ହାଡ଼ଭଙ୍ଗା ଶୀତ ସାଙ୍ଗକୁ ଥଣ୍ଡା ପବନ, ପ୍ରବଳ ଜାଡ଼ରେ ଥରୁଛି କଳାହାଣ୍ଡିର କାଶ୍ମୀର
ଥୁଆମୂଳ ରାମପୁର, ୨୨।୧୧ (ଦୁର୍ଗା କୀର୍ତ୍ତି) : – କଳାହାଣ୍ଡି ଜିଲ୍ଲାର କାଶ୍ମୀର କୁହାଯାଉଥିବା ଥୁଆମୂଳ ରାମପୁର ବ୍ଲକ୍ ଏବେ ଶୀତରେ ଥରୁଛି। ଏହାର ଆଖପାଖ ଅଞ୍ଚଳରେ ଚଳିତ ବର୍ଷ ଶୀତ ଏକପ୍ରକାର ଲୁଚକାଳି ଖେଳୁଥିବା ବେଳେ ଶୀତ ଋତୁ ଆରମ୍ଭର ଦୀର୍ଘ ଦିନ ବ୍ୟବଧାନ ପରେ ଗତ କିଛିଦିନ ହେବ ଥୁଆମୂଳ ରାମପୁର ବ୍ଲକ୍ ରେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି । ଦାନା ବାତ୍ୟା, ବର୍ଷା, ମେଘ ପରେ କିଛି ଦିନ ହେଲା ଆକାଶ ନିର୍ମଳ ରହିବା ସହ ଥଣ୍ଡାର ପ୍ରକୋପ ଧୀରେ ଧୀରେ ଅନୁଭୂତ ହେବା ପରେ ଥଣ୍ଡା ନିଜ ପ୍ରକୋପ ଦେଖେଇଛି। ଲୋକେ ଅପରାହ୍ନ ୪ଟାରୁ ପରଦିନ ସକାଳ ୧୦ଟା ପର୍ଯ୍ୟନ୍ତ ଘରୁ ବାହାରୁ ନାହାନ୍ତି। ଏଠାରେ ତାପମାତ୍ରା ମାପିବାର ସରକାରୀ ବ୍ୟବସ୍ଥା ନଥିଲେ ମଧ୍ୟ ୬ ରୁ ୭ ଡିଗ୍ରି ପର୍ଯ୍ୟନ୍ତ ଖସୁଛି ବୋଲି କୁହାଯାଉଛି। ବ୍ଲକ୍ ର ଥୁଆମୂଳ ରାମପୁର ସଦର ସମେତ ଆଖପାଖ ପାହାଡ଼ିଆ ଅଞ୍ଚଳରେ ପାରଦ ତଳମୁହାଁ ହେବାରେ ଲାଗିଛି l ଶୀତବସ୍ତ୍ର କାମରେ ଆସୁ ନ ଥିବା ବେଳେ ଏବେ ଧନୀ ହେଉ କି ଗରିବ ସମସ୍ତଙ୍କ ପାଇଁ ନିଆଁ ଭରସା ପାଲଟିଛି।ପ୍ରବଳ ଥଣ୍ଡା ଯୋଗୁଁ ସଞ୍ଜ ନଇଁଲେ ଉକ୍ତ ଅଞ୍ଚଳ ଜନଶୁନ୍ୟ ହେବା ସହ ରାସ୍ତାଘାଟ ଖାଁ ଖାଁ ଲାଗୁଚି। ରାତି ବଢିଲେ କୁହୁଡି ଆରମ୍ଭ ହେବା ସହ ଶୀତ ବଢୁଛି ସକାଳ ସୂର୍ଯ୍ୟ ଉଦୟ ହେବା ପର୍ଯ୍ୟନ୍ତ କୁହୁଡି ମୟ ଆକାଶ ରହିଥୁବା ଦୃଶ୍ୟ ଦେଖୁବାକୁ ମିଳିଛି। ଚଳିତ ବର୍ଷ ବିଳମ୍ବରେ ଶୀତର ଆଗମନ ଏବଂ ହଠାତ ୧୦ଡିଗ୍ରୀ ତଳକୁ ତାପମାତ୍ରା ଖସିବା ସହ ପ୍ରବଳ ଥଣ୍ଡା ପଡିବା ଯୋଗୁଁ ସ୍ଥାନୀୟ ଅଞ୍ଚଳବାସୀ ଅସ୍ତବ୍ୟସ୍ତ ହେଇପଡିଛନ୍ତି। ଅଞ୍ଚଳରେ ଗରିବ ରେଖା ତଳେ ଥିବା ବୃଦ୍ଧାବୃଦ୍ଧଙ୍କୁ ଅଧିକ ଶୀତ କଷ୍ଟ ଦେଉଥିବା ବେଳେ କାମଧନ୍ଦା ପାଇଁ ଘରୁ ପଦାକୁ ବାହାରିବା ମୁସ୍କିଲ ହୋଇପଡୁଛି। ଆଗାମୀ ଦିନରେ ପାରଦ ଆହୁରି ତଳକୁ ଖସିବା ସହ ଜାଡ ବଢିବା ନେଇ କୁହାଯାଉଛି l