ମୁଖ୍ୟ ଉନ୍ନୟନ ଅଧିକାରୀ ଙ୍କ ଥୁଆମୂଳ ରାମପୁର ଗସ୍ତ କାର୍ଯ୍ୟକ୍ରମ

ଥୁଆମୂଳ ରାମପୁର,୨୬|୧୦(ଦୁର୍ଗା କୀର୍ତ୍ତି):-କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ କିଆପଦର ପଞ୍ଚାୟତ ପରିଦର୍ଶନ ରେ ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ(ସିଡିଓ) ଗସ୍ତ କରି ଫେରିଛନ୍ତି l ଶନିବାର ସିଡିଓ ଦୟାମୟ ପାଢ଼ୀ ଉକ୍ତ ପଞ୍ଚାୟତର ମେଲଘରା ଗାଁକୁ ଯାଇ ଗ୍ରାମବାସୀଙ୍କ ଠାରୁ ବିଭିନ୍ନ ସମସ୍ୟା ବୁଝିଥିଲେ। ଥୁଆମୂଳ ରାମପୁର ବିଡ଼ିଓ ଧ୍ରୁବ ଚରଣ ମୁଦୁଲି, ସହକାରୀ ନିର୍ବାହୀ ଯନ୍ତ୍ରୀ ସାଲଖୁ ହେମ୍ବ୍ରମ, ଯନ୍ତ୍ରୀ ମଳୟ ଶତପଥୀ, ବ୍ଲକ ଆବାସ ଯୋଜନା ସଂଯୋଜକ ରାଜେନ୍ଦ୍ର ନାରାୟଣ ଦେବ ପ୍ରମୁଖ ସିଡିଓ ଶ୍ରୀ ପାଢ଼ୀଙ୍କ ଗସ୍ତରେ ଉପସ୍ଥିତ ଥିଲେ।ଦୟନୀୟ ଅବସ୍ଥାରେ ଚାଲୁଥିବା ସ୍ଥାନୀୟ ବିଦ୍ୟାଳୟର କୋଠା ସମ୍ପର୍କରେ ଅବଗତ ହେଲାପରେ ବିଦ୍ୟାଳୟ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଥିଲେ।ବିଦ୍ୟାଳୟ କୋଠାର ଛାତ ବିପଦସଂକୁଳ ଅବସ୍ଥାରେ ଥିବା ଦେଖି ଏକ ନୂତନ କୋଠା ନିର୍ମାଣ ପାଇଁ ପଦକ୍ଷେପ ନେବାକୁ ସହକାରୀ ନିର୍ବାହୀ ଯନ୍ତ୍ରୀ ଶ୍ରୀ ହେମ୍ବ୍ରମଙ୍କୁ କହିଥିଲେ। ଉକ୍ତ ବିଦ୍ୟାଳୟ ପରିଦର୍ଶନ ସମୟରେ ବିଦ୍ୟାଳୟରେ ଜଣେ ମାତ୍ର ଶିକ୍ଷକ ଉପସ୍ଥିତ ରହି ଥିଲେ। ବିନା ଛୁଟି ଦରଖାସ୍ତରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଏବଂ ସହ ଶିକ୍ଷକ ଅନୁପସ୍ଥିତ ରହିଥିବା ଦେଖି ତୁରନ୍ତ ଏମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଗସ୍ତରେ ଯାଇଥିବା ଥୁଆମୂଳ ରାମପୁର ବିଡ଼ିଓ ଧ୍ରୁବ ଚରଣ ମୁଦୁଲିଙ୍କୁ କହିଥିଲେ।ଏହାପରେ ଗାଁରେ ଚାଲୁଥିବା ବିଭିନ୍ନ ମନରେଗା କାମ ଗୁଡିକ ମଧ୍ୟ ଦେଖିଥିଲେ। ଏଥିସହିତ ଅନ୍ତୋଦୟ ଗୃହ ଯୋଜନାର ହିତାଧିକାରୀଙ୍କୁ ସାକ୍ଷାତ କରି ନିର୍ମାଣ ସ୍ଥିତି ଉପରେ ଅବଗତ ହୋଇଥିଲେ। ଗାଁରେ ପାନୀୟଜଳ ସମସ୍ୟା ରହିଥିବା ବେଳେ ଗ୍ରାମର ୩ ଟି ନଳକୂପ ମଧ୍ୟରୁ ୨ଟି ନଳକୂପର ପାଣି ବ୍ୟବହାର ଅନୁପଯୋଗ ହୋଇଥିବା ଫଳରେ ପାଣି ସମସ୍ୟା ଦେଖାଦେଇଥିବା ଅଭିଯୋଗ ଆଣିଥିଲେ ଗ୍ରାମବାସୀ। ସିଡିଓଙ୍କ ଏହି ଗସ୍ତ ସମୟରେ କିଆପଦର ସରପଞ୍ଚ ଲଖିଧର ମାଝୀ, ପିଇଓ ବଶିଷ୍ଠ ଶବରଙ୍କ ସମେତ ଅନେକ ପଦାଧିକାରୀ ଉପସ୍ଥିତ ଥିଲେ।