ସମସ୍ୟାର ଗନ୍ତାଘର ଥୁଆମୂଳ ରାମପୁର ସଦର ମହକୁମା

ନା ଅଛି ବସ୍ ଷ୍ଟାଣ୍ଡ ନା ଶୌଚାଳୟ ; ମହିଳା ଯାତ୍ରୀ ହନ୍ତସନ୍ତ

କେବେ ନିର୍ମାଣ ହେବ ବସ୍ ଷ୍ଟାଣ୍ଡ ?

ଥୁଆମୂଳ ରାମପୁର,୦୭/୧୧-(ଦୁର୍ଗା କୀର୍ତ୍ତି) :- ଶିକ୍ଷା, ସ୍ବାସ୍ଥ୍ୟ ଏବଂ ଗମନାଗମନ ଭଳି ବିଭିନ୍ନ କ୍ଷେତ୍ରରେ ସବୁଠାରୁ ପଛରେ ରହିଥିବା କଳାହାଣ୍ଡି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଥୁଆମୂଳ ରାମପୁର ବ୍ଲକ ବେସ୍ ପରିଚିତ ଏବଂ ରହିଛି ଅନେକ ଦୃଷ୍ଟାନ୍ତ। ବସ୍ ସେବା ଏବଂ ଯାତ୍ରୀଙ୍କ ପାଇଁ ଯେଉଁ ସମସ୍ୟା ଉପୁଜୁଛି ଏହା ଏକ ଜୀବନ୍ତ ଉଦାହରଣ। ବ୍ଲକର ବିଭିନ୍ନ ଅଞ୍ଚଳକୁ ଲକ୍ଷ୍ମୀ ବସ୍ ଚଳାଚଳ ହେଉଥିବା ବେଳେ ରାଜ୍ୟ ର ରାଜଧାନୀ ଏବଂ ଜିଲ୍ଲା ମୁଖ୍ୟାଳୟ ତଥା ସୀମାନ୍ତ ରାୟଗଡା ଜିଲ୍ଲାରୁ ଯାତ୍ରୀଙ୍କୁ ନେଇ ଅନେକ ବସ୍ ଚଳାଚଳ କରୁଛି ହେଲେ ବସ୍ ଷ୍ଟାଣ୍ଡର ସ୍ବତନ୍ତ୍ର ବ୍ୟବସ୍ଥା ନଥିବା ଯୋଗୁଁ ବସ୍ ଗୁଡିକ ରାସ୍ତା ଉପରେ ଠିଆ ହେବାକୁ ବାଧ୍ୟ ହେଉଛି। ଯେଉଁଥିପାଇଁ ଅନ୍ୟ ଯାନବାହନ ଚଳାଚଳ ଉପରେ ବିଭିନ୍ନ ସମସ୍ୟା ସୃଷ୍ଟି ହେଉଥିବା ଦେଖିବାକୁ ମିଳୁଛି। ଏପରିକି ଜନସାଧାରଣଙ୍କ ଯାତାୟତ ପ୍ରତି ମଧ୍ୟ ବାଧା ଉପୁଜୁଥିବା ବେଳେ ଛୋଟବଡ ଅଘଟଣର ଆଶଙ୍କା ରହିଛି।ବ୍ଲକ ମୁଖ୍ୟାଳୟ ହେଇଥିବା ଯୋଗୁଁ ପ୍ରତିଦିନ ବହୁ ସଂଖ୍ୟାରେ ଯାତ୍ରୀ ଯାତାୟତ କରିଥାନ୍ତି।ଖରା ହେଉ ଅବା ବର୍ଷା ବସ୍ ଷ୍ଟାଣ୍ଡ ଖଣ୍ଡିକ ଥିଲେ ବିଭିନ୍ନ ପ୍ରାନ୍ତରୁ ଯାତାୟତ କରୁଥିବା ଯାତ୍ରୀମାନେ କିଛି ସମୟ ପାଇଁ ମଧ୍ୟ ଆଶ୍ରୟ ନେଇଥାଆନ୍ତେ।ଆଜକୁ ପ୍ରାୟ ୪୦ ବର୍ଷରୁ ଉର୍ଦ୍ଧ୍ବ ହେବ ଜିଲ୍ଲା ମୁଖ୍ୟାଳୟ ଠାରୁ ଥୁଆମୂଳ ରାମପୁର ବ୍ଲକକୁ ଗମନାଗମନର ବ୍ୟବସ୍ଥା ହୋଇପାରିଛି।ଇତି ମଧ୍ୟରେ ବ୍ଲକର ପ୍ରାୟତଃ ଅଞ୍ଚଳକୁ ଗମନାଗମନର ବ୍ୟବସ୍ଥା ହୋଇପାରିଛି।

କିନ୍ତୁ ଆଜିଯାଏ ବ୍ଲକ ମୁଖ୍ୟାଳୟରେ ବସ୍ ରହଣି ପାଇଁ ସ୍ଥାୟୀ ବ୍ୟବସ୍ଥା ହେଇପାରିନି ଯାହା ସମଗ୍ର ବ୍ଲକ୍ ବାସୀଙ୍କ ପାଇଁ ବିଡମ୍ବନାର ବିଷୟ ପାଲଟିଛି। ବିଦ୍ୟାଳୟ ଏବଂ କଲେଜ ଛାତ୍ରଛାତ୍ରୀଙ୍କ ସମେତ ଅନେକ ଯାତ୍ରୀ ଆସୁଥିବା ବେଳେ ଜରୁରୀକାଳୀନ ଶୌଚାଳୟର ବ୍ୟବସ୍ଥା ହେଇପାରିନି।ଯେଉଁଥିପାଇଁ ମହିଳା ଯାତ୍ରୀ ମାନଙ୍କ କ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତି ସୃଷ୍ଟି ହେଉଛି।ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି।ମହିଳା ମାନଙ୍କ ସୁରକ୍ଷା ପ୍ରତି ଯତ୍ନବାନ ଥିବା ସରକାରଙ୍କ ସହ ସ୍ଥାନୀୟ ପ୍ରଶାସନ ଏଠାରେ ସମ୍ପୂର୍ଣ୍ଣ ଅବହେଳା ପ୍ରଦର୍ଶନ କରୁଥିବା ଜଣାପଡିଛି। ବ୍ଲକର କେନ୍ଦ୍ରସ୍ଥଳୀ ଭାବେ ପରିଚିତ ମାଣିକେଶ୍ବରୀ ଛକ ଯେଉଁଠି ବ୍ଲକ ମୁଖ୍ୟାଳୟକୁ ଆସୁଥିବା ସମସ୍ତ ବସ୍ ର ରହଣି ସ୍ଥାନ ହୋଇଥିବା ଦୃଷ୍ଟିରୁ ଉକ୍ତ ସ୍ଥାନ ନିକଟରେ ଗତ ୫ ବର୍ଷ ତଳେ ୪ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଏକ ଶୌଚାଳୟ ନିର୍ମାଣ ହୋଇଛି।କିନ୍ତୁ ଅବ୍ୟବସ୍ଥା ଏବଂ ପ୍ରଶାସନିକ ଅବହେଳା ଯୋଗୁଁ ତାହା ବର୍ତ୍ତମାନ ବ୍ୟବହାର ଉପଯୋଗୀ ନହୋଇ ପଡିରହିଛି।ଅନ୍ୟ ପଟରେ ବସ୍ ଷ୍ଟାଣ୍ଡ ନିର୍ମାଣ ପାଇଁ ଜମି ଚିହ୍ନଟ ହୋଇଥିବା ସୂଚନା ରହିଥିବା ବେଳେ ନିର୍ମାଣ କ୍ଷେତ୍ରରେ ବିଳମ୍ବତାକୁ ନେଇ ସାଧାରଣରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହେଉଥିବା ବେଳେ ଅସନ୍ତୋଷର ବାତାବରଣ ରହିଥିବା ଦେଖିବାକୁ ମିଳିଛି।ଏନେଇ ଯେତେବେଳେ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଅବଗତ କରାଗଲା ତେବେ ଉକ୍ତ ଶୌଚାଳୟକୁ ପୁର୍ଣ୍ଣ ବ୍ୟବସ୍ଥିତ ରୂପରେ ଆବଶ୍ୟକୀୟ ମରାମତି କରାଯିବ ବୋଲି କହିଛନ୍ତି। ଅପରପକ୍ଷରେ ବସ୍ ଷ୍ଟାଣ୍ଡ ନିର୍ମାଣ ପାଇଁ ଯେଉଁ ଜମି ଚିହ୍ନଟ ହୋଇଛି ସେଇ ସ୍ଥାନର ନକ୍ସା ଏବଂ କାଗଜପତ୍ର ଜିଲ୍ଲା ପ୍ରଶାସନକୁ ପଠାଯାଇଥିବା ସୂଚନା ଥିବାବେଳେ ପରିବହନ ବିଭାଗ, ରାଜସ୍ବ ବିଭାଗ ଏବଂ ବନବିଭାଗ ଅଧିକାରୀଙ୍କ ସବୁଜ ସଂକେତ ପରେ ପ୍ରକଳ୍ପ ଚୁଡାନ୍ତ ହୋଇପାରିବ ବୋଲି ସୂଚନା ରହିଛି। ବାସ୍ତବରେ ଯୋଜନା ନାମରେ ଚାଲିଛି ପ୍ରଶାସନର ବିଚିତ୍ର ଲୀଳା।ଏଥିସହିତ ସ୍ଥାନୀୟ ଜନପ୍ରତିନିଧି ଏବଂ ବିଭିନ୍ନ ରାଜନୈତିକ ଦଳର ନେତାମାନଙ୍କ ଆନ୍ତରିକତାର ଘୋର ଅଭାବ ରହୁଥିବା ସାଧାରଣରେ ଆଲୋଚନା ହେଉଛି। ପ୍ରଶାସନ ଅନ୍ତତଃ ମହିଳା ଯାତ୍ରୀ ମାନଙ୍କ ସମ୍ମାନ ସ୍ବରୂପ ଉତ୍ତମ ବ୍ୟବସ୍ଥା ସମ୍ପନ୍ନ ଶୌଚାଳୟ ନିର୍ମାଣ କରନ୍ତୁ।ଏବଂ ଯେଉଁଠି ବସ୍ ଷ୍ଟାଣ୍ଡ ନିର୍ମାଣ ପାଇଁ ଜମି ଚିହ୍ନଟ କରାଯାଇଛି ସେଠାରେ ବିଳମ୍ବ ନକରି ତତ୍ପରତାର ସହିତ ପ୍ରକଳ୍ପ ଆରମ୍ଭ କରନ୍ତୁ ବୋଲି ସାଧାରଣରେ ଦାବି ହେଉଛି।