ସ୍ବର୍ଗତ ରାଇମୋହନ ଙ୍କ କିଛି ଅଭୁଲା ସ୍ମୃତି । ତାଙ୍କ ବିଷୟ ରେ କିଛି ଜାଣନ୍ତୁ।।

୧୯୬୩ ମସିହା ଜୁଲାଇ ୧୦ ତାରିଖରେ କେନ୍ଦୁଝର ଜିଲ୍ଲାରେ ରାଇମୋହନ ଜନ୍ମଗ୍ରହଣ କରିଥିଲେ । ରୂପେଲୀ ପରାଦର ଖଳନାୟକ ରାଇମୋହନ ବାସ୍ତବ ଜୀବନରେ ଥିଲେ ବେଶ୍‌ ଖୁସ୍‌ ମିଜାଜ୍‌ ଏବଂ ମେଳାପୀ । ବିଭିନ୍ନ ସ୍ଥାନରେ ବନ୍ଧୁ ଏବଂ ପ୍ରଶଂସକଙ୍କୁ ଭେଟୁଥିଲେ । ବିଭିନ୍ନ ଚା’ ଖଟିରେ ତାଙ୍କ ସହ ତାଙ୍କ ପ୍ରଶଂସକ, କଳାକାର ଏବଂ ବନ୍ଧୁମାନଙ୍କୁ ଦେଖିବା ପାଇଁ ମିଳୁଥିଲା । ସେ ଖୁସବାସିଆ ଅନ୍ଦାଜର କଥାବାର୍ତ୍ତା, ହସ୍‌ଖୁସୀ ଏବଂ ମେଳାପୀ ମଣିଷ । ପିଲାଦିନେ ଦେଖିଥିବା ଅଭିନୟର ସ୍ୱପ୍ନ ପୂରଣ କରିବା ପାଇଁ ସେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ଅଭିନୟରେ ନାମ ଲେଖାଇଥିଲେ । ୧୯୮୬ ମସିହାରେ ‘ପକା କମ୍ବଳ ପୋତ ଛତା’ରେ ତାଙ୍କୁ ଛୋଟ ଅଭିନୟ ମିଳିଥିଲା । ପ୍ରଯୋଜକ ବସନ୍ତ ନାୟକଙ୍କ ସହ ଏହି ସିନେମାର ନିର୍ଦେଶନା ଦେଇଥିଲେ ପ୍ରସିଦ୍ଧ ସିନେ ନିର୍ଦେଶକ ପ୍ରଶାନ୍ତ ନନ୍ଦ ।

ପରେ ସେ ୧୦୦ରୁ ଅଧିକ ଓଡ଼ିଆ ଏବଂ ବଙ୍ଗାଳୀ ସିନେମାରେ ଅଭିନୟ କରିଛନ୍ତି । ଦାଦାଗିରି, ସୁନା ସଂସାର, ସ୍ତ୍ରୀ, ରଣଭୂମି, ଜନ୍ମଦାତା, ରାଖି ଭିଜିଗଲା ଆଖି ଲୁହରେ, ରାମଲକ୍ଷ୍ମଣ, ନାଗପଞ୍ଚମୀ, ଉଦଣ୍ଡି ସୀତା, କୃଷ୍ଣା କାବେରୀ, ଲକ୍ଷ୍ମୀ ପ୍ରତିମା, ଅର୍ଜୁନ, ମେଣ୍ଟାଲ୍‌, ରସିକ ନାଗର, ତୁ ଥିଲେ ମୋ’ ଡର କାହାକୁ, ‘ତୁ ମୋ ସୁନା ଚଢେଇ’ ଏବଂ ‘ମିଷ୍ଟର ମଜନୁ’, ଲକ୍ଷେ ଶିବ ପୂଜି ପାଇଚି ପୁଅ, ରଖିଲେ ଶିବ ମାରିବ କିଏ, କୋଟିଏ ମଣିଷ ଗୋଟିଏ ଜଗା ପରି ସୁପରହିଟ୍‌ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ଏହା ସହ ସେ ଥିଲେ ଜଣେ ବେଶ୍‌ ଲୋକପ୍ରିୟ ଯାତ୍ରା କଳାକାର । ଅନେକ ଟେଲିଭିଜନ ଧାରାବାହିକରେ ମଧ୍ୟ ସେ ଅଭିନୟ କରିଛନ୍ତି ।

ମୃତ୍ୟୁ ପୂର୍ବରୁ ସେ କେତକ ସିନେମାରେ ଅଭିନୟ କରିଛନ୍ତି । ରକ୍ଷକ, ଓମ୍‌ ସ୍ୱାହା, ଧରମା, ତୋ ପାଇଁ କିଛି କରିପାରେ ଏବଂ ବାଜିବଲୋ ସାହାନାଇ ପରି ସିନେମାରେ ସେ ଅଭିନୟ କରିଛନ୍ତି, ଯାହା ମୁକ୍ତିଲାଭ କରିବା ଅପେକ୍ଷାରେ । ରାଇମୋହନଙ୍କ ମୃତ୍ୟୁରେ ଓଡ଼ିଆ ସିନେଜଗତରେ ଏକ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି ।