ସାବଧାନ! ହ୍ବାଟ୍ସଆପରେ ହେଉଛି ନୂଆ ଠକେଇ, ଜାଣନ୍ତୁ କେମିତି ଚାଳିଛି?
ଜଣେ ଇନ୍ଷ୍ଟାଗ୍ରାମ ୟୁଜର୍ ଏନେଇ ସତର୍କ କରାଇଛନ୍ତି।ଇନଷ୍ଟାଗ୍ରାମ ବ୍ୟବହାରକାରୀ ଏକ ପୋଷ୍ଟରେ କହିଛନ୍ତି, ହ୍ବାଟ୍ସଆପରେ ଏବେ ଏକ ନୂଆ ଠକେଇ ହେଉଛି। ଏ ବିଷୟରେ ବ୍ୟବହାରକରୀ ସତର୍କ ରହିବା ଉଚିତ। ସେ ଲେଖିଛନ୍ତି ଯେ, ତାଙ୍କୁ ଏକ ଅଜଣା ନମ୍ବରରୁ କଲ୍ ଆସିଲା। ଇଣ୍ଟରନେଟ୍ ସଂଯୋଗ ସମ୍ବନ୍ଧରେ ସେ ଦେଇଥିବା ଅଭିଯୋଗ ବିଷୟରେ ଏହି କଲ୍ କରାଯାଇଛି ବୋଲି କଲ୍ କରିଥିବା ବ୍ୟକ୍ତି କହିଥିଲେ। ଏହାପରେ ଇନଷ୍ଟାଗ୍ରାମ ୟୁଜର ଜଣକ କହିଥିଲେ ଯେ, ଏ ବିଷୟରେ ତାଙ୍କ ବାପା ଜାଣନ୍ତି ଓ ସେ ଏବେ ଘରେ ନାହାନ୍ତି। ସେ କଲ୍ କାଟିବାକୁ ଯାଉଥିବା ବେଳେ କଲ୍ କରିଥିବା ବ୍ୟକ୍ତି କହିଲେ, ଆପଣଙ୍କୁ ଏକ ନମ୍ବର ଡାଏଲ୍ କରିବାକୁ ପଡ଼ିବ, ଯଦ୍ବାରା ଦିନେ ଦୁଇଦିନ ପରେ ଏ ବିଷରେ ଆପଣଙ୍କୁ ଆଉଥରେ କଲ୍ ଯାଇପାରିବ। ଏହାପରେ କଲ୍ କରିଥିବା ବ୍ୟକ୍ତି ୪୦୧ ଓ ଏକ ମୋବାଇଲ୍ ନମ୍ବର ଡାଏଲ୍ କରିବାକୁ କହିଲେ, ଯାହାକୁ ସେ ଡାଏଲ କରିଦେଲେ। ଫୋନ୍ କଟିବାର ୧୦ ମିନିଟ୍ ପରେ ଇନଷ୍ଟାଗ୍ରାମ ୟୁଜରଙ୍କୁ ହ୍ବାଟ୍ସଆପରେ ଏକ ମେସେଜ୍ ଆସିଲା, ଯେଉଁଥିରେ ନୂଆ ଡିଭାଇସରେ ଆକାଉଣ୍ଟ ସେଟ୍ କରିବା ପାଇଁ ପିନ୍ ଦିଆଯାଇଥିଲା।
ତାଙ୍କ ମୋବାଇଲ ଓ ପିସିରୁ ହ୍ବାଟ୍ସଆପ୍ ଲଗ୍ଆଉଟ ହୋଇଗଲା। ଏହାପରେ ସେ ଜାଣିବାକୁ ପାଇଲେ ଯେ, ୪୦୧ ଓ ତା’ପରେ ମୋବାଇଲ ନମ୍ବର ଡାଏଲ କରିବା ଦ୍ବାରା ସବୁ କଲ୍ ସେହି ନମ୍ବରକୁ ଡାଇଭର୍ଟ ହୋଇଯାଉଛି। ଏହାର ଫାଇଦା ଉଠାଇ ଠକମାନେ ତାଙ୍କ ହ୍ବାଟ୍ସଆପକୁ ନିଜ ଫୋନରେ ଲଗ୍ଇନ୍ କରି ଦେଇଥିଲେ। ଏହାପରେ ଠକମାନେ ପ୍ରାୟ ୫୦ ଜଣଙ୍କୁ ମେସେଜ କରି ଟଙ୍କା ମାଗିଥିଲେ। ସେମାନଙ୍କ ମଧ୍ୟରୁ କିଛି ଲୋକ ଜରୁରୀ ଭାବି ଠକ ଦେଇଥିବା ୟୁପିଆଇ ଆଇଡିରେ ଟଙ୍କା ମଧ୍ୟ ପଠାଇଥିଲେ। ଇନଷ୍ଟାଗ୍ରାମ ୟୁଜର parleenranhotra ଏହାପରେ ତାଙ୍କ ସିମ୍କୁ ବ୍ଲକ କରିଥିଲେ, କିନ୍ତୁ ତାଙ୍କ ହ୍ବାଟ୍ସଆପ୍ ଆକାଉଣ୍ଟ ଲଗ୍ଇନ୍ ହୋଇପାରୁ ନଥିଲା। କାରଣ ଠକମାନେ ଏଥିରେ ଟୁ-ଫ୍ୟାକ୍ଟର ଅଥେଣ୍ଟିକେସନ୍ ପିନ୍ ସେଟ୍ କରି ଦେଇଥିଲେ। ୭ ଦିନ ପରେ ସେ ପୁଣି ହ୍ବାଟ୍ସଆପ୍ ସୁବିଧା ପଇଲେ।
ସେ କହିଛନ୍ତି, କେବେହେଲେ କାହା କଥାରେ ୪୦୧ ସହ କୌଣସି ମୋବାଇଲ ନମ୍ବର ଡାଏଲ କରନ୍ତୁ ନାହିଁ। ଏହା ବ୍ୟତୀତ ହ୍ବାଟ୍ସଆପରେ ୨-ଫ୍ୟାକ୍ଟର ଅଥେଣ୍ଟିକେସନର ବ୍ୟବହାର କରନ୍ତୁ ଓ କୌଣସି ଅଜଣା ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ ନାହିଁ।