ଚୀନରେ ବଢ଼ିବାରେ ଲାଗିଛି ଓମିକ୍ରନ| ଅଧିକାଂଶ ସହରରେ ତାଲାବନ୍ଦ

ଚୀନରେ ଏବେ ଓମିକ୍ରନ ବୃଦ୍ଧି ହେବାରେ ଲାଗିଛି। କରୋନାର ଓମିକ୍ରନ ପ୍ରଜାତି ଭୂତାଣୁର ସଂକ୍ରମଣ ଏବେ ଚୀନରେ ଜୋରରେ ମାଡି ଚାଲିଛି। ଏହାକୁ ନେଇ ଚୀନର ୧୩ ରୁ ଅଧିକ ସହରରେ ତାଲାବନ୍ଦ ଭଳି କଠୋର କଟକଣା ଲାଗୁ କରାଯାଇଛି। ଚୀନର ପାଖାପାଖି ତିନି କୋଟି ଲୋକ ଏବେ ତାଲାବନ୍ଦ କଟକଣା ମଧ୍ୟରେ ରହିଛନ୍ତି। ଲୋକଙ୍କୁ ଘରୁ ବାହାରିବାକୁ ବାରଣ କରାଯାଇଛି। ପ୍ରତି ପରିବାରର ଜଣେ ଲେଖାଏଁ ସଦସ୍ୟଙ୍କୁ ଖାଦ୍ୟ ଓ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ଲାଗି ସ୍ବତନ୍ତ୍ର ଅନୁମତି ଦିଆଯାଇଛି। ପ୍ରତି ଦୁଇ ଦିନରେ ଥରେ ଏହି ଅନୁମତି ପ୍ରାପ୍ତ ସଦସ୍ୟ ବାହାରକୁ ଯାଇ ଜିନିଷପତ୍ର କିଣିବେ।

କେତେକ ସହରରେ ଆଂଶିକ ତାଲାବନ୍ଦ କଟକଣା ଲାଗୁ କରାଯାଇଛି। ମଙ୍ଗଳବାର ଚୀନରେ ୫୨୮୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଉତ୍ତର-ପଶ୍ଚିମାଞ୍ଚଳ ପ୍ରଦେଶ ଜିଲିନରେ ସର୍ବାଧିକ ସଂକ୍ରମିତ ହୋଇଥିବା ଜାତୀୟ ସ୍ବାସ୍ଥ୍ୟ ଆୟୋଗ କହିଛନ୍ତି।

ଜିଲିନ ପ୍ରଦେଶର ରାଜଧାନୀ ଚାଙ୍ଗଚୁନରେ ତାଲାବନ୍ଦ ଘୋଷଣା କରାଯାଇଛି। ଏହି ସହରର ଲୋକସଖ୍ୟା ୯୦ଲକ୍ଷ। ସେହିପରି ସେନଝେନ ସହରରେ ମଧ୍ୟ ତାଲାବନ୍ଦ ଲାଗୁ କରାଯାଇଛି। ଏହି ସହରର ଲୋକସଂଖ୍ୟା ୧କୋଟି ୭୦ ଲକ୍ଷ।