ଶ୍ରଦ୍ଧାଞ୍ଜଳି ସ୍ୱରୂପ ପୁନୀତ ନାମକ ଏକ ଉପଗ୍ରହ ।

କନ୍ନଡ଼ ଚଳଚ୍ଚିତ୍ର ଶିଳ୍ପର ପ୍ରଖ୍ୟାତ ଅଭିନେତା ସ୍ବର୍ଗତ ପୁନୀତ ରାଜକୁମାର । ତାଙ୍କ ପ୍ରଶଂସକ ହୃଦୟରେ ସେ ସଦାସର୍ବଦା ଜୀବିତ। ଏବେ ପୁନୀତ ରାଜକୁମାରଙ୍କୁ ଶ୍ରଦ୍ଧାଞ୍ଜଳି ସ୍ୱରୂପ ପୁନୀତ ନାମକ ଏକ ଉପଗ୍ରହକୁ ଖୁବଶୀଘ୍ର ଶ୍ରୀହରିକୋଟାରୁ ଉତକ୍ଷେପଣ କରାଯିବ।

ଏ ବିଷୟରେ ସୂଚନା ଦେଇ ବିଜ୍ଞାନ ଓ କାରିଗରୀ କୌଶଳ ରାଷ୍ଟ୍ରମନ୍ତ୍ରୀ ସିଏନ୍ ଅସୱନ୍ତ ନାରାୟଣ କହିଛନ୍ତି ଯେ, “ବେଙ୍ଗାଲୁରୁର ଏକ ସରକାରୀ ବିଦ୍ୟାଳୟରେ ପଢୁଥିବା ଛାତ୍ରମାନେ ୧.୯୦ କୋଟି ଟଙ୍କା ବ୍ୟୟରେ ଏକ କେଜିଏସ୩ ଉପଗ୍ରହ ବିକଶିତ କରିଛନ୍ତି। ଆମେ ଦିବଙ୍ଗତ ଅଭିନେତାଙ୍କ ସ୍ମୃତିରେ ଉପଗ୍ରହର ନାମ ପୁନୀତ ରଖିଛୁ, ଯିଏକି ଗତବର୍ଷ ଅକ୍ଟୋବର ମାସରେ ଦୁନିଆରୁ ବିଦାୟ ନେଇଥିଲେ।’’ ନଭେମ୍ବର ୧୫ରୁ ଡିସେମ୍ବର ୩୧ ମଧ୍ୟରେ ଏହି ଉପଗ୍ରହ ଉତକ୍ଷେପଣ କରାଯିବ।

ଏହାପୂର୍ବରୁ ପୁନୀତଙ୍କୁ ନିକଟରେ ମୈଶୂର ବିଶ୍ୱବିଦ୍ୟାଳୟ ଦ୍ବାରା ମରଣୋତ୍ତର ଡକ୍ଟରେଟ ଉପାଧି ପ୍ରଦାନ କରାଯାଇଥିଲା। ଉଲ୍ଲେଖଯୋଗ୍ୟ, ୨୦୨୧ ମସିହା ଅକ୍ଟୋବର ୨୯ ତାରିଖରେ କନ୍ନଡ ଅଭିନେତା ପୁନୀତ ରାଜକୁମାରଙ୍କର ହୃଦଘାତରେ ପରଲୋକ ଘଟିଥିଲା। ତାଙ୍କର ଶେଷ ଚଳଚ୍ଚିତ୍ର ‘ଲକି ମ୍ୟାନ୍’ ସେପ୍ଟେମ୍ବର ୯ ତାରିଖରେ ମୁକ୍ତିଲାଭ କରିବ।