ମାଁ ମାଣିକେଶ୍ଵରୀ ଓ ବାବା ଅଗ୍ନି ଭୈରବ ଦେବଙ୍କ ମାଘ ଝାମୁଯାତ୍ରା ମହାସମାରୋହରେ ସମ୍ପନ୍ନ l

ଥୁଆମୂଳ ରାମପୁର,୧୧/୦୨-(ଦୁର୍ଗା କୀର୍ତ୍ତି) ହିନ୍ଦୁ ଧର୍ମର ଶାସ୍ତ୍ର ଅନୁଯାୟୀ ରାଜ୍ୟ ସାରା ୧୨ ମାସରେ ୧୩ ପର୍ବପର୍ବାଣିର ପରମ୍ପରା କେଉଁ କାଳରୁ ଚାଲି ଆସିଥିବା ବ୍ଯବସ୍ଥା ରହିଛି। ଏହାକୁ ଆଧାର କରି ପୁରପଲ୍ଲୀରେ ଏହାକୁ ପାଳନ କରୁଥିବା ବେଳେ ଆଜି ବି ଅନେକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଏହା ଭିନ୍ନ ଢଙ୍ଗରେ ଦେଖିବା ମିଳୁଛି। ସେଭଳି କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍ ଗୁଣୁପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ଗୋକୋଲମା ବଙ୍ଗଳା ପଡ଼ାଠାରେ ମାଘ ମାସ ଶୁକ୍ଳ ପକ୍ଷ ତ୍ରୟୋଦଶୀ ତିଥିରେ ମଙ୍ଗଳବାର ମାଘ ଝାମୁ ଯାତ୍ରା ବା ମାଁ ମାଣିକେଶ୍ଵରୀ ଓ ବାବା ଅଗ୍ନି ଭୈରବ ଦେବଙ୍କ ଝାମୁଯାତ୍ରା ମହାସମାରୋହରେ ସମ୍ପନ୍ନ ହୋଇଯାଇଛି। ପରମ୍ପରା ଅନୁସାରେ ମନ୍ଦିର ପୂଜକ ଏହି ଯାତ୍ରାର ପ୍ରଥମ ଦିନରେ ୫ଟି ନୂଆ ଚାଙ୍ଗୁଡ଼ିରେ ବାଲି ଆଣି ବିଭିନ୍ନ ପ୍ରକାର ଶସ୍ୟ ଯଥା ଧାନ, କାନ୍ଦୁଳ, ମୁଗ, ବିରି, ମାଣ୍ଡିଆ, ଭଳି ଅନ୍ଯାନ୍ଯ ଶସ୍ୟକୁ ଅଙ୍କୁର ବା ଗଜା ହେବା ପାଇଁ ଚାଙ୍ଗୁଡ଼ିରେ ଥ‌ିବା ବାଲିରେ ପକାଇ ଥାଆନ୍ତି ଓ ବେଳ କଣ୍ଟା ଦୋଳି ତିଆରି କରାଯାଇଥାଏ । ଅଙ୍କୁର ବା ଗଜା ହୋଇଥିବା ଚଙ୍ଗୁଡି ଓ କଣ୍ଟା ଦୋଲିକୁ ୯ ଦିନ ବ୍ୟାପି ଶ୍ରଧ୍ୟା ଓ ନିଷ୍ଠାର ସହିତ ମନ୍ଦିରରେ ପୂଜା ଅର୍ଚ୍ଚନା କରାଯାଇଥାଏ।

ପରେ ଭଗବାନ ନଗର ପରିକ୍ରମା ନିମନ୍ତେ ସମସ୍ତ ଭକ୍ତଙ୍କୁ ଦର୍ଶନ ଦିଅନ୍ତି। ଏହି ଦିନ ବାବା ଅଗ୍ନି ଭୈରବ ଓ ମାଁ ମାଣିକେଶ୍ୱରୀଙ୍କ ନିମନ୍ତେ ପୂର୍ବରୁ ପ୍ରସ୍ତୁତ କଣ୍ଟା ଡୁମା ମାଠିଆ ଗାଦିରେ ବିଜେ କରି ଭକ୍ତଙ୍କୁ ଦର୍ଶନ ଦେଇଥିଲେ। ଗାଁର ରୋହିତ ନାଏକଙ୍କ ଦେହରେ ଭଗବାନ କାଳିଶି ଲାଗି ଅର୍ବିଭାବ ହୋଇଥିଲେ। ଏହାପରେ ଭଗବାନଙ୍କ କାଳିସୀ ମୁଖ୍ୟ ମନ୍ଦିରରୁ ବାହାରି ଶତାଧିକ ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଥିଲେ । ମାନସିକ ଧାରି ଭକ୍ତ ଓ ଶ୍ରଦ୍ଧାଳୁ ନିଜ ମାନସିକ ପ୍ରାପ୍ତ ହୃଦୟଙ୍ଗମ କରି କୁକୁଡ଼ା, ବୋଦା, ପାରା, ନଡ଼ିଆ ଭଳି ଭୋଗ ଅର୍ପଣ କରିଥିଲେ। ଦେବତାଙ୍କ ଏହି ଯାତ୍ରାରେ ମନ୍ଦିର ମୁଖ୍ୟ ପୂଜକ ରୋହିତ ନାଏକ ଶ୍ରୀକାନ୍ତ ନାଏକ, ପ୍ରଦୀପ ନାଏକ, ଦୀପକ ନାଏକ, ରାଜନ ନାଏକ, ଗଙ୍ଗାରାମ ନାଏକ, କୁମାରୁ ନାଏକ, ବ୍ରଜ ସୁନ୍ଦର ନାଏକ (ବବ୍ଲୁ) ଏବଂ ଆଖପାଖ ଗ୍ରାମବାସୀଙ୍କ ସହଯୋଗରେ ଯାତ୍ରାଟି ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଥିଲା