ସରକାରୀ ପ୍ରତିଶ୍ରୁତି ପାଣିର ଗାର: କୁମ୍ଭାରକାନିରେ ୬ ମାସ ହେଲା ବସୁଧା ପ୍ରକଳ୍ପ ଅଚଳ !

ଥୁଆମୂଳ ରାମପୁର,୨୫/୧୨-(ଦୁର୍ଗା କୀର୍ତ୍ତି):- ସରକାରଙ୍କ ‘ବସୁଧା’ ଯୋଜନାରେ ଘରକୁ ଘର ପାନୀୟ ଜଳ ଯୋଗାଇ ଦେବା ପ୍ରତିଶ୍ରୁତି ଏବେ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକରେ ପ୍ରହସନ ପାଲଟିଛି। ବାଗଡିଆଣି ଗ୍ରାମପଞ୍ଚାୟତ ଅଧୀନସ୍ତ କୁମ୍ଭାରକାନି ଗ୍ରାମରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଜଳ ଯୋଗାଣ ପ୍ରକଳ୍ପ ଦୀର୍ଘ ୬ ମାସ ହେବ ଅଚଳ ଅବସ୍ଥାରେ ପଡ଼ି ରହିଛି। ଗ୍ରାମବାସୀଙ୍କୁ ଶୁଦ୍ଧ ଜଳ ଯୋଗାଇବା ପରିବର୍ତ୍ତେ ଏହି ପ୍ରକଳ୍ପ ଏବେ କଳଙ୍କିତ ସ୍ମୃତି ଭଳି ଛିଡ଼ା ହୋଇଛି। କୁମ୍ଭାରକାନି ଗ୍ରାମର ଜଳକଷ୍ଟ ଦୂର କରିବା ପାଇଁ ଗ୍ରାମବାସୀମାନେ ପଞ୍ଚାୟତ ଠାରୁ ଆରମ୍ଭ କରି ବିଡ଼ିଓ ଏବଂ ବିଭାଗୀୟ ଅଧିକାରୀଙ୍କୁ ଲିଖିତ ଭାବେ ବାରମ୍ବାର ଅବଗତ କରିଛନ୍ତି। ଏନେଇ ସ୍ଥାନୀୟ ସରପଞ୍ଚ ସୂର୍ଯ୍ୟ ମାଝୀ ମଧ୍ୟ ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ ହେଁ କୌଣସି ସୁଫଳ ମିଳିନାହିଁ। ପ୍ରଶାସନର ଏହି ଚରମ ଅବହେଳା ଯୋଗୁଁ ଲୋକେ ପାଣି ମୁନ୍ଦାଏ ପାଇଁ ଏବେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ପ୍ରକଳ୍ପର ସ୍ଥିତି ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି। ପମ୍ପ ହାଉସ୍ ପରିସର ଅଳିଆ ଆବର୍ଜନା ଓ ମଦ ବୋତଲ ରେ ପରିପୂର୍ଣ ହୋଇ ମଦୁଆଙ୍କ ଆଡ୍ଡା ସ୍ଥଳ ପାଲଟିଥିବା ବେଳେ ବିଦ୍ୟୁତ୍ ପ୍ୟାନେଲ୍ ବୋର୍ଡ ଭାଙ୍ଗି ଚୂର୍ମାର ହୋଇଯାଇଛି। ଠିକା ସଂସ୍ଥା ନିମ୍ନମାନର କାମ କରିଥିବା ଯୋଗୁଁ ଅନେକ ହିତାଧିକାରୀଙ୍କ ଘରେ ଟ୍ୟାପ୍ ଲାଗିବା ପୂର୍ବରୁ ହିଁ ନଷ୍ଟ ହୋଇସାରିଲାଣି। ଏ ସମ୍ପର୍କରେ ବିଭାଗୀୟ ଅଧିକାରୀ ମନ୍ମଥ ମୁର୍ମୁଙ୍କୁ ଯୋଗାଯୋଗ କରିବାରୁ ସେ ସ୍ୱୀକାର କରିଛନ୍ତି ଯେ, ପୁରୁଣା ବୋରୱେଲ୍‌ରେ ଜଳସ୍ତର ହ୍ରାସ ଯୋଗୁଁ ଏହି ସମସ୍ୟା ଉପୁଜିଛି। ତେବେ ଅନ୍ୟ ଏକ ସ୍ଥାନରେ ନୂତନ ବୋର୍ ଖନନ ଶେଷ ହୋଇଛି ଏବଂ ଖୁବ୍ ଶୀଘ୍ର ଟାଙ୍କିକୁ ପାଣି ଉଠାଇ ଜଳ ଯୋଗାଣ ସ୍ୱାଭାବିକ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି। ପ୍ରଶାସନର ଏହି ପ୍ରତିଶ୍ରୁତିରେ କୁମ୍ଭାରକାନି ବାସୀ ଆଉ ସନ୍ତୁଷ୍ଟ ନାହାନ୍ତି। ତୁରନ୍ତ ସ୍ଥାୟୀ ସମାଧାନ ନହେଲେ ବାଗଡିଆଣି ପଞ୍ଚାୟତର ମହିଳା ଓ ଗ୍ରାମବାସୀ ବଡ଼ ଧରଣର ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି।

  • ପ୍ରଶ୍ନଘେରରେ ‘ବସୁଧା’
  • ୬ ମାସ କାଳ କାହିଁକି ଚୁପ୍ ରହିଥିଲା ବିଭାଗ?
  • ଭାଙ୍ଗିଥିବା ବିଦ୍ୟୁତ୍ ବୋର୍ଡ ଓ ପମ୍ପ୍ ପାଇଁ ଦାୟୀ କିଏ?
  • ପଞ୍ଚାୟତ ଅଧିକାରୀ ଓ ବିଡ଼ିଓଙ୍କୁ ଦିଆଯାଇଥିବା ଅଭିଯୋଗ ପତ୍ର ଗଲା କୁଆଡ଼େ?