ଲଗାଣ ବର୍ଷାରେ ୪୦ ରୁ ଉର୍ଦ୍ଧ୍ବ ଗାଈଗୋରୁଙ୍କ ମୃତ୍ୟୁ,ପ୍ରାଣୀ ସମ୍ପଦ ବିଭାଗ ଅଗୋଚର l

ଥୁଆମୂଳ ରାମପୁର,୦୧/୦୮-(ଦୁର୍ଗା କୀର୍ତ୍ତି):- ଗତ ୧୫ ଦିନର ଲଗାଣ ବର୍ଷା ଯୋଗୁଁ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକର ଅଡ୍ରୀ ଗ୍ରାମରେ ପ୍ରାୟ ୪୦ ରୁ ଉର୍ଦ୍ଧ୍ବ ଗାଈଗୋରୁଙ୍କ ମୃତ୍ୟୁ ହୋଇଥିବା ଭଳି ଉଦବେଗ ଜନକ ଘଟଣାର ଅଭିଯୋଗ ସାମ୍ନାକୁ ଆସିଛି। ଥୁଆମୂଳ ରାମପୁର ବ୍ଲକ ପ୍ରାଣୀ ସମ୍ପଦ ବିଭାଗ ପାଖରେ ଏଭଳି ଅଭିଯୋଗ କରାଯାଇଛି ବୋଲି ଗ୍ରାମବାସୀ ସୂଚନା ଦେଇଛନ୍ତି। ସୂଚନା ଅନୁଯାୟୀ ଅଡ୍ରୀ ଗ୍ରାମର ପ୍ରାୟ ୩୦ ରୁ ଉର୍ଦ୍ଧ୍ବ ଗାଈଗୋରୁଙ୍କ ମାଲିକ ଏନେଇ ବ୍ଲକ ପ୍ରାଣୀ ଚିକିତ୍ସା କେନ୍ଦ୍ରରେ ଅଭିଯୋଗ ଦେଇଛନ୍ତି। ଲଗାଣ ବର୍ଷା ଯୋଗୁଁ ଗାଈଗୋରୁଙ୍କ ଖାଦ୍ୟାଭାବ ରହିବା ସହିତ ଥଣ୍ଡା ସହ୍ୟ କରିନପାରି କିଛି ଗାଈଗୋରୁଙ୍କ ମୃତ୍ୟୁ ହୋଇଥିବା ବେଳେ ପାଟି ଓ ନାକରୁ ଫେଣ ବାହାରି ଅନେକ ଗାଈଗୋରୁଙ୍କ ମୃତ୍ୟୁ ହୋଇଛି ବୋଲି ଗ୍ରାମବାସୀ ଅଭିଯୋଗ ଆଣିଛନ୍ତି।

୧୫ ଦିନର ଲଗାଣ ବର୍ଷା ଜାରି ରହିଥିବା ବେଳେ ଇତିମଧ୍ୟରେ ପ୍ରାୟ ଦିନ ଗାଈଗୋରୁଙ୍କ ଏଭଳି ମୃତ୍ୟୁ ଘଟିଚାଲିଥିଲା।ଏହାକୁ ନେଇ ବ୍ଲକ ପ୍ରାଣୀ ସମ୍ପଦ ବିଭାଗକୁ ସୂଚନା ଦେଇଥିଲେ ମଧ୍ୟ କୌଣସି ପ୍ରାଣୀ ଚିକିତ୍ସକ ଆସିନଥିବା ଭଳି ଅଭିଯୋଗ ସାମ୍ନାକୁ ଆସିଛି। ଥୁଆମୂଳ ରାମପୁର ବ୍ଲକର ଅଡ୍ରୀ, ଗୋପୀନାଥପୁର, ମାଳିଗାଁ, ପୋଡାପଦର ଏବଂ ତଳନାଗୀ ପଞ୍ଚାୟତ ପାଇଁ ଗୋପୀନାଥପୁର ଠାରେ ଏକ ପ୍ରାଣୀ ଚିକିତ୍ସା ନିରୀକ୍ଷକଙ୍କ କାର୍ଯ୍ୟାଳୟ ରହିଛି। ହେଲେ ଏଠାରେ ନିଯୁକ୍ତ ପ୍ରାଣୀ ଚିକିତ୍ସା ନିରୀକ୍ଷକ ରହୁ ନଥିବା ବେଳେ ଏହି ଗ୍ରାମ ପଞ୍ଚାୟତର ପ୍ରାଣୀ ମାନଙ୍କ ସୁରକ୍ଷାରେ ସମ୍ପୂର୍ଣ୍ଣ ଅବହେଳା ପରିଲକ୍ଷିତ ହୋଇଛି। ୫ ଗୋଟି ପଞ୍ଚାୟତର ବିଚିତ୍ର ଭୌଗଳିକ ସ୍ଥିତି ରହିଛି। ଯେଉଁଥିରେ ଇନ୍ଦ୍ରାବତୀ ଜଳବନ୍ଦୀ ପୋଡାପଦର ଏବଂ ଇନ୍ଦ୍ରାବତୀ ଜଳଭଣ୍ଡାର ଆର ପାରିରେ ତଳନାଗୀ ପଞ୍ଚାୟତ ରହିଛି ଏପରି ସ୍ଥଳେ କିଭଳି ଦାୟିତ୍ୱ ସମ୍ପାଦନ ହେଉଥିବ ତାହା ସହଜରେ ଅନୁମେୟ। ହେଲେ ଏସବୁ ପଞ୍ଚାୟତ ପାଇଁ ଯେଉଁ କେନ୍ଦ୍ର ଗୋପୀନାଥପୁର ଠାରେ ରହିଛି ସେଠାରେ ପୁର୍ଣ୍ଣଚନ୍ଦ୍ର ସୁନ୍ଦରରାୟ ନାମକ ଜନୈକ ପ୍ରାଣୀ ଚିକିତ୍ସା ନିରୀକ୍ଷକ ନିଯୁକ୍ତ ହୋଇଥିଲେ। କିନ୍ତୁ ତାଙ୍କୁ ଗତ ଡିସେମ୍ବର ୨୦୨୩ ରେ ପ୍ରାଣୀ ସମ୍ପଦ ବିଭାଗ ଜିଲ୍ଲାର ନର୍ଲା ବ୍ଲକକୁ ଡେପୁଟେସନ୍ ବଦଳି କରିଛି। ତାଙ୍କ ସ୍ଥାନରେ ବ୍ଲକର ଡୁମେରପଦର କେନ୍ଦ୍ରର ପ୍ରାଣୀ ଚିକିତ୍ସା ନିରୀକ୍ଷକ ଶ୍ରୀମନ୍ତ ପୁଝାରୀଙ୍କୁ ଅତିରିକ୍ତ ଦାୟିତ୍ୱ ଦେଇ ଚୁପଚାପ ରହିଛି। ହେଲେ ଡୁମେରପଦର ଏବଂ ତଳଝାପି ପାଇଁ ନିଯୁକ୍ତ ଏହି ଅଧିକାରୀଙ୍କୁ ପୁଣି ଆଉ ୫ ଗୋଟି ପଞ୍ଚାୟତ ପାଇଁ ଅସମ୍ଭାଳ ଦାୟିତ୍ୱ ଦେବା କେତେ ଠିକ୍ ତାହା ବୁଝିବାର ଆବଶ୍ୟକତା ରହିଛି। ଏସବୁ ପଞ୍ଚାୟତ ପାଇଁ ଗାଈଗୋରୁ ଛେଳି ମେଣ୍ଢା ମାନଙ୍କୁ ଉପଯୁକ୍ତ ସମୟରେ ଟୀକାକରଣର ଅବହେଳା ରହୁଥିବା ଅଭିଯୋଗ ମଧ୍ୟ ଆଣିଛନ୍ତି ଅଡ୍ରୀ ଗ୍ରାମବାସୀ। ଥୁଆମୂଳ ରାମପୁର ବ୍ଲକରେ ପ୍ରାଣୀ ଚିକିତ୍ସା ସମ୍ପୂର୍ଣ୍ଣ ରୁପେ ଅବହେଳିତ ଅବସ୍ଥାରେ ରହିଛି କହିଲେ ଅତ୍ୟୁକ୍ତି ହେବନାହିଁ।

ଏଠାରେ ନିଯୁକ୍ତ ଅଧିକାରୀ ଜଣକ ପ୍ରାୟତଃ ଅନୁପସ୍ଥିତ ରହୁଥିବା ସହ ଅନେକ ସମୟରେ ନିୟମିତ କାର୍ଯ୍ୟାଳୟ ନଖୋଲିବା ଭଳି ଅଭିଯୋଗ ମଧ୍ୟ ଆସିଛି।ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ବିହିତ ପଦକ୍ଷେପ ନେବା ପାଇଁ ସାଧାରଣରେ ଦାବି ହେଉଛି। ଏନେଇ ଆମେ ବ୍ଲକ୍ ପ୍ରାଣୀ ଚିକିତ୍ସା ଅଧିକାରୀ ଛବିଳ ମାଝୀ ଙ୍କ ପ୍ରତିକ୍ରିୟା ନେବାରୁ ସେ ଫୋନ ଯୋଗେ କହିଲେ କି ଆମେ ଯେଉଁଆଡ଼ୁ କିଛି ଖବର ପାଉଛୁ ସେ ଗାଁ କୁ ଯାଇ ଭେକସିନ କିମ୍ବା ଔଷଧ ପତ୍ର ଦେଇ ଆସୁଛି, ଏମିତି ଗତ ୧୫ ତାରିଖ ରେ ଏହି ସବୁ ଅଞ୍ଚଳ ବୁଲି ଦେଖିଥିଲୁ କାହିଁ ଗୋଟେ ହେଲେ ଗେରୁ ମୃତ୍ୟୁ ହେବା ଖବର ଶୁଣି ନାହୁ କି ଦେଖି ନହୁ ବୋଲି କହିବା ସହ ଗୋଟିଏ ଏଲ ଆଇ ୭ଟି ଲେଖାଁଏ ଗ୍ରାମ ପଞ୍ଚାୟତର ଦାୟିତ୍ଵରେ ଅଛନ୍ତି ଏଣୁ କରି କାମ ଚଳା ସେବା ଚାଲିଛି ବୋଲି କହିଥିଲେ l