକ୍ଳ ପକ୍ଷ ପ୍ରତିପଦା ତିଥିରେ ଅଭିଷିକ୍ତ ମନ୍ଦିର ପୁଝାରୀ ମାନଙ୍କ ଦ୍ବାରା ମାଆଙ୍କର ଖଣ୍ଡାବସା ପର୍ବ ହେବା ସହ ମସ୍ତକ ସ୍ଥାପନ ହେବା ପରଠାରୁ ଷୋଡଶ ଉପଚାର ପୂଜା ମାଧ୍ଯମରେ ଷୋହଳ ଦିନାତ୍ମକ ପୂଜା ଆରମ୍ଭ କରାଯାଇଥିଲା । ମହାଷ୍ଟମୀ ମଧ୍ୟ ରାତ୍ରି ରେ ମାଁ ଦକ୍ଷିଣ ମହାକାଳୀଙ୍କ ପାଖରେ ମହାପଶୁ ବଳି ହେବା ପରେ ମାଆଙ୍କର ପ୍ରତ୍ୟେକ ଛତର ବା ମା ଦକ୍ଷିଣ କାଳୀଙ୍କ କାଳିଶି (ବୋକ୍) ମନ୍ଦିର ରୁ ବାହାରି ଉଗ୍ର ରୂପରେ ସହର ଉପକଣ୍ଠ ଜେନାଖାଲ ପାଖକୁ ଯାଇଥିଲେ । ଏହି ଯାତ୍ରା ସମୟରେ ସ୍ଥାନୀୟ ଲୋକେ କେହି ଦର୍ଶନ କରିବା ବାରଣ ଥିଲେ ମଧ୍ୟ ବର୍ତ୍ତମାନର ଏହି ଆଧୁନିକ ଯୁଗରେ ବହୁ ଦୂର ଦୁରାନ୍ତରୁ ଆସୁଥୁବା ଲୋକେ ରାସ୍ତା ଘାଟରେ ଦର୍ଶନ କରୁଥିବା ଦେଖାଯାଏ । ମାଁ ମଣିକେଶ୍ବରୀଙ୍କର ଛତର ଜେନା ଖାଲରେ ପହଞ୍ଚିବା ପରେ ସେଠାରେ ଗୁପ୍ତ ପୂଜା ସହିତ ବଳୀ ଭୋଗ ଦିଆଯିବା ପରେ ସୁର୍ଯ୍ୟ ଉଦୟ ହେବା ପୂର୍ବରୁ ଜେନଖାଲ ରୁ ମାଁଙ୍କ ଛତରକୁ ମନ୍ଦିର ସେବାୟତ ମାନେ ଧାରଣ କରି ଶୋଭାଯାତ୍ରାରେ ମନ୍ଦିର ଅଭିମୁଖେ ପ୍ରତ୍ଯାବର୍ତ୍ତନ କରିବା ପ୍ରଥା ରହିଥିବା ବେଳେ ଆଜିକାର ସମୟରେ ସକାଳ ପ୍ରାୟ ୭ଟା ରୁ ୭ଟା ୩୦ ହୋଇଯାଇଛି । ଏହି ଛତର ଯାତ୍ରା ସମୟରେ ମାନସିକ ଧାରି ମାନେ ମାଙ୍କ ଉଦ୍ଦେଶ୍ୟରେ ବଳୀ ଭୋଗ ଅର୍ପଣ କରିଥାନ୍ତି। ମାଙ୍କ ଉପରେ ଭକ୍ତ ମାନଙ୍କ ଅଗାଧ ବିଶ୍ବାସ ରହିଛି । କଳାହାଣ୍ଡିର ଅଧୃଷ୍ଠାତ୍ରୀ ଦେବୀ ମାଣିକେଶ୍ବରୀଙ୍କର କିମ୍ବଦନ୍ତୀ ଅନନ୍ୟ, ପରମ୍ପରା ମଧ୍ଯ ଅନନ୍ୟ । ମାଁ ଙ୍କର ଛତର ମନ୍ଦିରକୁ ଫେରିବା ପରେ ମନ୍ଦିରର ଅନ୍ୟାନ୍ୟ ପୂଜକ ସମ୍ମାନର ସହ ବନ୍ଦାପନା କରି ମାଁ ଙ୍କୁ ମନ୍ଦିରକୁ ପାଛୋଟି ନେଇଥିଲେ l ପରଦିନ ଅର୍ଥାତ୍ ଆସନ୍ତା ଦଶମୀ ତିଥି ୨ତାରିଖରେ ବାବା ଖଣ୍ଡୁଅଳ ଖେଳ ପଡ଼ିଆକୁ ଛତର ବିଜେ କରିବେ ଏବଂ ସେଠାରେ ଲାଖ ମରା ପ୍ରତିଯୋଗିତା ଅନୁଷ୍ଠିତ ହେବ ଓ ବିଜୟୀଙ୍କୁ ପୁଜାକମିଟି ପକ୍ଷରୁ ସମ୍ମାନିତ କରାଯିବ । ଚଳିତ ବର୍ଷ ଦଶହରା ପର୍ବ ବା ଛତର ଯାତ୍ରା ସୁରୁଖୁରୁରେ ପାଳନ ହୋଇଯାଇଛି । କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା ମାଣିକେଶ୍ବରୀଙ୍କ ଆଉ ଏକ ଅଂଶ ବିଶେଷ ଭବାନୀପାଟଣା, ଥୁଆମୂଳ ଏବଂ କାଶିପୁର ଠାରେ ପୂଜିତ ହେଉଥ‌ିବା ବେଳେ ସେଠାରେ ମଧ୍ୟ ପ୍ରତିବର୍ଷ ପରି ଏହି ବର୍ଷ ମଧ୍ଯ ଛତର ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ।