ଶୌଚ କରିଯିବା ହେଲା କାଳ : ପୋଖରୀରେ ବୁଡି ବୃଦ୍ଧ ଦମ୍ପତିଙ୍କ ମୃତ I

ଥୁଆମୂଳ ରାମପୁର, ୮/୧୨-(ଦୁର୍ଗା କୀର୍ତ୍ତି):- ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ କର୍ମ ପାଇଁ ଯିବା ହେଲା କାଳ, ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା ଭଳି ଅଭାବନୀୟ ଘଟଣାକୁ ନେଇ ଅଞ୍ଚଳରେ ଏକ ଶୋକର ଛାୟା ଖେଳିଯାଇଛି। ମିଳିଥିବା ସୂଚନାରୁ ଜଣାଯାଏ ଯେ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଥାନା/ମହୁଲପାଟଣା ଫାଣ୍ଡି ଅନ୍ତର୍ଗତ ପାଡେପଦର ଗ୍ରାମ ପଞ୍ଚାୟତ ସ୍ଥିତ ଖମାରପଦର ଗ୍ରାମରେ ଘଟିଛି ଏଭଳି ଏକ ଅଭାବନୀୟ ଦୁଃଖଦ ଘଟଣା l ଗ୍ରାମର ସତ୍ୟବାନ୍ ନାଏକ (୬୧) ଏବଂ ତାଙ୍କ ସ୍ତ୍ରୀ ପ୍ରତିମା ନାଏକ(୬୦) ଦୁହେଁ ଗତ ରବିବାର ସକାଳ ପ୍ରାୟ ୬.୩୦ ସମୟରେ ଗାଁ ନିକଟ ତଳପଦର୍ ପୋଖରୀକୁ ପ୍ରତିଦିନ ଭଳି ଶୌଚ କରିବା ପାଇଁ ଯାଇ ନିଖୋଜ ହୋଇଯାଇଥିଲେ l ତେବେ ଉଭୟଙ୍କ ଘରକୁ ଫେରିବା ବିଳମ୍ବ ଦେଖି ସମ୍ଫକୀୟ ଲୋକ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ, ହେଲେ ଉଭୟଙ୍କ କୌଣସି ଖବର ପାଇପାରିଲେ ନାହିଁ।

କିନ୍ତୁ ସୋମବାର ସକାଳୁ ସ୍ତ୍ରୀ ପ୍ରତିମାଙ୍କ ମୃତ ଦେହ ପୋଖରୀରେ ଭାସୁଥିବା ଗ୍ରାମର କିଛି ଲୋକ ଦେଖିବାକୁ ପାଇଥିଲେ ଏବଂ ଏନେଇ ସ୍ଥାନୀୟ ସମିତି ସଭ୍ୟ ତଥା ସାମ୍ବାଦିକ ମୋହନ ସାଗରଙ୍କୁ ଜଣାଇଥିବା ବେଳେ ସମିତି ସଭ୍ୟ ଥୁଆମୂଳ ରାମପୁର ଥାନା ଅଧିକାରୀ କୈବଲ୍ୟ ସେଠ୍ କୁ ସୂଚନା ଦେଇଥିଲେ। ଖବର ପାଇ ଥାନା ଅଧିକାରୀ ଶ୍ରୀ ସେଠଙ୍କ ନିର୍ଦ୍ଦେଶ କ୍ରମେ ଥାନା ଏସ.ଆଇ ସୁଶାନ୍ତ କୁମାର ପଣ୍ଡା ଓ ତାଙ୍କ ପୋଲିସ ସହକର୍ମୀ, ଥୁଆମୂଳ ରାମପୁର ଅତିରିକ୍ତ ତହସିଲଦାର ସନାତନ ମହାରଣା ଓ ଅଗ୍ନିଶମ ବିଭାଗ କର୍ମଚାରୀ ପ୍ରମୁଖ ଘଟଣା ସ୍ଥଳରେ ଯାଇ ପହଞ୍ଚି ପୋଖରୀରୁ ପ୍ରଥମେ ସ୍ତ୍ରୀ ପ୍ରତିମାଙ୍କ ମୃତ ଦେହ ଉଦ୍ଧାର କରି ଆହୁରି ଖୋଜା ଖୋଜି କରିବା ପରେ ସ୍ଵାମୀ ସତ୍ୟବାନ୍ ଙ୍କ ଶବ ମଧ୍ୟ ଉଦ୍ଧାର କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇ ପୃଥକ୍ ପୃଥକ୍ ୟୁଡ଼ି କେସ ନଂ.୧୨/୨୫ ଏବଂ ୧୩/୨୫ରେ ଏକ ମାମଲା ରୁଜ୍ଜୁ କରି ଶବ ବ୍ଯବଛେଦ ପରେ ମୃତଙ୍କର ସମ୍ପର୍କୀୟଙ୍କୁ ଶବ ହସ୍ତାନ୍ତର କରାଯାଇଛି। ତେବେ ଏଭଳି ଅଭାବନୀୟ ଘଟଣା ପାଇଁ ଉକ୍ତ ଅଂଚଳରେ ଶୋକର ଛାୟା ଖେଳି ଯାଇଥିବା ବେଳେ ଅସାବଧାନତା ହେତୁ ଉଭୟ ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ଙ୍କ ଏଭଳି ଘଟଣା ଘଟିଥିବା ଅନୁମାନ କରାଯାଉଛି।