୧୧ କେଭି ବିଦ୍ଯୁତ ସଂସ୍ପର୍ଶରେ ଆସି ମହିଳାଙ୍କ ମୃତ୍ୟୁ ଘଟଣା : ମାନବାଧିକାର କମିଶନ ରେ ଅଭିଯୋଗ ଦାଖଲ କଲେ ସ୍ବେଚ୍ଛାସେବୀ I
ଥୁଆମୂଳ ରାମପୁର,୧୬/୧୦-(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ମାଳିଗାଁ ଗ୍ରାମପଞ୍ଚାୟତ ସ୍ଥିତ ଡି.ଚେପଟା ଘାଟ ଗ୍ରାମର କୁମ ଝୋଡିଆଙ୍କ ୪୫ ବର୍ଷୀୟ ସ୍ତ୍ରୀ ଗୁରୁବାରୀ ଝୋଡିଆ ଗତ ୧୫ ଅକ୍ଟୋବର ବୁଧବାର ଦିନ ଅପରାହ୍ନ ୨ ଘଣ୍ଟା ସମୟରେ ନିଜ ବାଡ଼ି (ବଗିଚା) ରେ ଅମୃତ ଭଣ୍ଡା ତୋଳିବାକୁ ଜାଇ ବିଦ୍ୟୁତ୍ ଆଘାତରେ ମୃତ୍ୟୁବରଣ କରିଥିବା ଘଟଣାରେ ଧରିତ୍ରୀ ରେ ଖବର ପ୍ରକାଶ ପରେ ଗୁରୁବାର ଅନ୍ତୋଦୟ ଅନୁଷ୍ଠାନ ର ଅଧ୍ୟକ୍ଷ ଦିଲ୍ଲୀପ କୁମାର ଦାସ ଜାତୀୟ ମାନବ ଅଧିକାର କମିଶନଙ୍କ ନିକଟରେ ଅଭିଯୋଗ ଦାଖଲ କରି ପୀଡିତ ପରିବାର କୁ ୨୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ନିମନ୍ତେ ଦାବି ଜଣାଇଥିବା ଜଣାପଡିଛି। ଏହା ସହିତ କର୍ତ୍ତବ୍ୟରେ ଅବହେଳା କରିଥିବା ଅଧିକାରୀଙ୍କୁ ତୁରନ୍ତ ଚାକିରିରୁ ବହିଷ୍କାର କରି ଗିରଫ କରିବା ସହିତ ସେମାନଙ୍କ ବିରୁଦ୍ଧ ରେ ହତ୍ୟା ମକଦ୍ଦମା ରୁଜୁ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ମାନବ ଅଧିକାର କମିଶନ ଙ୍କ ନିକଟରେ ଅନୁରୋଧ କରିଛନ୍ତି। ସୂଚନା ଯୋଗ୍ୟ ଯେ ଡି.ଚେପଟାଘାଟ ଗ୍ରାମର ଗୁରୁବାରି ଝୋଡ଼ିଆ ନିଜ ବାଡିରେ ଅମୃତଭଣ୍ଡା ତୋଳିବା ବେଳେ ତାଙ୍କ ଘର ବାଡ଼ି ଉପରେ ଝୁଲି ରହିଥିବା ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରିଥିଲେ। ଗାଁ ନିକଟରେ ଯାଉଥିବା ତାର ଖୋଲା ନରଖି କେବୁଲ ତାର ବ୍ୟବହାର କରିବା ନିୟମ ଥିଲେ ମଧ୍ୟ ବିଭାଗ ତରଫରୁ ଏ ନେଇ କୌଣସି ପଦକ୍ଷେପ ନିଆ ଯାଉନାହିଁ ଓ ଝୁଲି ରହିଥିବା ତାର ଗୁଡ଼ିକୁ ନିର୍ଦ୍ଧାରିତ ଉଚ୍ଚତା ରେ ରଖିବା ପାଇଁ ତତ୍ପରତା ପ୍ରକାଶ ପାଉ ନଥିବାରୁ ଜୀବନ ହାନି ଘଟୁଛି ଯାହାକି ଜାତୀୟ ମାନବ ଅଧିକାର ଖୋଲାଖୋଲି ଉଲ୍ଲଂଘନ ହୋଇଛି l ଦିଲ୍ଲୀପ କୁମାର ଦାସ ଙ୍କ ଅଭିଯୋଗ କୁ ଜାତୀୟ ମାନବ ଅଧିକାର କମିଶନ ରେ କେସ ଡାଏରୀ ନମ୍ବର ୨୪୬୨୯/ଆଇଏନ୍/୨୦୨୫ ରେ ମାମଲା ରୁଜ୍ଜୁ କରାଯାଇଥିବା ଜଣାପଡ଼ିଛି l