ଶ୍ରୀମହନ୍ତ କମଳାକାନ୍ତ ଦାସ ମହାରାଜଙ୍କ ପ୍ରାକଟ୍ୟ ଉତ୍ସବ ।

ବ୍ରହ୍ମପୁର -ମା’ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ବାସୁଦେବ ନଗର ପ୍ରାଙ୍ଗଣରେ ବିଦ୍ୟାଳୟର ପ୍ରାଣ ପ୍ରତିଷ୍ଠାତା ମହା ମଙ୍ଗଳେଶ୍ଵର ଶ୍ରୀମହନ୍ତ କମଳାକାନ୍ତ ଦାସ ମହାରାଜଙ୍କ ୫୬ତମ ପ୍ରାକଟ୍ୟ ଉତ୍ସବ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବରେ ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନର କାର୍ଯ୍ୟାଳୟ ସମ୍ପାଦକ ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ବିଷୋୟୀ, ଅରବିନ୍ଦ ନଗର ବିଦ୍ୟାଳୟର ସମ୍ପାଦକ ଶ୍ରୀଯୁକ୍ତ କୁମୁଦ ରଞ୍ଜନ ପଣ୍ଡା, ବାସୁଦେବ ନଗର ବିଦ୍ୟାଳୟର ସମ୍ପାଦିକା ସୁଶ୍ରୀ ଉଷାରାଣୀ ତ୍ରିପାଠୀ, ପ୍ରଧାନ ଆଚାର୍ଯ୍ୟା ସୁଶ୍ରୀ ସୁକାନ୍ତୀ ଶତପଥୀ ଏବଂ ନଗର ସ୍ତରୀୟ ସମସ୍ତ ବିଦ୍ୟାଳୟର ଆଚାର୍ଯ୍ୟ / ଆଚାର୍ଯ୍ୟା ତଥା ଶାନ୍ତିଧାମ ଓ କମଳାକାନ୍ତ ଗୁରୁକୁଳମ୍ ର ସମସ୍ତ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ମହାରାଜଙ୍କ କର କମଳରେ ପ୍ରଦୀପ ପ୍ରଜ୍ବଳନ କରାଯାଇ କାର୍ଯ୍ୟକ୍ରମର ଶୁଭ ଉଦ୍ଘାଟନ କରାଯାଇ ଥିଲା। ସମ୍ପାଦିକା ସୁଶ୍ରୀ ଉଷାରାଣୀ ତ୍ରିପାଠୀ ମହାରାଜଙ୍କୁ ଉପଢୌକନ ପ୍ରଦାନ କରିବା ସହିତ ପୁଷ୍ପମାଲ୍ୟ ପ୍ରଦାନ କରିଥିଲେ । ଆଚାର୍ଯ୍ୟ ଶ୍ରୀଯୁକ୍ତ ମୃତ୍ୟୁଞ୍ଜୟ ବିଷୋୟୀ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଆଚାର୍ଯ୍ୟ ଶ୍ରୀଯୁକ୍ତ ହୃଷୀକେଶ ପାହାଡ଼ୀ ବ୍ୟକ୍ତିଗତ ସଙ୍ଗୀତ ଗାନ କରିଥିଲେ । ମହାରାଜ ଶୁଭ ଜନ୍ମ ଦିବସ ଅବସରରେ ବ୍ରହ୍ମପୁରରେ ଥିବା ବିଭିନ୍ନ ପ୍ରାଚୀନ ମନ୍ଦିର ପରିଦର୍ଶନ କରିବା ସହିତ ବୃକ୍ଷରୋପଣ ଭଳି ମହତ୍ କାର୍ଯ୍ୟ କରିଥିଲେ।ସନ୍ଥ ଶିରୋମଣି ପବିତ୍ର ଦିବସର ମହତ୍ତ୍ବ ବୁଝାଇବା ସହ ଆଶୀର୍ବଚନ ପ୍ରଦାନ କରିଥିଲେ । ସତ୍ୟ ନାରାୟଣ ଦାସ, ରାଜେନ୍ଦ୍ର ପଟ୍ଟନାୟକ, ରମେଶ ପ୍ରଧାନ, ପ୍ରମୋଦ ବିଶୋଇ, ଶିବ ପ୍ରସାଦ ସାହୁ, ସାଇ ନାରାୟଣ ସାହୁ ଏବଂ ଅମୀୟ ରଥ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।